୬ ବର୍ଷ ବାଳକର ଜୀବନ ବଞ୍ଚାଇଥିବା ପିଲାଙ୍କୁ ସମ୍ବର୍ଦ୍ଧନା: ତସିଫ, ସୋୟବଙ୍କ ସାହସିକତାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଯାଜପୁର ସଡ଼କପୁର ପ୍ରାଇମେରୀ ସ୍କୁଲରେ ପଢ଼ୁଥିବା ୬ ବର୍ଷର କୁନି ବାଳକ ଅବୁଲ ରୁମାନ୍ ଖାଁଙ୍କ ଜୀବନ ବଞ୍ଚାଇଥିବା ଦୁଇ ସାହସୀ ବାଳକ ଶେଖ ତସିଫ ରାଜା ଓ ମହମ୍ମଦ ସୋୟବଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ସେମାନଙ୍କର ଉଚ୍ଚ ପ୍ରଶଂସା କରିବା ସହିତ କୁନି ବାଳକ ଅବୁଲଙ୍କୁ ମୁଖ୍ୟମନ୍ତ୍ରୀ ପାଠ୍ୟ ଉପକରଣ ଓ ଚକଲେଟ ପ୍ରଦାନ କରିଛନ୍ତି। ଗତ ୨ ତାରିଖ ଦିନ ଯାଜପୁର ସଡ଼କପୁର ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା କୁନି ବାଳକ ଅବୁଲ ସ୍କୁଲରୁ ଫେରୁଥିବା ବେଳେ ରାସ୍ତାକଡ଼ରେ ଥିବା ଗୋଟିଏ ପୋଖରୀରେ ଖସି ପଡ଼ି ବୁଡ଼ି ଯାଉଥିଲା। ଏହି ସମୟରେ ପଞ୍ଜଲପୁର ଗାଁର କୋରେଇ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଦୁଇ ଜଣ ବାଳକ ତସିଫ ଓ ସୋୟବ ଅବୁଲକୁ ଦେଖି ନିଜ ଜୀବନକୁ ଖାତିିର ନ କରି ପାଣିକୁ ଡେଇଁପଡ଼ି ତାକୁ ଉଦ୍ଧାର କରିଥିଲେ। ସେମାନଙ୍କ ସାହସିକତା ଯୋଗୁଁ ଅବୁଲର ଜୀବନ ରକ୍ଷା ପାଇ ଯାଇଥିଲା। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୩ ଜଣ ବାଳକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତସିଫ୍ ଓ ସୋୟବଙ୍କୁ ଡିକ୍ସନାରି, ବ୍ୟାକରଣ ପୁସ୍ତକ ସମେତ ଅନ୍ୟାନ୍ୟ ପାଠ୍ୟ ଉପକରଣ ଓ ଚକଲେଟ୍ ମୁଖ୍ୟମନ୍ତ୍ରୀ ଉପହାର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, କୋରେଇ ବିଧାୟକ ଅଶୋକ ବଳ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍. ବାଳକ୍ରିଷ୍ଣନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀଗଣ, ୩ ବାଳକଙ୍କ ପରିବାରବର୍ଗ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର