୫ ଦଫା ଦାବି ନେଇ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଅର୍ଥନୈତିକ ଅବରୋଧ ଓ ବିକ୍ଷୋଭ ପ୍ରଦର୍ଶନ

ତାଳଚେର: ୫ ଦଫା ଦାବି ନେଇ ଆଜି ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ତାଳଚେରରେ ଅର୍ଥନୈତିକ ଅବରୋଧ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହି ଅର୍ଥନୈତିକ ଅବରୋଧ ଯୋଗୁଁ ତାଳଚେରରେ ଏମସିଏଲ କୋଇଲାଖଣିରେ ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହେବାସହ ଏନଟିପିସି ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଶିଳ୍ପାନୁଷ୍ଠାନଗୁଡ଼ିକରେ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
ନବନିର୍ମିତ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ନାମ ଲେଖା ଆରମ୍ଭ କରାଯିବା, ଧୂଳିଧୂଆଁ ପ୍ରଦୂଷଣକୁ କମ୍ କରାଯିବା, ୱାଗନରେ ପାଲ ଘୋଡ଼ାଯାଇ କୋଇଲା ପରିବହନ କରାଯିବା, ତାଳଚେର ରେଳଷ୍ଟେସନ ଠାରୁ ଅନୁଗୁଳ ରେଳଷ୍ଟେସନକୁ ସଂଯୋଗ କରୁଥିବା ଲୁପ ରେଳଲାଇନକୁ ସମ୍ପୂର୍ଣ୍ଣ କରାଯିବା, ତାଳଚେର-ପୁରୀ ପାସେଞ୍ଜରକୁ କଣିହାଁ ବ୍ଲକକୁ ସମ୍ପ୍ରସାରଣ କରାଯିବା, ପୁରୁଣା ଏନଟିପିସି ଥର୍ମାଲ ପ୍ଲାଣ୍ଟକୁ ବନ୍ଦ ନକରି ନୂତନ ପ୍ଲାଣ୍ଟ ନିର୍ମାଣ କରାଯିବା ଆଦି ଦାବିନେଇ ଏହି ଅର୍ଥନୈତିକ ଅବରୋଧ କରାଯାଉଛି।
ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ସେ ପଟେ ଏହି ଅର୍ଥନୈତିକ ଅବରୋଧକୁ ତାଳଚେର ଥର୍ମାଲ “ଶ୍ରମିକ ଏକତା ମଞ୍ଚ ” ସଂପୂର୍ଣ୍ଣ ସମର୍ଥନ କରି ତାଳଚେର ଥର୍ମାଲ ଗେଟ ସମ୍ମୁଖରେ ଧାରଣା ଜାରି ରଖିଛି। ତେବେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୁଲିସ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ।

 

ସମ୍ବନ୍ଧିତ ଖବର