ସ୍ୱଦେଶୀ ଜାଗରଣ ମଞ୍ଚର ରାଜ୍ୟ ସମ୍ମିଳନୀ ଉଦ୍‌ଯାପିତ : ନୂତନ ଶିଳ୍ପନୀତି ଓ କୃଷିନୀତି ପ୍ରଣୟନ କରିବାକୁ ଦାବି

ଭୁବନେଶ୍ୱର : ଦୈନନ୍ଦିନ ଜୀବନରେ ସ୍ୱଦେଶୀ ସାମଗ୍ରୀର ବ୍ୟବହାରକୁ ଗୁରୁତ୍ୱ ଦେବାକୁ କହିଛନ୍ତି ସ୍ବଦେଶୀ ଜାଗରଣ ମଞ୍ଚର ଅଖିଳ ଭାରତୀୟ ସଂଘର୍ଷ ବାହିନୀ ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ। ଆଜି ସ୍ବଦେଶୀ ଜାଗରଣ ମଞ୍ଚ ଓଡ଼ିଶାର ତିନିଦିନିଆ ରାଜ୍ୟ ସମ୍ମିଳନୀ ଉଦ୍‌ଯାପନୀ ଅବସରରେରେ ସେ ଏହି ମତ ପ୍ରକାଶ କରିଛନ୍ତି। ଏହି ଅବସରରେ ଦେଶର ଆର୍ଥିକ ନୀତି ଓ କୃଷି ଆଦି ବିଭିନ୍ନ ବିଷୟରେ ଆଲୋଚନା କରି ମଞ୍ଚ ପକ୍ଷରୁ ଦୁଇଟି ପ୍ରସ୍ତାବ ପାରିତ ହୋଇଛି । ଭାରତ ଏକ କୃଷି ପ୍ରଧାନ ଦେଶ । ହେଲେ ଆମ ଦେଶରେ ନିର୍ଦିଷ୍ଟ କୃଷିନୀତି ନାହିଁ, ସବୁଜ ବିପ୍ଳବ ଦ୍ୱାରା କୃଷି ଓ କୃଷକ କ୍ଷତିଗ୍ରସ୍ତ ହୋଇଛନ୍ତି। ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳିପାରୁ ନାହିଁ। ତେଣୁ କୃଷି ଓ କୃଷକଙ୍କୁ ବିଷମୁକ୍ତ ଓ ଋଣମୁକ୍ତ କରିବା ପାଇଁ ବିଧିବଦ୍ଧ ଭାବରେ କୃଷିନୀତି ପ୍ରଣୟନ କରିବା ପାଇଁ ପ୍ରଥମ ପ୍ରସ୍ତାବରେ ମଞ୍ଚ ଦାବି କରିଛି। ଦ୍ଵିତୀୟ ପ୍ରସ୍ତାବରେ ରାଜ୍ୟରେ ଆର୍ଥିକ ବିକାଶ ପାଇଁ ଖଣିଜ ସମ୍ପଦଗୁଡ଼ିକୁ ଶସ୍ତାରେ ବିକ୍ରୟ ନ କରି ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାକୁ ଗୁରୁତ୍ୱ ଦେଇ ନୂଆ ଶିଳ୍ପନୀତି ପ୍ରଣୟନ କରିବାକୁ ଏବଂ ଚାଉଳଭିତ୍ତିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ମଞ୍ଚ ଦାବି କରିଛି ।

ମଞ୍ଚର ଅଖିଳ ଭାରତୀୟ ସହ ସଂଯୋଜକ ଅରୁଣ ଓଝା, ପ୍ରତିଷ୍ଠାତା ସଦସ୍ୟ ସରୋଜ ମିତ୍ର, ରାଜ୍ୟ ସଂଯୋଜକ ଶତ୍ରୁଘ୍ନ ତରାଇ, ରାଜ୍ୟ ସଂଗଠକ ନିର୍ମଳ ଷଡ଼ଙ୍ଗୀ ପ୍ରମୁଖଙ୍କ ସମେତ ତିନି ଶହରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତା ତିନିଦିନ ଧରି ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ମଞ୍ଚର ରାଜ୍ୟ ସମ୍ମିଳନୀର ଉଦ୍‌ଘାଟକ ଭାବେ ସ୍ୱାମୀ ଶଙ୍କରାନନ୍ଦଜୀ ମହାରାଜ ଯୋଗ ଦେଇଥିଲେ। ଉଦଯାପନୀ ସମାରୋହରେ ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସଭାପତି ସୁଧାକର ପଣ୍ଡା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ରାଉତରାୟ, ବିଜୟ ରାଉତରାୟ ଓ ପ୍ରଶାନ୍ତ ଭୂୟାଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର