୧୧ରୁ ଖୋଲିବ ସଂସ୍କୃତି ବିଶ୍ବବିଦ୍ୟାଳୟ, ୟୁଜି ୭ମ ଓ ପିଜି ୩ୟ ସେମିଷ୍ଟର୍‌ ପାଠପଢ଼ା

ବିଶ୍ବବିଦ୍ୟାଳୟ ଅଧୀନ ସ୍ନାତକ କଲେଜ ବି ଖୋଲିବ, ବୈଷୟିକ ଶିକ୍ଷାନୁଷ୍ଠାନ ବି ଖୋଲିବ

ଭୁବନେଶ୍ବର : ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ସମେତ ଏହା ଅଧୀନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍ନାତକ କଲେଜଗୁଡ଼ିକ ଜାନୁଆରି ୧୧ରୁ ଖୋଲିବ। ୟୁଜି(ସ୍ନାତକ) ୭ମ ଓ ପିଜି(ସ୍ନାତକୋତ୍ତର) ୩ୟ ସେମିଷ୍ଟର୍‌ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଜାନୁଆରି ୧୧ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ ୧୬ରୁ ୩୧ ମଧ୍ୟରେ ପରୀକ୍ଷା ହେବା ସହ ଏପ୍ରିଲ ୩୦ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ। ସେହିପରି ୟୁଜି ୮ମ ଓ ପିଜି ୪ର୍ଥ ‌ସେମିଷ୍ଟର୍‌ ପାଠପଢ଼ା ଏପ୍ରିଲ ୨ରୁ ଆରମ୍ଭ ହୋଇ ଜୁନ୍‌ ୧୫ ପର୍ଯ୍ୟନ୍ତ ଚାଲିବ। ଜୁନ୍‌ ୧୬ରୁ ୩୦ ତାରିଖ ମଧ୍ୟରେ ପରୀକ୍ଷା ହେବ ଏବଂ ଜୁଲାଇ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

କ୍ଲାସରୁମ୍‌ ପାଠପଢ଼ା ଲାଗି ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ନିର୍ଦେଶାବଳୀ ଜାରି ହୋଇଛି। ଅନ୍‌ଲାଇନ୍‌ରେ ପାଠପଢ଼ା ହୋଇଥିଲେ ମଧ୍ୟ ପାଠ୍ୟକ୍ରମର ସମସ୍ତ ବିଷୟକୁ ଆଉ ଥରେ କ୍ଲାସରୁମ୍‌‌‌ରେ ପଢ଼ାଯିବ। ଯେତେଦୂର ସମ୍ଭବ, କ୍ଲାସରୁମ୍‌ ପାଠପଢ଼ାର ରେକର୍ଡିଂ କରାଯାଇ ତାହାକୁ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି। ୟୁଜି, ପିଜି ଛାତ୍ରଛାତ୍ରୀଙ୍କ ସମେତ ପିଏଚ୍‌ଡି, ଏମ୍‌. ଫିଲ୍‌, ରିସର୍ଚ୍ଚ ସ୍କଲାରଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଜାନୁଆରି ୧୧ରୁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପାଠପଢ଼ା ହେବାକୁ ଥିବାରୁ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଜା‌ନୁଆରି ୧୦ରୁ କୋଭିଡ୍‌ ଗାଇଡ୍‌ଲାଇନ ଅନୁସାରେ ହଷ୍ଟେଲ ଖୋଲିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି।

ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଫେସ୍‌ ମାସ୍କ/ଫେସ୍‌ କଭର ବାଧ୍ୟତାମୂଳକ କରାଯାଇଛି। ନିୟମିତ ଭାବେ ହ୍ୟାଣ୍ଡୱାସ୍‌/ହ୍ୟାଣ୍ଡ ସାନିଟାଇଜର୍‌ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। କ୍ଲାସରୁମ୍‌, ଲାଇବ୍ରେରି, ଲାବରୋଟାରି ଆଦି ସ୍ଥାନରେ ୬ ଫୁଟ୍‌ ସାମାଜିକ ଦୂରତା ରକ୍ଷା, ଯଦି ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ରୁହନ୍ତି, ତେବେ ବ୍ୟାଚ୍‌ ଅନୁଯାୟୀ ବିଭକ୍ତ କରିବାକୁ କୁହାଯାଇଛି।

କ୍ୟାମ୍ପସ୍‌ରେ ଛେପ ପକାଇବା ଉପରେ କଟକଣା ଲାଗୁ ହୋଇଛି। କାଶ, ଛିଙ୍କ ସମୟରେ ପାଟି ଓ ନାକ ଯେପରି ରୁମାଲ ଦ୍ବାରା ଆବଦ୍ଧ ରୁହେ, ସେଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି। ସ୍ବାସ୍ଥ୍ୟ ଖରାପ ଥିଲେ କିମ୍ବା ଅସୁସ୍ଥ ଅନୁଭବ କରୁଥିଲେ, ନିଜକୁ ଅନ୍ୟମାନଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଗତ ଜୁନ୍‌ ୧୯ ତାରିଖରେ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ, ୨୫% ସିଲାବସ୍‌ ଛାତ୍ରଛାତ୍ରୀ ସେଲ୍ଫ ଷ୍ଟଡି ମାଧ୍ୟମରେ କଭର୍‌ କରିବେ। ପରୀକ୍ଷା ସମୟ, ରବିବାର, ଜାନୁଆରି ୨୬(ସାଧାରଣତନ୍ତ୍ର ଦିବସ), ଫେବ୍ରୁ୍ଆରି ୧୬(ସରସ୍ବତୀ ପୂଜା), ଏପ୍ରିଲ ୧(ଉତ୍କଳ ଦିବସ) ବ୍ୟତୀତ ଅନ୍ୟ ଦିନଗୁଡ଼ିକରେ କ୍ଲାସରୁମ୍‌ ପାଠପଢ଼ା ହେବ। ପୂର୍ବରୁ ଜାରି ହୋଇଥିବା ଛୁଟି ତାଲିକା ବାତିଲ୍‌ ହେବ। ୟୁଜି/ପିଜି ବ୍ୟତୀତ ଜାନୁଆରି ୧୧ରୁ ପିଏଚ୍‌ଡି, ଏମ୍‌.ଫିଲ୍‌ ଓ ରିସର୍ଚ୍ଚ ସ୍କଲାରଙ୍କ କ୍ଲାସରୁମ୍‌ ପାଠପଢ଼ା ହେବ ବୋଲି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି।

୧୧ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
ଭୁବନେଶ୍ବର : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବୈଷୟିକ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ ଓ ପ୍ରଫେସନାଲ କଲେଜ, ଡିପ୍ଲୋମା/ପୋଷ୍ଟ ଡିପ୍ଲୋମା ଶିକ୍ଷାନୁଷ୍ଠାନଗୁଡ଼ିକ ଜାନୁଆରି ୧୧ରେ ଖୋଲିବ। ପିଜି, ୟୁଜି, ଡିପ୍ଲୋମା, ପୋଷ୍ଟ ଡିପ୍ଲୋମା ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବା ନେଇ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନି‌ର୍ଦେଶାବଳୀ ଜାରି ହୋଇଛି। ନିୟମିତ ଭାବେ ପାଠପଢ଼ା ଅନୁଷ୍ଠିତ ହେବ। ଯେତେଦୂର ସମ୍ଭବ, କ୍ଲାସରୁମ୍‌ ପାଠପଢ଼ାର ରେକର୍ଡିଂ କରାଯାଇ ତାହାକୁ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି।

ପିଜି, ୟୁଜି, ଡିପ୍ଲୋମା, ପୋଷ୍ଟ ଡିପ୍ଲୋମା ଶେଷବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ୧୦ ତାରିଖରୁ ହଷ୍ଟେଲ ଖୋଲିବ। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ରହୁଥିବା ଶିକ୍ଷକ/କର୍ମଚାରୀ/ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ଓ କଲେଜକୁ ଆସିବେ ନାହିଁ। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଫେସ୍‌ ମାସ୍କ/ଫେସ୍‌ କଭର ବାଧ୍ୟତାମୂଳକ କରାଯାଇଛି। ନିୟମିତ ଭାବେ ହ୍ୟାଣ୍ଡୱାସ୍‌/ହ୍ୟାଣ୍ଡ ସାନିଟାଇଜର୍‌ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। କ୍ଲାସରୁମ୍‌, ଲାଇବ୍ରେରି, ଲାବରୋଟାରି ଆଦି ସ୍ଥାନରେ ୬ ଫୁଟ୍‌ ସାମାଜିକ ଦୂରତା ରକ୍ଷା, ଯଦି ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ରୁହନ୍ତି, ତେବେ ବ୍ୟାଚ୍‌ ଅନୁଯାୟୀ ବିଭକ୍ତ କରିବାକୁ କୁହାଯାଇଛି। ପରୀକ୍ଷା ଦିନ, ରବିବାର, ଜାନୁଆରି ୨୬(ସାଧାରଣତନ୍ତ୍ର ଦିବସ), ଫେବ୍ରୁ୍ଆରି ୧୬(ସରସ୍ବତୀ ପୂଜା), ଏପ୍ରିଲ ୧(ଉତ୍କଳ ଦିବସ) ବ୍ୟତୀତ ଅନ୍ୟ ସମସ୍ତ ଦିନରେ କ୍ଲାସରୁମ୍‌ ପାଠପଢ଼ା ହେବ। ୨୦୨୦-୨୧ ଶେଷ ବର୍ଷ ୟୁଜି/ପିଜି ପାଠ୍ୟକ୍ରମ ବ୍ୟତୀତ ଶିକ୍ଷକ ଓ ଗବେଷଣା ସମ୍ପର୍କିତ କାର୍ଯ୍ୟକ୍ରମ ୧୧ ତାରିଖରୁ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର