୧.୩୨ କୋଟିର ରାସ୍ତା ନିର୍ମାଣ ଦୁର୍ନୀତି: ଭିଜିଲାନ୍ସ ସେଲ୍‌ର ସର୍‌ଜମିନ୍‌ ତଦନ୍ତ

ରାଉରକେଲା/ଲାଠିକଟା: ଲାଠିକଟା ବ୍ଲକ ଗର୍ଜନ ଗାଁର ବହୁ ଚର୍ଚ୍ଚିତ ରାସ୍ତା ଦୁର୍ନୀତିର ଖୋଲତାଡ଼ କରୁଛି କଟକ ଭିଜିଲାନ୍ସ ସେଲ୍‌। ଗତ ଅକ୍ଟୋବର ୩ ତାରିଖରେ ଭିଜିଲାନ୍ସ ସେଲ୍‌ର ଏକ ଟିମ୍‌ ଆସି ଫାଇଲ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରିଥିବା ବେଳେ ଆଜି ଡିଏସ୍‌ପି ପ୍ରକାଶ ନାଏକଙ୍କ ନେତୃତ୍ୱରେ ସର୍‌ଜମିନ୍‌ ତଦନ୍ତ କରାଯାଇଛି। ଟିମ୍‌ ସମ୍ପୃକ୍ତ ରାସ୍ତାର ମାପ ନେବା ସହିତ ରାସ୍ତାକୁ ଖୋଳି ଯାଞ୍ଚ କରିଥିବା ସୂଚନା ମିଳିଛି। ୧ କୋଟି ୩୨ ଲକ୍ଷର ଦେଢ଼ କିଲୋମିଟର କଂକ୍ରିଟ ରାସ୍ତାର ଅର୍ଥକୁ ଅତି ଚତୁରତାର ସହ ବିଭାଗୀୟ ଅଧିକାରୀ ଚଳୁ କରିଥିବା ଅଭିଯୋଗ ହୋଇଥିଲା। ଟେଣ୍ଡର୍‌ ଅପରିହାର୍ଯ୍ୟ ଥିବା ୧ କୋଟି ୩୨ ଲକ୍ଷର ବୃହତ ରାଶିକୁ ଅତି ଚତୁରତାର ସହିତ ଭାଗ କରି ୬ ଲକ୍ଷ ଲେଖାଏଁର ୨୨ଟି ଫାଇଲ୍‌ ଖୋଲି ନିର୍ବାଚନ ପୂର୍ବରୁ ଯେନେତେନ ପ୍ରକାରେ କାମ ଶେଷ କରାଯାଇଥିଲା। ଏନ୍‌ଏସ୍‌ପିସିିଏଲ୍‌ର ସିଏସ୍‌ଆର୍‌ ଫଣ୍ଡରେ ଗର୍ଜନ ଗାଁର ମଶକ ଯୁବକ ସଂଘ ଅଫିସ୍‌ ଠାରୁ ସିଂ କ୍ରସର୍‌ ଯାଏଁ ୧୫୪୦ ମିଟର ରାସ୍ତାର କଂକ୍ରିଟ କରାଯାଇଥିବା ବେଳେ ନିର୍ବାଚନ ଆଚରଣ ବିଧି ଓ କଟକଣା ଭୟରେ ପଛୁଆ ତାରିଖରେ ବିଲ୍‌ ସବୁ ପାସ୍‌ କରି ଅମାନତ ରାଶି ବି ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଥିଲା।
ଅଭିଯୋଗ ପରେ ପରେ ଉକ୍ତ କାର୍ଯ୍ୟର ବୈଷୟିକ ଅଟକଳ ପ୍ରସ୍ତୁତ ସହିତ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ବୁଦ୍ଧେଶ୍ୱର ସାହୁଙ୍କୁ ରାଉରକେଲା ମହାନଗର ନିଗମକୁ ଡେପୁଟେସନ୍‌ରେ ପଠାଯାଇଛି। ଏହା ପୂର୍ବରୁ ସମ୍ପୃକ୍ତ ଯନ୍ତ୍ରୀଙ୍କ ନାମରେ ବହୁ ଅନିୟମିତତା ଅଭିଯୋଗ ଥିଲେ ବି ଉଚ୍ଚ ଅଧିକାରୀ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଚର୍ଚ୍ଚା ହେଉଛି। ଯୋଡ଼କୁଦର ଗାଁରୁ ନାକଖଣ୍ଡି ଗାଁ ୩ କିଲୋମିଟର ବିଶିଷ୍ଟ ରାସ୍ତାରେ ୧୦ ଲକ୍ଷ ଟଙ୍କାର କାମରେ ମୁରୁମ ବଦଳରେ ଗୋଡ଼ି ମିଶା ମାଟି ବିଞ୍ଚି ଦେଇଥିବା ଅଭିଯୋଗ ରହିଛି। ସେହିପରି ୧୦ ଲକ୍ଷ ବ୍ୟୟରେ ଝରାବାହାଲ ଗଞ୍ଜୁଟୋଲାରୁ ଟୁଙ୍ଗୁରିଟୋଲା ୨ କିଲୋମିଟର ରାସ୍ତା ପ୍ରଥମ ବର୍ଷାରେ ହିଁ ଧୋଇଯାଇଥିବା ବେଳେ ନିର୍ବାଚନ ପୂର୍ବରୁ ପଟୁଆ ଗାଁ ଫେଲୁଆଟୋଲିରେ ହୋଇଥିବା ପକ୍କା ରାସ୍ତାଟି ଏବେ ଫାଟି ଆଁ କରିଛି। ଜଲଦାରେ ମଧ୍ୟ ଏକ ପକ୍କା ରାସ୍ତାରେ ଫାଟ ଦେଖାଯିବାରୁ ତା’ର ମରାମତି କରାଯାଇଥିବା ପ୍ରକାଶ ପାଇଛି। ସମ୍ବାଦରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ହଇଚଇ ଖେଳି ଯାଇଥିଲା। ଏହା ପରେ ଗର୍ଜନ ଗାଁର ଏ ମହାଦୁର୍ନୀତିର ଖୋଲ୍‌ତାଡ଼ ଆରମ୍ଭ କରିଛି ଭିଜିଲାନ୍ସ ସେଲ୍‌।

ସମ୍ବନ୍ଧିତ ଖବର