ରଥଯାତ୍ରାରେ ମେଘୁଆ ପାଗ, କାଁ ଭାଁ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ

ଭୁବନେଶ୍ବର : ଜୁନ୍‌ ୨୩ ତଥା ରଥଯାତ୍ରା ଦିନ ପୁରୀ ଓ ଭୁବନେଶ୍ବରରେ ମେଘୁଆ ପାଗ ରହିବ। କାଁ ଭାଁ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବସଙ୍କ ସୂଚନା ଅନୁଯାୟୀ ମୌସୁମୀ ସମୟ ତଥା ଜୁନ୍‌ ପହିଲାରୁ ୧୭ ସୁଦ୍ଧା ସ୍ବାଭାବିକ ଭାବେ ୯୩.୨ ମିମି ବର୍ଷା ହେବା କଥା। ତେବେ ଆଜି ସୁଦ୍ଧା ୧୨୫.୪ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ବାଭାବିକ ଠାରୁ ୩୫ ପ୍ରତିଶତ ଅଧିକ। ରାଜ୍ୟର ୮ଟି ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ପରିମାଣର ବର୍ଷା ହୋଇଥିବା ବେଳେ ୧୦ଟି ଜିଲ୍ଲାରେ ୨୦ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ ହୋଇଛି। ମୋଟ ଉପରେ ୨୬ ଜିଲ୍ଲାରେ ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହୋଇଛି। ୪ଟି ଜିଲ୍ଲାରେ ସ୍ବାଭାବିକ ଠାରୁ କମ୍‌ ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ କୋରାପୁଟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୯ ତାରିଖଠାରୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ରେ ପ୍ରବଳ ବର୍ଷା ହୋଇଛି। ଉପକୂଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ରାଜ୍ୟରେ ପର୍ଯ୍ୟାୟକ୍ରମେ ପ୍ରାରମ୍ଭିକ ମୌସୁମୀ ବର୍ଷା ହୋଇଛି। ଉପକୂଳରେ ଅପେକ୍ଷାକୃତ କମ୍‌ ବର୍ଷା ଅଛି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାକୁ ଥିଲେ ମଧ୍ୟ ଉପକୂଳରେ ସ୍ବାଭାବିକଠାରୁ କମ୍ ବର୍ଷା ହେବ। ଆଜି ପୂର୍ବ ଉତ୍ତର ପ୍ରଦେଶ ଓ ବିହାର ଉପରେ ଏକ ଘୂଣ୍ଣିବଳୟ ରହିଥିଲା। ତେବେ ଆକଳନ କରାଯାଉଛି ଯେ ୨୦ ତାରିଖରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ତାହା କ୍ରମଶଃ ସ୍ଥାନ ପରିବର୍ତନ କରି ୨୧ ତାରିଖରେ ଝାଡ଼ଖଣ୍ଡ ଓ ଓଡ଼ିଶା, ୨୨ ତାରିଖରେ ଛତିଶଗଡ଼ ଓ ଓଡ଼ିଶା ଉପରେ ରହିବ। ଫଳରେ ୨୦ ଓ ୨୧ ତାରିଖରେ ଉତ୍ତର ପଶ୍ଚିମ ଓଡ଼ିଶା, ୨୧ ଓ ୨୨ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୨ ତାରିଖରେ ଗଞ୍ଜାମ, ନୟାଗଡ଼, ପୁରୀ ଖୋର୍ଧା, କଟକରେ ମଧ୍ୟମଧରଣର ବର୍ଷା ହେବ। ରଥଯାତ୍ରା ଦିନ ପୁରୀ ଓ ଭୁବନେଶ୍ବରରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ଅଛି। ଆସନ୍ତା ୨୪ ତାରିଖ ଭିତରେ ଗଞ୍ଜାମରୁ ବାଲେଶ୍ବର ପର୍ଯ୍ୟନ୍ତ ଉପକୂଳ ଓ ସଂଲଗ୍ନ ୧୦ଟି ଜିଲ୍ଲା ସମେତ ଢେଙ୍କାନାଳ, କନ୍ଧମାଳରେ ସ୍ବାଭାବିକ୍‌ଠାରୁ ୩୦ରୁ ୪୦ ପ୍ରତିଶତ କମ୍‌ ବର୍ଷା ହୋଇପାରେ। ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କଳାହାଣ୍ଡି‌ରେ ସ୍ବାଭାବିକଠାରୁ ୩୦ ପ୍ରତିଶତ ଅଧିକ ବର୍ଷା ହେବ। ବାକି ଅଞ୍ଚଳରେ ସ୍ବାଭାବିକ ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର