ଇଞ୍ଜେକ୍‌ସନ୍‌ ନେବାପରେ ଥରିଲେ ୧୪ ରୋଗୀ

ପୁରୀ : ଶନିବାର ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଷ ଭେଷଜ ୱାର୍ଡରେ ଏକ ଅଭାବନୀୟ ଘଟଣା ଘଟିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ପୁରୁଷ ଭେଷଜ ୱାର୍ଡରେ ଥିବା ପ୍ରାୟ ୧୪ ଜଣଙ୍କୁ ସେପ୍ଟ୍ରିଆକ୍ସନ ସୋଡିୟମ୍‌(ସିଏସ୍‌) ଇଞ୍ଜେକ୍‌ସନ୍‌ ଦିଆଯାଇଥିଲା। ତେବେ ଏହି ଇଞ୍ଜେକ୍‌ସନ୍‌ଟି କିଛି ସମୟ ପରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଇବା ଆରମ୍ଭ କରିଥିଲା। ଏହି ୧୪ ଜଣ ରୋଗୀ ଥରିବାରେ ଲାଗିଥିଲେ। ତେଣୁ ହଠାତ୍‌ ଏହା ଦେଖି ରୋଗୀମାନଙ୍କର ସମ୍ପର୍କିୟମାନେ ଆତଙ୍କିତ ହୋଇଯାଇଥିଲେ।

ଖବର ପାଇ ସଙ୍ଗେ ସଙ୍ଗେ ଡାକ୍ତର ଅଶୋକ ପରିଡ଼ା ଏବଂ ଡାକ୍ତର ଶାନ୍ତନୁ ଜେନା ୱାର୍ଡରେ ପହଞ୍ଚି ପରବର୍ତ୍ତୀ ପର୍ଯ୍ୟାୟର ଚିକିତ୍ସା ସେବା ଆରମ୍ଭ କରିଦେଇଥିଲେ। କିଛି ସମୟ ପରେ ଚିକିତ୍ସା ସେବା ପାଇବା ପରେ ରୋଗୀମାନେ ସାଧାରଣ ଅବସ୍ଥାକୁ ଫେରିଥିଲେ। ଏନେଇ ଏଡିଏମ୍‌ଓ ଡା. ପ୍ରଣବଶଙ୍କର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ କେଉଁ କାରଣରୁ ଏହା ପାର୍ଶ୍ବ ପ୍ରତିକ୍ରିୟା ଦେଖାଇଲା, ସେନେଇ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି। ସେହିପରି ଏହାର ନମୁନାକୁ ଡ୍ରଗ୍‌ ଇନ୍‌ସ୍ପେକ୍ଟରଙ୍କୁ ପରୀକ୍ଷା କରି ଟିପ୍ପଣୀ ଦେବାକୁ ପରାମର୍ଶ ଦିଆଯାଇଛି। ଏ ସମସ୍ତ ରିପୋର୍ଟ ଆସିବା ପ‌ରେ ପ୍ରକୃତରେ କେଉଁ କାରଣରୁ ଏହା ରୋଗୀମାନଙ୍କ ପାଖରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇଥିଲା, ତାହା ଜଣାପଡ଼ିବ ବୋଲି ଡା. ଦାସ କହିଛନ୍ତି।

ସମ୍ବନ୍ଧିତ ଖବର