ଚଣ୍ଡିଖୋଲ:ବଡ଼ଚଣା ଅଞ୍ଚଳରୁ ସପ୍ତାହକ ମଧ୍ୟରେ ୬ ଶକ୍ଷକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା। ଲୁଟେରାଙ୍କ ଶିକାର ହୋଇଛନ୍ତି ୪ ଟି ଉଚ୍ଚ ବିଦ୍ୟାଳୟର ୬ ଶିକ୍ଷକଶିକ୍ଷୟିତ୍ରୀ। ସେମାନେ ହେଲେ ଭରତ ଚନ୍ଦ୍ର ଜେନା, ସେକ ଅଫସର ଅଲ୍ଲୀ, ସ୍ବର୍ଣ୍ଣଲତା ବେହେରା, ମାମିନା ଅନୁରଂଜନୀ, ନମିତା ସାହୁ ଓ ସ୍ମିତାରାଣୀ ସ୍ବାଇଁ। ଏନେଇ ବଡ଼ଚଣା ଓ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଲୁଟେରାଙ୍କ ସନ୍ଧାନ ନେବାରେ ପୁଲିସ ସଫଳ ହୋଇନାହିଁ।
ଦୁର୍ବୃତ୍ତମାନେ ପ୍ରଥମେ ସଂପୃକ୍ତ ଶିକ୍ଷକଶିକ୍ଷୟତ୍ରୀଙ୍କ ଫୋନ ନମ୍ବର ସଂଗ୍ରହ କରି ବିଡିଓଙ୍କ ନାମରେ ଫୋନ କରୁଛନ୍ତି। ତୁମ ବିଦ୍ୟାଳୟକୁ ସରକାରଙ୍କ ପକ୍ଷରୁ ୩୦ ହଜାର ଟଙ୍କାର ଅର୍ଥରାଶିର ଅନୁଦାନ ଆସିଛି। ଏହି ଟଙ୍କାରେ ବିଦ୍ୟାଳୟରେ ସାନିଟାଇଜର ମେସିନ ବସାଯିବ। ମାସ୍କ କିଣାଯିବ ବୋଲି କହିବା ପରେ ସେମାନଙ୍କର ଷ୍ଟେଟ ବ୍ୟାଙ୍କ ୟୋନୋ ନମ୍ବର ମାଗି ନେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଚତୁରତାର ସହିତ ଏହି ଶିକ୍ଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କାଲେଖାଏଁ ଉଠାଇ ନେଇଥିଲେ। ମଝିପଡା ହାଇସ୍କୁଲ, ଚାରିନଙ୍ଗଳ ହାଇସ୍କୁଲ, ବଡ଼ଚଣା ସରକାରୀ ବାଳିକା ବିଦ୍ୟାଳୟ ଓ ମହାବିନାୟକ ବିଦ୍ୟାୟନ ଆଦି ଶିକ୍ଷାନୁଷ୍ଠାନର ଶିକ୍ଷକଶିକ୍ଷୟିତ୍ରୀ ଠକାମିରେ ପଡ଼ି ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ଲୁଟେରାମାନେ କେନ୍ଦ୍ରାପଡ଼ା ଜିଲ୍ଲାର ତିନିମୁହାଣି ଓ ଠାକୁରପାଟଣା ସମେତ ବିଭିନ୍ନ ଅଞ୍ଚଳରେ ଥିବା ଷ୍ଟେଟବ୍ୟାଙ୍କ ଏଟିଏମ୍ରୁ ଟଙ୍କା ଉଠାଇ ନେଉଥିବା ଜଣାପଡ଼ିଛି।