ସ୍କୁଲ ମିଶ୍ରଣ ରାୟକୁ ହାଇକୋର୍ଟରେ ସରକାରଙ୍କ ଚାଲେଞ୍ଜ, ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ଅପିଲ୍‌

କଟକ: ସ୍କୁଲ ମିଶ୍ରଣ ପ୍ରସଙ୍ଗ ପୁଣି ହାଇକୋର୍ଟରେ ପହଞ୍ଚିଛି। ରାଜ୍ୟରେ ଶତାଧିକ ସରକାରୀ ସ୍କୁଲକୁ ବନ୍ଦ କରିବା ଓ ଅନ୍ୟ ସ୍କୁଲ ସହିତ ମିଶ୍ରଣ କରିବା ସଂପର୍କିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଥିଲେ। ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ପ୍ରକାଶିତ ୨୦୨୦ ମାର୍ଚ୍ଚ ୧୧ର ମୂଳ ବିଜ୍ଞପ୍ତି ସହିତ ପରବର୍ତ୍ତୀ ସମୟରେ ୨୦୨୦ ଡିସେମ୍ବର ୧୪ରେ ପ୍ରକାଶିତ ବିଜ୍ଞପ୍ତିକୁ ହାଇକୋର୍ଟ ୨୦୨୧ ମେ ୪ରେ ରଦ୍ଦ କରିଥିଲେ। ସ୍କୁଲ ମିଶ୍ରଣ ସଂପର୍କିତ ଅମରମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଅନ୍ୟ ମାମଲାରେ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୧ ମେ ୪ରେ ପ୍ରଦାନ କରିଥବା ରାୟ ବିରୋଧରେ ରାଜ୍ୟ ସରକାର ରିଟ୍ ଅପିଲ ଦାୟର କରିଛନ୍ତି। ମେ ୪ର ଏହି ରାୟକୁ ଏହି ଅପିଲ୍‌ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚାଲେଞ୍ଜ କରାଯାଇଛି। ଏ ନେଇ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମିଳିଛି। ଏହି ରିଟ୍ ଅପିଲ୍‌ର ଦୁଇଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହେବ। ସରକାରଙ୍କ ତରଫରୁ ଦାଖଲ ରିଟ୍ ଅପିଲ୍‌ ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି।

ମାମଲାର ବିବରଣୀରୁ ପ୍ରକାଶ୍ୟ ଯେ, ୨୦ରୁ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡ଼ିକୁ ନିକଟବର୍ତ୍ତୀ ପ୍ରମୁଖ ସ୍କୁଲରେ ମିଶ୍ରଣ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏ ନେଇ ୨୦୨୦ ମାର୍ଚ୍ଚ ୧୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏପରି ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ଶତାଧିକ ମାମଲା ରୁଜୁ ହୋଇଥିଲା। ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ସଂପର୍କିତ ବିଜ୍ଞପ୍ତି ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ଶିଶୁଙ୍କ ଅଧିକାର ଆଇନ, ୨୦୦୯ ଓ ଓଡ଼ିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ, ୨୦୧୦ର ଉଲ୍ଲଂଘନ କରୁଥିବା ଦର୍ଶାଇ ଏହାକୁ ହାଇକୋର୍ଟ ମେ ୪ରେ ରଦ୍ଦ କରିଥିଲେ।

ସମ୍ବନ୍ଧିତ ଖବର