ହାତ ଧରାଧରି ହୋଇ ବୁଡ଼ିଗଲେ ଦୁଇ ଯାଆ

ବେତନଟୀ/ଚିତ୍ରଡ଼ା: ରଜର ଶେଷ ଦିନ ସଭିଏଁ ଆନନ୍ଦ ଉତ୍ସବରେ ମସଗୁଲ ଥିଲେ। ଏହି ସମୟରେ ହଠାତ୍‌ ଦୁଇଜଣ ମହିଳା (ସଂପର୍କୀୟ ଯାଆ)ଙ୍କର ମୃତ୍ୟୁ ଖବର ଆସିଲା। ଆଉ ନିମିଷକ ମଧ୍ୟରେ ଗାଁରେ ଖେଳିଗଲା ବିଷାଦର ଛାୟା। ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଏହି ଦୁଇ ମହିଳାଙ୍କର ଅକାଳ ବିୟୋଗରେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଜୁଆଳିଭଙ୍ଗା ପଞ୍ଚାୟତ ମାକୁନ୍ଦ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ମାକୁନ୍ଦ ଗ୍ରାମର ଭୀମ ହାଁସଦାଙ୍କ ପତ୍ନୀ ସାଲଗେ (୬୫) ଓ ଧାନାୟ ହାଁସଦାଙ୍କ ସ୍ତ୍ରୀ ଯମୁନା (୬୦) ଆଜି ଗାଁରେ ଅନୁଷ୍ଠିତ ସ୍ୱୟଂ ସହାୟିକା ଗୋଷ୍ଠୀ ବୈଠକକୁ ଯାଇଥିଲେ। ମଧ୍ୟାହ୍‌ଣ‌ରେ ବୈଠକରୁ ଫେରିବା ପରେ ସାଲଗେ, ଯମୁନା ଓ ଅନ୍ୟଜଣେ ମହିଳା ଘର ବାଡ଼ି ପଛପଟ ପୋଖରୀରେ ଗାଧୋଇବାବେଳେ ବଡ଼ଯାଆ ସାଲଗେଙ୍କ ଗୋଡ଼ ଖସିଯାଇଥିଲା। ପାଣିରେ ସାଲଗେ ବୁଡ଼ି ଯାଉଥିବା ଦେଖି ସାନଯାଆ ଯମୁନା ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଦୁର୍ଭାଗ୍ୟକୁ ଦୁଇଯାଆ ହାତ ଧରାଧରି ହୋଇ ଗଭୀର ପା‌ଣିରେ ବୁଡ଼ି ଯାଇଥିଲେ। ଘଟଣାସ୍ଥଳରେ ଥିବା ଅନ୍ୟ ମହିଳା ଜଣକ ପାଟି କରିବାରୁ ଗ୍ରାମର ରତିକାନ୍ତ ହାଁସଦା, ଧାନାଏ ହାଁସଦା, ରଘୁନାଥ ମୁର୍ମୁ ସେଠାରେ ପହଞ୍ଚି ଦୁଇ ଯାଆଙ୍କୁ ଉଦ୍ଧାର କରିଥିଲେ। ସଙ୍ଗେସଙ୍ଗେ ସେମାନଙ୍କୁ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାର ଓ ଆତ୍ମୀୟସ୍ବଜନଙ୍କ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ଡାକ୍ତରଖାନା। ମୋରଡ଼ା ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ସାଲଗେଙ୍କର ଦୁଇପୁଅ ଓ ଜଣେ ଝିଅ ଥିବାବେଳେ ଯମୁନାଙ୍କର ଜଣେ ପୁଅ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର