ରା.ଉଦୟଗିରି: ଗଜପତି ଜିଲ୍ଲାରେ ଆଦିବାସୀ ଚାଷୀଙ୍କ ଆର୍ଥିକ, ସାମାଜିକ ବିକାଶ ବାବଦ କେନ୍ଦ୍ରୀୟ ଯୋଜନାରେ ସୁଲଭ ଦରରେ ଅଦା ଓ ହଳଦୀ ବିହନ କିଣି ଯୋଗାଇ ଦେବାକୁ ୧ କୋଟି ୧୬ ଲକ୍ଷ ଟଙ୍କାର ଅନୁଦାନ ହେରଫେର ହୋଇଛି। ଏ ସମ୍ପର୍କରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ସୁରାକ୍‌ ପାଇବା ପରେ ଗଜପତି ଜିଲ୍ଲାର ଦୁଇ ଜଣ ଜିଲ୍ଲାସ୍ତରୀୟ ପଦାଧିକାରୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଓ ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କ ବିରୋଧରେ ତଦନ୍ତ ପାଇଁ ପୂର୍ବତନ ଜିଲ୍ଲାପାଳ ଅନୁପମ ସାହାଙ୍କୁ ଗତ ମାର୍ଚ୍ଚ ମାସରେ ନିର୍ଦ୍ଦେଶ ଦେଇଥିଲେ।

Advertisment

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗରୁ ଆସିଥିବା ଚିଠି‌ରେ ସିଧାସଳଖ ଅଭିଯୋଗ ଥିଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପ୍ରକଳ୍ପ ପ୍ରଶାସକ ସରୋଜ ବେହେରାଙ୍କ ବିରୋଧରେ। ଗଜପତି ଜିଲ୍ଲାର କିଛି ଆଦିବାସୀ ଅଭିଯୋଗ କରିଥିଲେ, ହଳଦୀ ଓ ଅଦା ବିହନ କିଣିବା ଆଳରେ ପ୍ରକଳ୍ପ ପ୍ରଶାସକ ଏକ କୋଟି ୧୬ଲକ୍ଷ ଟଙ୍କା ହଡ଼ପ କରି ନେଇଛନ୍ତି। ଏହି ଟଙ୍କାରେ ରା.ଉଦୟଗିରି ବ୍ଲକ୍‌ର ଛେଲ୍ଲାଗଡ଼ ଓ ଶିଆଳିଲଟି ପଞ୍ଚାୟତରୁ ଅଦା ଓ ହଳଦୀ କ୍ରୟ କରିଥିବାର ମିଥ୍ୟା ବିଲ୍‌ ଦେଖାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଏହା ମଧ୍ୟରେ ୯ ମାସ ବିତିଗଲାଣି, କେନ୍ଦ୍ର ସରକାରଙ୍କ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ସରକାରୀ ନାଲିଫିତା ତଳେ ଦବିଗଲା। ତତ୍କାଳୀନ ଜିଲ୍ଲାପାଳ ତଦନ୍ତ ଦାୟିତ୍ବ ପିଡି ଡିଆର୍‌ଡିଏଙ୍କୁ ନ୍ୟସ୍ତ କରିଥିଲେ। ହେଲେ ପିଡି ଡିଆର୍‌ଡିଏ

କେନ୍ଦ୍ର ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ କାହିଁକି ଦବାଇ ରଖିଛନ୍ତି ତାହାର ଉତ୍ତର ମଧ୍ୟ ମାଗୁଛନ୍ତି ଅଞ୍ଚଳର ଆଦିବାସୀ। ଏପଟେ ପୂର୍ବତନ ଜିଲ୍ଲାପାଳ ଅନୁପମ ସାହା ପିଡି ଡିଆରଡିଏଙ୍କୁ ସିନା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ। ହେଲେ ବଦଳି ହୋଇଯିବା ପୂର୍ବରୁ ପିଡିଙ୍କୁ ଏଟିଆର (ଆକ୍ସନ୍‌ ଟେକେନ୍‌ ରିପୋର୍ଟ) କାହିଁକି ମାଗିଲେନି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏତେବଡ଼ ଘୋଟାଲା ଅଭିଯୋଗ ଓ କେନ୍ଦ୍ର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ସମ୍ପର୍କରେ ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରାଙ୍କୁ ପଚାରିବାରେ ତାଙ୍କରି ଉତ୍ତର ଥିଲା, ‘ଓଟିଇଏଲପି ଉଠିଗଲା, ଏଣୁ ମୋର କିଛି ମନେ ନାହିଁ।

୧୧ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ଛେଲାଗଡ଼ ନିବାସୀ ଜାକବ ମାଝୀଙ୍କ ଅଭିଯୋଗ ହେଲା, ୨୦୨୦-୨୧ ଆର୍ଥିକ ବର୍ଷରେ ରା.ଉଦୟଗିରି ବ୍ଲକ୍‌ର ଆଦିବାସୀଙ୍କ ପାଇଁ ଯାହା ଅନୁଦାନ ଆସିଥିଲା ସେଥିରୁ କାଣିଚାଏ ମଧ୍ୟ ଖର୍ଚ୍ଚ ନକରି ଓଟିଇଏଲ୍‌ପି ଜରିଆରେ ହଡ଼ପ କରାଯାଇଛି। ଓଟିଇଏଲ୍‌ପି ବନ୍ଦ ହୋଇଯିବା ପରେ ଏହି ଅନୁଦାନ ଅର୍ଥର ହିସାବକିତାବ ହଜାଇ ଦିଆଯାଇଛି।

୨୦୨୦-୨୧ ଆର୍ଥିକ ବର୍ଷରେ ଆଦିବାସୀଙ୍କ ପାଇଁ ପାଖାପାଖି ୧୦୦ ଟନ୍‌ ଅଦା ବିହନ କ୍ରୟ ହେବାର ଥିଲା। କିଲୋ ୧୨୦ ଟଙ୍କା ଦରରେ ୧ କୋଟି ୧୬ଲକ୍ଷ ଟଙ୍କା ଖର୍ଚ୍ଚ ତ ଦେଖାଇ ଦିଆଗଲା। ହେଲେ କୋଉ ତନଖି ଫାଟକ ଦେଇ ଏହା ଆସିଲା, କେବେ ଆସିଲା ଓ କୋଉ ପରିବହନ ସଂସ୍ଥା (ଗାଡ଼ି ନମ୍ବର ସହ) କିଣାଗଲା, ତାହା କେବଳ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ସରୋଜ ବେହେରା ଓ ଓଟିଇଏଲ୍‌ପି ପ୍ରୋଗ୍ରାମ୍‌ ମ୍ୟାନେଜର୍‌ ପ୍ରୀତିରଞ୍ଜନ ସାହୁଙ୍କୁ ଜଣା। କେଉଁ ପଞ୍ଚାୟତ, ଗାଁରେ ଆଦିବାସୀଙ୍କୁ ବଣ୍ଟାଗଲା ତାହା ମଧ୍ୟ କେହି ଜାଣି ପାରିଲେ ନାହିଁ।

ଆଶ୍ଚର୍ଯ୍ୟର କଥା ହେଲା, ଏ ସବୁ ଦ୍ରବ୍ୟ କିଣା ଓ ବଣ୍ଟନ ଗ୍ରାମ୍ୟ ଉନ୍ନୟନ କମିଟି (ଭିଡିସି) ଜରିଆରେ ହେବା କଥା। ଆଇଟିଡିଏ ପାଇଥିବା କେନ୍ଦ୍ରୀୟ ଅନୁଦାନ ଅର୍ଥ ସମସ୍ତ ଭିଡିସି ଆକାଉଣ୍ଟରେ ଜମା କରିବା କଥା। ଭିଡିସି ରେଜୁଲେସନ୍‌ କରି ଠିକା ସଂସ୍ଥାକୁ ଅର୍ଡ଼ର ଦେବା କଥା। କିନ୍ତୁ ଏ କ୍ଷେତ୍ରରେ ତାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଆଇଟିଡିଏ ଫଣ୍ଡ୍‌ରୁ ଏହି ଟଙ୍କା ଟ୍ରାନ୍ସଫର ହୋଇଛି ଓଟିଇଏଲ୍‌ପି ଆକାଉଣ୍ଟକୁ। ଉଭୟ ସଂସ୍ଥାର ଆଡ୍‌ମିନିଷ୍ଟ୍ରେଟିଭ ଅଫିସର ହେଲେ ପ୍ରକଳ୍ପ ପ୍ରଶାସକ। ଅନୁଦାନ ଅର୍ଥ ଟ୍ରାନ୍ସଫର ନକରି ସିଧାସଳଖ କ୍ରୟ କରିପାରିଥାନ୍ତେ।

ସରକାରୀ ନିୟମାନୁଯାୟୀ ସାମଗ୍ରୀ କିଣିବା ପୂର୍ବରୁ ସ୍ଥାନୀୟ ଦର ସହ ଟେଣ୍ଡର୍‌ ଦର ମେଳ କରାଯାଏ, ଏଠାରେ ତାହା ମଧ୍ୟ କରାଯାଇନି। ସବୁଠାରୁ ବଡ଼ ଜଘନ୍ୟ ହେଲା, ୨୦୨୦ ମସିହାରେ ଅଦା ଆଦାୟ ଋତୁରେ କିଲୋ ପିଛା ଦର ଥିଲା ୩୦ରୁ ୩୫ ଟଙ୍କା। ଏହାକୁ ସରକାରୀ ଦର ୧୨୦ ଟଙ୍କାରେ କିଣି କିଲୋଗ୍ରାମ ପିଛା ୮୫ରୁ ୯୦ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି। ଅର୍ଥାତ ପାଖାପାଖି ୧୦୦ଟନ୍‌ ଅଦା ଯଦି ସତରେ କିଣା ଯାଇଛି, ତେବେ ମଧ୍ୟ ୮୫ ଲକ୍ଷ ଟଙ୍କାର ହେରଫେର ହୋଇଛି ସରକାରୀ ପଦାଧିକାରୀଙ୍କ ଦ୍ୱାରା। କିନ୍ତୁ କେବଳ ଗୋଟିଏ ଟ୍ରକ୍‌ ହିଁ ଗଜପତି ଜିଲ୍ଲାକୁ ଆସିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଥିବାରୁ, ହେରଫେର ଅର୍ଥର ପରିମାଣ ପରିମାଣ ଆହୁରି ଅଧିକ ହେବା ସ୍ପଷ୍ଟ ହୋଇଛି।