ବଲେରୋ-ଟ୍ରକ୍‌ ମୁହାଁମୁହିଁ : ବାପା, ମା’, ପୁଅ, ଝିଅ ସମେତ ୧୦ ମୃତ

ନୂଆପଡ଼ା : ନୂଆପଡ଼ା ସହର ଠାରୁ ମାତ୍ର ୨ କିମି ଜାତୀୟ ରାଜପଥ ୩୫୩ ପାଖରେ ଏକ ସଡ଼କ ଦୁର୍ଘଟଣାରେ ୪ ମହିଳା ସମେତ ୧୦ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ଗୋଟିଏ ପରିବାରର ୪ ଜଣ। ଏମାନେ ସମସ୍ତେ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ସାଁକରା, ବଲଡିଡିହି, ଅନସୋଲା ଗ୍ରାମର। ନୂଆପଡ଼ା ଜିଲ୍ଲା କୋମନାସ୍ଥିତ ସଦନ ତିୱାରୀଙ୍କ ଘ‌େର ଥିବା ବୈ‌େଷ୍ଣା ଦେବୀ ମନ୍ଦିରକୁ ମଙ୍ଗଳବାର ସେମାନେ ଏକ ବ‌େଲରୋ (ନଂ ସିଜି ୦୬ ଏଲ୍ ୦୪୪୭)ରେ ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ଶହ ଭଜନ କୀର୍ତ୍ତନ କରି ରାତିରେ ଫେରୁଥିଲେ। ରାତି ପ୍ରାୟ ୧.୩୦ରୁ ୨ଟା ମଧ୍ୟରେ ନୂଆପଡ଼ା ସିଲଦା ନାଳା ନିକଟରେ ଏକ ଟ୍ରକ୍ (ନ˚ ସିଜି ୦୪ ଏମଏ ୭୩୦୦) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ନୂଆପଡ଼ା ପୁଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତା‌େର ଉଦ୍ଧାର କରିଥିଲା। ହାଇଡ୍ରୋଲିକ କଟର୍ ସାହାଯ୍ୟରେ ବଲେରୋ ଗାଡ଼ିର ବିଭିନ୍ନ ଅଂଶକୁ କାଟି ମୃତଦେହ ବାହାର କରାଯାଇଥିଲା। ମୃତକମାନେ ହେଲେ ବଲଡିଡିହି ଗ୍ରାମର ଗୋଟିଏ ପରିବାରର ଦୀନେଶ ଦଣ୍ତସେନା (୫୫), ତାଙ୍କ ସ୍ତ୍ରୀ ଚାନ୍ଦନୀ ଦଣ୍ତସେନା (୪୫), ଝିଅ ଭାରତୀ ଦଣ୍ତସେନା (୧୭), ପୁଅ ଧନଞ୍ଜୟ ଦଣ୍ତସେନା(୧୫), ମେଘନାଦ ନିଷାଦ(୪୨), ସାଁକରା ଗ୍ରାମର ଧର୍ମେନ୍ଦ୍ର ନେତାମ (୨୫), ଡିଲେଶ୍ବରୀ ନେତାମ(୨୫), ମୀନା ପାରେଶ୍ବର (୧୨), ସୁରଜିତ ସିଂ ଛାବଡା(୪୫), ବଲେରୋ ଚାଳକ ଅନସୁଲ ଗ୍ରାମର ମୁକେଶ ଅଗ୍ରୱାଲ(୩୨)। ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ।

ଘଟଣା ପରେ ଟ୍ରକ ଚାଳକ ଫେରାର ଥିବା ପୁଲିସ କହିଛି। ନୂଆପଡ଼ା ଜିଲ୍ଲା ସଦର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଖବର ପାଇ ସ୍ଥାନୀୟ ବିଧାୟକ ବସନ୍ତ ପଣ୍ତା, ଜିଲ୍ଲା ଓକିଲ ସ˚ଘ ସଭାପତି ପ୍ରସନ୍ନ ପାଢ଼ୀ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ମୃତକଙ୍କ ପରିବାର ଓ ସମ୍ପର୍କୀୟଙ୍କ ସମବେଦନା ଜଣାଇଥିଲେ।

ସମ୍ବନ୍ଧିତ ଖବର