ଘଟଗାଁ: ପ୍ରଥମେ ଋଣ ସମ୍ପର୍କିତ ବିଜ୍ଞାପନ କାଗଜ କୁକୁଡ଼ା ଫାର୍ମରେ ପକାଇଲେ। ଫାର୍ମ ମାଲିକ କାଗଜ ଦେଖି ଫୋନ୍ କରିବା ପରେ ଫସିଲେ। ଲୁଟେରା ବ୍ୟାଙ୍କକୁ ଡାକି ସବ୍ସିଡିରେ ଋଣ କରାଇ ଦେବାକୁ କହି ଠକିନେଲା ୧ ଲକ୍ଷ ୧୦ ହଜାର ଟଙ୍କା। ଏନେଇ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନାରେ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାର ଟେର୍ ପାଇପାରି ନାହିଁ।
ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ପଟାବାରୀ ଗ୍ରାମର ଜଗବନ୍ଧୁ ପଲେଇ ଏବଂ ଚିନିମିନି ପଲେଇଙ୍କ କୁକୁଡ଼ା ଫାର୍ମ ଭିତରେ କେହି ସବ୍ସିଡିରେ ଋଣ ଦିଆଯାଉଥିବା ସମ୍ପର୍କିତ ବିଜ୍ଞାପନ କାଗଜ ପକାଇଥିଲା। ଋଣ ପାଇବା ଆଶାରେ କାଗଜରେ ଲେଖାଥବା ଫୋନ୍ ନମ୍ବରରେ ଜଗବନ୍ଧୁ ଫୋନ୍ କରିଥିଲେ। ଏକ ସ୍ବେଚ୍ଛାସେବୀ ସଂସ୍ଥାର ସମ୍ପାଦକ ଆନନ୍ଦପୁର ଫକୀରପୁର ଗ୍ରାମର ସୁଶାନ୍ତ ଜେନା ବୋଲି ନିଜର ପରିଚୟ ଦେଇ କଥା ହୋଇଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତି ଜଗବନ୍ଧୁଙ୍କୁ ଭେଟି ୧୮ ଲକ୍ଷ ଟଙ୍କା ଋଣ କଲେ ୬ ଲକ୍ଷ ଟଙ୍କା ସବ୍ସିଡି ମିଳିବ ବୋଲି କହିଥିଲେ। ଏଥିପାଇଁ ପ୍ରଥମେ ୪ ଲକ୍ଷ ଟଙ୍କା ଜମା କରିବାକୁ ପଡ଼ିବ ବୋଲି କହିଥିଲେ। ଜଗବନ୍ଧୁ ପ୍ରଥମେ ଏତେ ଟଙ୍କା ଜମା କରିବାକୁ ଅକ୍ଷମତା ପ୍ରକାଶ କରିବା ସହ ଦିନ ଗଡ଼ାଇଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତି ନିଜେ ୨ ଲକ୍ଷ ୯୦ ହଜାର ଟଙ୍କା ଯୋଗାଡ଼ କରିବ ବୋଲି କହିବା ସହ ବାକି ୧ ଲକ୍ଷ ୧୦ ହଜାର ଟଙ୍କା ଯୋଗାଡ଼ କରିବାକୁ ଜଗବନ୍ଧୁଙ୍କୁ କହିଥିଲା। ଜଗବନ୍ଧୁ କେନ୍ଦୁଝରର ଏକ ଘରୋଇ ବ୍ୟାଙ୍କରେ ସୁନାଗହଣା ବନ୍ଧା ରଖି ଟଙ୍କା ଯୋଗାଡ଼ କରିଥିଲେ।
ଗତ ୨୧ ତାରିଖରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଋଣ ଦେବା ପାଇଁ ଜଗବନ୍ଧୁଙ୍କୁ ଘଟଗାଁ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଡାକିଥିଲେ। ଟଙ୍କା ଦେବା ପରେ ବ୍ୟକ୍ତି ଜଣଙ୍କ ବିଭିନ୍ନ କାଗଜରେ ଦସ୍ତଖତ କରାଇବା ସହ ଶେଷରେ ଜଗବନ୍ଧୁଙ୍କୁ ଆଧାରକାର୍ଡର ଜେରକ୍ସ ଏବଂ ରେଭେନ୍ୟୁ ଷ୍ଟାମ୍ପ ଆଣିବା ପାଇଁ ବାହାରକୁ ପଠାଇଥିଲେ। କିଛି ସମୟ ପରେ ଜଗବନ୍ଧୁ ବ୍ୟାଙ୍କ ଫେରିଲା ବେଳକୁ ସମ୍ପୃକ୍ତ ବ୍ୟକ୍ତି ସେଠାରେ ନଥିଲେ। ଏପରିକି ତାଙ୍କ ଫୋନ୍ ସ୍ବିଚ୍ ଅଫ୍ ହୋଇଯାଇଥିଲା। ଅନେକ ଖୋଜି କରିବା ପରେ ତାଙ୍କ ସନ୍ଧାନ ନ ପାଇବାରୁ ଶେଷରେ ଜଗବନ୍ଧୁ ଘଟଗାଁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କ ସମେତ ଘଟଗାଁ ଥାନାଠାରୁ ହାଟଛକ ଏବଂ ତାରିଣୀ ମନ୍ଦିର ଫାଟକ ପର୍ଯ୍ୟନ୍ତ ଲାଗିଥିବା ସିସିଟିଭି ଫୁଟେଜ୍କୁ ଯାଞ୍ଚ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତ ଧରା ହେବ ବୋଲି ଘଟଗାଁ ଥାନା ଅଧିକାରୀ ପ୍ରତିଭା ମଞ୍ଜରୀ ସାହୁ କହିଛନ୍ତି।