ସୋର, ନିଶ୍ଚିନ୍ତକୋଇଲିରେ ତିନି ତଲାକ୍‌, ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ

ସୋର/ନିଶ୍ଚିନ୍ତକୋଇଲି: ଦେଶରେ ଏବେ ମୁସଲମାନ ସଂପ୍ରଦାୟର ବିବାହିତା ମହିଳାଙ୍କୁ ସରିଆତ୍ ଆଇନ୍ ଅନୁଯାୟୀ ସ୍ବାମୀ ୩ ତଲାକ୍ ମାଧ୍ୟମରେ ଛାଡ଼ପତ୍ର ଦେବା ଦଣ୍ତନୀୟ ଅପରାଧ। ଏ ନେଇ ସଂସଦରେ ଆଇନ ପାରିତ ହୋଇଯାଇଛି। ମାତ୍ର ବାଲେଶ୍ବରର ସୋର ଓ କଟକର ନିଶ୍ଚିନ୍ତକୋଇଲିରେ ୨ ମହିଳା ତିନି ତଲାକରେ ଛାଡ଼ପତ୍ରର ସମ୍ମୁଖୀନ ହୋଇଛନ୍ତି। ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ, ଆଗରପଡ଼ା ଥାନା ଅନ୍ତର୍ଗତ ହରିପୁର ଗ୍ରାମର ନାସିର ଖାଁଙ୍କ କନ୍ୟା ରେସୋ ଖାତୁନ୍ ୨୦୧୬ ମେ ୨ରେ ସୋର ପୈାରପରିଷଦ ଅନ୍ତର୍ଗତ ପଠାଣମହଲାର ସହିମ୍ ଖାଁଙ୍କୁ ବିବାହ କରିଥିଲେ। ପରେ ସହିମ୍ ଅନ୍ୟଜଣେ ଯୁବତୀ ସହ ସଂପର୍କ ସ୍ଥାପନ କରି ରୋସୋଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ରୋସୋ ୪ ମାସର ଗର୍ଭବତୀ ଥିବା ବେଳେ ସ୍ବାମୀଙ୍କ ଶାରୀରିକ ନିର୍ଯାତନାରେ ତାଙ୍କର ଗର୍ଭପାତ ହୋଇଥିବା ଅଭିଯୋଗ ହୋଇଛି। ଯନ୍ତ୍ରଣା ଅସହ୍ୟ ହେବା ପରେ ସେ ବାପଘରକୁ ଆସି କିଛିଦିନ ରହିବା ପରେ ପୁଣି ଭଦ୍ରଲୋକଙ୍କ ମଧ୍ୟସ୍ଥତାରେ ଶଶୁର ଘରେ ରହିଥିଲେ। ହେଲେ ସ୍ବାମୀଙ୍କ ସହ ଶଶୁର ତୟୁମ୍ ଖାନ୍ ଓ ଶାଶୂ ରେଜିଆ ବିବିଙ୍କ ନିର୍ଯାତନା ବଢ଼ିବା ପରେ ତାଙ୍କ ବାପଘର ପକ୍ଷରୁ ମହିଳା କମିସନ୍‌ରେ ଅଭିଯୋଗ ହୋଇଥିଲେ ବି କିଛି ଲାଭ ହୋଇନଥିଲା। ପରେ ୨୦୧୮ ଡିସେମ୍ବର ୨୨, ୨୦୧୯ ଜାନୁଆରି ୨୨ ଓ ୨୦୧୯ ଫେବ୍ରୁଆରି ୨୨ରେ ସହିମ୍ ୩ ତଲାକ୍ ଦେଇଥିଲେ। ଏହି ତଲାକ୍ କାଗଜପତ୍ର ସରକାରୀ କାଜି କାଜିମହଲାର ଶେଖ୍ ସଇଦ୍‌ଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିଲା। ମାତ୍ର ୨୦୧୮ ସେପ୍ଟେମ୍ବର ୧୯ରୁ ବେଆଇନ ହୋଇଥିଲେ ମଧ୍ୟ ସରକାରୀ କାଜି କିପରି ତଲାକ୍ କାଗଜପତ୍ର ପ୍ରସ୍ତୁତ କଲେ ସେ ନେଇ ରେସୋ ଅଭିଯୋଗ କରିଛନ୍ତି। ଏବେ ସେ ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ଭୟଭୀତ ହୋଇ ସୁରକ୍ଷା ଓ ନ୍ୟାୟ ପାଇଁ ଆଜି ସୋର ବ୍ଲକ୍‌ ପରିସରରେ ଆୟୋଜିତ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଜିଳ୍ଲାପାଳ ସୋର ପୁଲିସକୁ ମାମଲା ରୁଜୁକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ପୁଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ କରୁଛି।

କଟକ ଜିଲ୍ଳା ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅନ୍ତର୍ଗତ ଗଡ଼ିଜଙ୍ଗ ଗ୍ରାମରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯିବା ସହ ତଲାକ୍‌ ଦିଆଯାଇଥିବା ନେମାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ପୁଲିସ୍‌ ବିଟ୍‌ ହାଉସ୍‌ରେ ଅଭିଯୋଗ ହୋଇଛି। ଗତ ୧ ତାରିଖ ରାତିରେ ମହିଳାଙ୍କୁ ତାଙ୍କ ସ୍ବାମୀ ମୋବାଇଲ୍‌ ମେସେଜ୍‌ରେ ତଲାକ୍‌ ଦେଇଥିବା ଏତଲାରେ ଦର୍ଶାଯାଇଛି। ଏ ନେଇ ନେମାଳ ଥାନାରେ ଏକ ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ମୁତାବକ, ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦା ଗ୍ରାମର ସ୍ୱର୍ଗତ ଗୋଲାମ ରସୁଲ୍ ଖାଁଙ୍କ ଝିଅ ସାଇରା ବାନୁ (୩୦) ୨୦୦୭ ନଭେମ୍ବର ୧୪ ତାରିଖରେ ନେମାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତ ଗଡ଼ିଜଙ୍ଗ ଗ୍ରାମର ମୀର ଅବ୍‌ଦୁଲ୍‌ ରହିମ୍‌ଙ୍କୁ ବିବାହ କରିଥିଲେ। ବିବାହ ପରେ କିଛିଦିନ ଭଲରେ କଟିଥିଲା। ଏହାପରେ ବରଘର ପକ୍ଷରୁ ଅଧିକ ଯୌତୁକ ପାଇଁ ଦାବି କରାଯାଇଥିଲା। ସେହିପରି ସାଇରାଙ୍କ ଦୁଇଟି ଝିଅ ଜନ୍ମହେବା ପରେ ପରିବାର ଲୋକେ ଅସନ୍ତୁଷ୍ଟ ରହୁଥିଲେ। ତୃତୀୟ ସନ୍ତାନ ମଧ୍ୟ ଝିଅ ହେବା ସନ୍ଦେହରେ ସ୍ବାମୀ ତାଙ୍କ ପେଟକୁ ଗୋଇଠା ମାରି ଗର୍ଭ ନଷ୍ଟ କରିଦେଇଥିବା ସାଇରା ଗରୁତର ଅଭିଯୋଗ କରିଛନ୍ତି। ଏହାସହିତ ଝିଅଘର ଲୋକେ ଯୌତୁକ ଦେଇ ନ ପାରିବାରୁ ସାଇରା ବାନୁଙ୍କୁ ନିର୍ଯାତନା ଦିଆଯାଉଥିଲା। ସାଉଦି ଆରବରେ ଚାକିରି କରୁଥିବା ସ୍ୱାମୀ ଅବ୍‌ଦୁଲ୍ କିଛିଦିନ ହେଲା ଘରକୁ ଆସିଥିଲେ। ଏହି ସମୟରେ ବାପଘରେ ରହୁଥିବା ସାଇରାଙ୍କୁ ଗତ ୧ ତାରିଖ ରାତି ପ୍ରାୟ ୧୨ଟାରେ ମୋବାଇଲ୍‌ ମେସେଜ୍‌ ଦ୍ବାରା ସ୍ବାମୀ ତାଙ୍କୁ ତଲାକ୍ ଦେଇଥିବା ନରେନ୍ଦ୍ରପୁର ପୁଲିସ୍ ବିଟ୍ ହାଉସ୍‌ରେ ଲିଖିତ ଅଭିଯୋଗ କରାଯାଇଛି। ତେବେ ଥାନାରେ ଯୌତୁକ ନିର୍ଯାତନା ନେଇ ବିଭିନ୍ନ ଦଫାରେ ମାମଲା (କେସ୍‌ ନଂ-୬୭/୧୯) ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ। କିନ୍ତୁ ତଲାକ୍‌ ନେଇ କିଛି ପ୍ରମାଣ ମିଳି ନ ଥିବା ନରେନ୍ଦ୍ରପୁର ବିଟ୍‌ ହାଉସ୍‌ ଅଧିକାରୀ ଗୌରାଙ୍ଗ ଚରଣ ବିଶ୍ବାଳ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର