ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୯.୮୫ ଫୁଟ୍ ରହିଛି। ରୁଲ୍ କର୍ଭ ଅନୁସାରେ ସେପ୍‌ଟେମ୍ବର ୩୦ କିମ୍ବା ଅକ୍ଟୋବର ୧ ତାରିଖରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଏହାର ଶୀର୍ଷ ସ୍ତରରେ ରଖାଯାଇଥାଏ। ଚଳିତ ବର୍ଷ ଏହା ଆଗରୁ ପହଞ୍ଚିଯିବ। ଭରିବାକୁ ଆଉ ମାତ୍ର ୦.୧୫ ଫୁଟ୍ ବାକି ଥିବା ବେଳେ ଜଳ ପ୍ରବେଶ ହାରକୁ ଦୃଷ୍ଟିରେ ରଖି ପୂର୍ବରୁ ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଥିବା ବେଳେ ଆଜି ଅପରାହ୍‌ଣରେ ପୁଣି ୫ଟି ଅଧିକ ଗେଟ୍ ଖୋଲାଯାଇଛି। ହୀରାକୁଦ ଜଳଭଣ୍ଡାରକୁ ୧,୬୭,୬୭୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧,୫୪,୯୬୮ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି।

Advertisment

ସେଥିରୁ ସ୍ଲୁଇସ୍ ଗେଟ୍ ଦେଇ ୧,୧୪,୯୮୯ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୫,୯୪୨ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଛି। ଜଳସେଚନ ନିମନ୍ତେ କେନାଲଗୁଡ଼ିକରେ ୩,୧୫୫ କ୍ୟୁସେକ୍ ଓ ଶିଳ୍ପାନୁଷ୍ଠାନକୁ ୨୫୭ କ୍ୟୁସେକ୍ ଓ ମେଗା ଉଠଜଳସେଚନ ପ୍ରକଳ୍ପ ପାଇଁ ୨୩ କ୍ୟୁସେକ୍ ପାଣି ଯୋଗାଇ ଦିଆଯାଉଛି। ମୁଖ୍ୟଯନ୍ତ୍ରୀ ତଥା ଉପର ମହାନଦୀ ଅବବାହିକା ପରିଚାଳକ ଇଂ. ଆନନ୍ଦ ସାହୁ କହିଛନ୍ତି ଯେ, ଆସନ୍ତାକାଲି ୧୧ଟା ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୩୦ ଫୁଟ୍‌ରେ ପହଞ୍ଚିଯିବ। ତେବେ, ଆସନ୍ତା ୧ ଓ ୨ ତାରିଖ ଆଡ଼କୁ ଉପର ମୁଣ୍ଡରେ ବର୍ଷା ସମ୍ଭାବନା ରହିଛି। ତେଣୁ, ସ୍ଥିତି ଦେଖି ଅଧିକ ଗେଟ୍‌ ଖୋଲାଯିବା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ଇଂ. ସାହୁ କହିଛନ୍ତି।