ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନ ଉଗ୍ର ରୂପ ନେଉଛି। ଏ ପରିପ୍ରେକ୍ଷୀରେ ଚାଲିଥିବା ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧର ଦ୍ବିତୀୟ ଦିନରେ ଆଦିତ୍ୟ ଆଲୁମିନିୟମ ଏବଂ ବେଦାନ୍ତକୁ ଜଳ ଯୋଗାଣ ବନ୍ଦ କରି ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମଙ୍ଗଳବାର ସକାଳ ପ୍ରାୟ ୧୦ଟାରେ ସମ୍ବଲପୁର ଓକିଲ ସଂଘର କେତେକ କର୍ମକର୍ତ୍ତା ସମ୍ବଲପୁର ପିତାପାଲି ସ୍ଥିତ ଇନ୍ଟେକ ୱେଲ୍ରେ ପହଞ୍ଚି କାରଖାନାକୁ ଯାଇଥିବା ପାଣି ପାଇପ ବନ୍ଦ କରି ଦେଇଥିଲେ। ଅର୍ଥନୈତିକ ଅବରୋଧ ହେଉଥିବାରୁ ଆନ୍ଦୋଳନକାରୀ କାରଖାନାରୁ ଉତ୍ପାଦନ ବନ୍ଦ ଲକ୍ଷ୍ୟରେ ଏହି ପଦକ୍ଷେପ ନେଇଥିବା କହିଛନ୍ତି। ଆସନ୍ତାକାଲି (ବୁଧବାର) ଅନ୍ୟ କାରଖାନାର ଜଳ ଯୋଗାଣ ବି ବନ୍ଦ ପାଇଁ ପଦକ୍ଷେପ ନିଆଯିବ ବୋଲି ଓକିଲ ସଂଘ କହିଛି।
ଅନ୍ୟପକ୍ଷରେ ଆପାତକାଳୀନ ସ୍ଥିତିର ମୁକାବିଲା ପାଇଁ ଜଳ ମହଜୁଦ ରଖାଯାଉଥିବାରୁ ଆଜି ଜଳ ଯୋଗାଣ ବନ୍ଦ ଯୋଗୁଁ କାରଖାନାର ଉତ୍ପାଦନ ବାଧାପ୍ରାପ୍ତ ହୋଇ ନାହିଁ ବୋଲି ବେଦାନ୍ତ ପକ୍ଷରୁ କୁହାଯାଇଛି। କିନ୍ତୁ ଏହା ଜାରି ରହିଲେ ଅପରେସନ ପ୍ରଭାବିତ ହେବ ବୋଲି କଂପାନି ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ହାଇକୋର୍ଟ ବେଞ୍ଚ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ୧୨୬ ଦିନରେ ପହଞ୍ଚିଛି। ଏହା ସତ୍ତ୍ବେ ମଧ୍ୟ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। । ସଂଘ ପକ୍ଷରୁ କୁହାଯାଇଛି, ଏହା ଆରମ୍ଭ ମାତ୍ର। ବେଞ୍ଚ ଦାବି ପୂରଣ ନେଇ ସରକାରଙ୍କ ସ୍ଥାଣୁତା ନହଟିଲେ ଆହୁରି କଡ଼ା ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।