ହେଲମେଟ୍‌ ଯାଞ୍ଚ ବେଳେ କନେଷ୍ଟବଳଙ୍କ ଉପରେ ଚଢ଼ିଗଲା ବାଇକ୍‌

 

ରାୟଗଡ଼ା: ରାୟଗଡ଼ା ଟାଉନ୍‌ ଥାନା ପୁଲିସ୍‌ ପକ୍ଷରୁ ହେଲମେଟ୍‌ ଯାଞ୍ଚ ସମୟରେ ସୋମବାର ଏକ ଅଘଟଣ ଘଟିଛି। ପୁଲିସ୍‌ କବଳରୁ ବର୍ତ୍ତିବା ପାଇଁ ବାଇକ୍‌ ଚାଳକ ଚେଷ୍ଟା କରୁଥିବା ବେଳେ କନେଷ୍ଟବଳ ଦୀପକ କୁମାର ଗେଡଙ୍କ ଉପରେ ବାଇକ୍‌ ଚଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଦୀପକଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିବା ସହ ଭାଙ୍ଗିଥିବା ଜଣା ପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ ଦୀପକଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ସହରର ହୋଟେଲ୍‌ ସାଇ ଇଣ୍ଟର ନ୍ୟାସନାଲ୍‌ ଛକରେ ସକାଳ ୧୦ଟାରେ ହେଲମେଟ୍‌ ଚେକିଂ ଚାଲିଥିଲା। ବିନା ହେଲମେଟରେ ବାଇକ୍‌ ଚଳାଉଥିବା ଆରୋହୀଙ୍କୁ ପୁଲିସ୍‌ ଅଟକାଇ ନୂତନ ମଟରଯାନ ଆଇନ ସଂପର୍କରେ ଅବଗତ କରିବା ସହ ଆବଶ୍ୟକୀୟ ଫାଇନ୍‌ କାଟି ଛାଡ଼ୁଥିଲା। ପୂର୍ବାହ୍ନ ସାଢ଼େ ୧୧ଟାରେ ରାୟଗଡ଼ାର ଏକ ଘରୋଇ ହୋଟେଲରେ ମ୍ୟାନେଜର୍‌ ଭାବେ କାମ କରୁଥିବା ଚିନ୍ମୟ ଲାବଲା ନିଜ ଅଜାଙ୍କ ସହ ବାଇକ ନଂ-ଓଡ଼ି୧୮ସି-୭୭୨୪ ରେ ରାୟଗଡ଼ାରୁ ଜେକେପୁର ଅଭିମୁଖେ ଯାଉଥିଲେ। ବିନା ହେଲମେଟରେ ଚିନ୍ମୟ ଗାଡ଼ି ଚଳାଉଥିବାରୁ ପୁଲିସ୍‌ ଅଟକାଇଥିଲା । ଭୟରେ ଚିନ୍ମୟ ଗାଡ଼ିକୁ ଡାହାଣ ପାର୍ଶ୍ଵକୁ ବୁଲାଇ ପୁଲିସ୍‌ କବଳରୁ ବର୍ତ୍ତିବା ପାଇଁ ମୁଖ୍ୟରାସ୍ତାରୁ କସ୍ତୁରୀ ନଗର ଆଡ଼କୁ ପଳାଇ ଯାଉଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା କନେଷ୍ଟବଳ ଦୀପକ ଚିନ୍ମୟଙ୍କ ବାଇକକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଚିନ୍ମୟ ହଡ଼ବଡେଇ ଯିବାରୁ ବାଇକ କନେଷ୍ଟବଳଙ୍କ ଗୋଡ଼ ଉପରେ ଚଢ଼ି ଯାଇଥିଲା।

ଘଟଣାସ୍ଥଳରେ ଦୀପକ ଗୁରୁତର ଆହତ ହୋଇ ଚିତ୍କାର କରିବା ପରେ ପାଖରେ ଥିବା ଅନ୍ୟ ପୁଲିସ୍‌ ଅଧିକାରୀ ଆସି ଦୀପକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାହାଣ ଗୋଡ଼ ପାଦ ହାଡ଼ ଭାଙ୍ଗିଯିବା ସହିତ ଗୁରୁତର ଆଘାତ ଲାଗିଥିବା ଡାକ୍ତର କହିବା ପରେ ଅଧିକ ଚିକିତ୍ସା ପାଇଁ ଦୀପକଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍‌, ରାୟଗଡ଼ା ଏସଡିପିଓ ତପନ ନାରାୟଣ ରଥ ଓ ଅନ୍ୟ ଅଧିକାରୀ ମେଡ଼ିକାଲରେ ପହଞ୍ଚି ଦୀପକଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଦୁର୍ଘଟଣା ଘଟାଇଥିବା ଚିନ୍ମୟଙ୍କ ସମେତ ପୁଲିସ୍‌ ବାଇକକୁ ଅଟକ ରଖିଛି। କନେଷ୍ଟବଳଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦେବାକୁ ଚିନ୍ମୟଙ୍କ ପରିବାର ରାଜି ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ନଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର