ବୁଡ଼ିଯାଉଛି ବୈରାଗୀନଗର: ୱାର୍ଡ ନଂ୩୦, ରାସ୍ତା ଓ ଟ୍ରାଫିକ୍ ମୁଖ୍ୟ ପ୍ରସଙ୍ଗ

ଭୁବନେଶ୍ବର: ରାଜଧାନୀର ଅନ୍ୟତମ ପ୍ରମୁଖ ଅଞ୍ଚଳ ହେଉଛି ସହିଦନଗର। ବଡ଼ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ଓ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ପାଇଁ ଏହି ଅଞ୍ଚଳ ବେଶ୍‌ ଜଣାଶୁଣା। ବିଏମ୍‌ସିର ୩୦ ନମ୍ବର ୱାର୍ଡ‌ ଅନ୍ତର୍ଗତ ଏହି ଅଞ୍ଚଳର କେତେକ ମୌଳିକ ସମସ୍ୟା ପାଇଁ ଏଠାରେ ପ୍ରବଳ ଅସନ୍ତୋଷ ରହିଛି। ଖାଲଖମାରେ ଭର୍ତ୍ତି ରାସ୍ତାଘାଟ, ରାସ୍ତାକଡ଼ରେ ଜବରଦଖଲ ଯୋଗୁ ଟ୍ରାଫିକ୍‌ ସମସ୍ୟା, ଡ୍ରେନ୍ ସମସ୍ୟା ଓ ଉନ୍ନତ ସ୍ବାସ୍ଥ୍ୟସେବାର ଅଭାବକୁ ନେଇ ଏଥର ବାସିନ୍ଦାମାନେ ଆଗାମୀ ପୌର ନିର୍ବାଚନରେ ନେତାଙ୍କୁ ଘେରିବେ ବୋଲି ଜଣାପଡ଼ିଛି।

ଏହି ଅଞ୍ଚଳର କଦର୍ଯ୍ୟ ରାସ୍ତା, ଅସଜଡ଼ା ଆଲୋକୀକରଣ ବ୍ୟବସ୍ଥା, ଅବ୍ୟବସ୍ଥିତ ଡ୍ରେନ୍, ପରିମଳ ବ୍ୟବସ୍ଥା ଓ ଧାର୍ଯ୍ୟ ତାରିଖରେ ଭତ୍ତା ବଣ୍ଟନ ହେଉ ନଥିବା ଭଳି ବିଧି ସବୁ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଞ୍ଚଳରେ ଏକ କମ୍ୟୁନିଟି ସେଣ୍ଟର ଆବଶ୍ୟକ ଥିଲେ ମଧ୍ୟ ବର୍ଷ ବର୍ଷ ଧରି ଏହା କେବଳ ପ୍ରତିଶ୍ରୁତିରେ ରହିଯାଇଛି। ବରିଷ୍ଠ ନାଗରିକ ନିଶାକର ରାଉତ ଅଭିଯୋଗ କରିଛନ୍ତି କି ଏଠାରେ ଖେଳପଡ଼ିଆ ନଥିବାରୁ ସ୍ଥାନୀୟ ଯୁବକମାନେ ଆଉଟ୍‌ଡୋର୍‌ କ୍ରୀଡ଼ା ପାଇଁ ବାରଦୁଆର ହେଉଛନ୍ତି। ସେହିଭଳି ଏଠାରେ ଥିବା ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ନିଯୁକ୍ତି କରାଯାଉ ନଥିବାରୁ ସ୍ବାସ୍ଥ୍ୟସେବାରୁ ଲୋକମାନେ ବଞ୍ଚିତ ହେଉଛନ୍ତି। ୨୪ଘଣ୍ଟିଆ ସ୍ବାସ୍ଥ୍ୟସେବା ମିଳୁ ନଥିବାରୁ ଲୋକମାନେ ବାଧ୍ୟ ହୋଇ ଘରୋଇ ହସ୍‌ପିଟାଲ୍‌ରେ ଖର୍ଚ୍ଚାନ୍ତ ହେଉଛନ୍ତି। ବାଣୀବିହାର ଷ୍ଟେସନ ନିକଟସ୍ଥ ବସ୍ତିବାସିନ୍ଦାଙ୍କୁ ଆବାସ ଯୋଜନାରେ ସ୍ଥାୟୀ ବାସଗୃହ ଦେବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ବର୍ଷ ବର୍ଷ ଧରି ଏହା ହୋଇପାରୁନାହିଁ।

ବଡ଼ କଥା ହେଉଛି ଘର ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ସାମଗ୍ରୀ ରଖିବା ପାଇଁ ଏକ ଷ୍ଟକ୍‌ୟାର୍ଡର ଆବଶ୍ୟକତା ରହିଛି। ତାହା ମଧ୍ୟ ହୋଇପାରୁନାହିଁ। ମାଗଣାରେ ୨ଚକିଆ ଯାନ ପାର୍କିଂ ବ୍ୟବସ୍ଥା କରିବା ନେଇ ପୂର୍ବରୁ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ। ଆଇଡିବିଆଇ ଛକରୁ ମହର୍ଷି କଲେଜ୍‌ ପର୍ଯ୍ୟନ୍ତ ପ୍ରମୁଖ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇରହିଛି। କେବଳ ଏହି ରାସ୍ତା ନହେଁ, ବରଂ ବିଭିନ୍ନ ପ୍ରମୁଖ ରାସ୍ତା‌ରେ ବିଭିନ୍ନ ପ୍ରକଳ୍ପ ପାଇଁ ନିୟମିତ ଖୋଳାଖୋଳି ଚାଲିଥିବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ସେହିଭଳି ବ୍ୟବସାୟୀଙ୍କୁ ବିଏମ୍‌ସି ମଲ୍‌ରେ ଦୋକାନ ଘର ଆବଣ୍ଟନକୁ ନେଇ ମଧ୍ୟ ଅସନ୍ତୋଷ ରହିଛି।

୨୦୦୯ ନିର୍ବାଚନରେ ଏହି ୱାର୍ଡର କର୍ପୋରେଟର୍‌ ଆସନ ଅଣସଂରକ୍ଷିତ ଥିଲା। ଉମାନାଥ ମିଶ୍ର ବିଜେଡିରୁ କର୍ପୋରେଟର୍ ହୋଇଥିଲେ। ୨୦୧୪ରେ ଏହି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହେବା ପରେ ତାଙ୍କ ପତ୍ନୀ ଶାଶ୍ବତୀ ମିଶ୍ର କର୍ପୋରେଟର୍‌ ହୋଇଥିଲେ। ଏବେ ଏହି ଆସନ ପୁଣି ଥରେ ଅଣସଂରକ୍ଷିତ ରହିଛି। ଉମାନାଥ ଦାବିଦାର ଥିଲେ ମଧ୍ୟ ବିଜେଡିରେ ମଧ୍ୟ ଏକାଧିକ ଦାବିଦାର ଥିବା ଚର୍ଚ୍ଚା ହେଉଛି।

ପୂର୍ବତନ କର୍ପୋରେଟର ଶ୍ରୀମତୀ ମିଶ୍ର କହିଛନ୍ତି, ପୂର୍ବରୁ ଯାହା ସବୁ ସମସ୍ୟା ଥିଲା ପ୍ରାୟ ସମାଧାନ କରାଯାଇଛି। ସମସ୍ତ ପାର୍କକୁ ନବୀକରଣ କରାଯାଇଛି, ପବ୍ଲିକ୍ ଲାଇବ୍ରେରି, ଲାଇଟ୍‌ ବ୍ୟବସ୍ଥା, ମହିଳା ପାଇଁ ଦକ୍ଷତା ବିକାଶ କକ୍ଷ ପ୍ରଭୃତି ନିର୍ମାଣ କରାଯାଇଛି। ତେବେ ବର୍ତ୍ତମାନ ରହିଥିବା ସମସ୍ୟା ମଧ୍ୟରେ ବିଭିନ୍ନ ପ୍ରକଳ୍ପ ପାଇଁ ରାସ୍ତା ଖୋଳାଯାଇଛି। ଯାହା ସମସ୍ୟା ହୋଇ ରହିଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଥିବା କଥାକୁ ମଧ୍ୟ ସେ ସ୍ବୀକାର କରିଛନ୍ତି। ଏସବୁର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର