ଯୁକ୍ତ ୨ରେ ୧.୩୨ଲକ୍ଷ ସିଟ୍‌ ଖାଲି : ମାଟ୍ରିକ ପରେ ପାଠ ଛାଡ଼ିଲେ!

ଭୁବନେଶ୍ବର : ଏଥର ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ଅଧୀନରେ ୩ ଲକ୍ଷ ୯୭ ହଜାର ୯୩୪ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିଲେ। ଗତବର୍ଷ ତୁଳନା‌ରେ ପାସ୍‌ହାର କମିଥିଲେ ମଧ୍ୟ ପିଲାଙ୍କ ସଂଖ୍ୟା ଦୃଷ୍ଟିରୁ ଲାଗୁଥିଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ର ଅଧିକାଂଶ ସିଟ୍‌ ପୂରଣ ହୋଇଯିବ। ତେବେ ନାମଲେଖା ପରେ ଯେଉଁ ଚିତ୍ର ପଦାକୁ ଆସିଛି ତାହା ଆଶ୍ଚର୍ଯ୍ୟ କରିବା ଭଳି। ବିଏସ୍‌ଇ ଅଧୀନରେ ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ମାତ୍ର ୩ ଲକ୍ଷ ୧୬ ହଜାର ୪୨୬ ଜଣ ଛାତ୍ରଛାତ୍ରୀ ନାମଲେଖାଇଛନ୍ତି। ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସିବିଏସ୍‌ଇ ଓ ଆଇସିଏସ୍‌ଇ ଅଧୀନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ବି ରହିଛନ୍ତି। ଏଭଳି ସ୍ଥିତି ପରେ ଏବେ ପ୍ରଶ୍ନ ଉଠୁଛି ପିଲା‌ ଗଲେ କୁଆଡ଼େ? ଅଧାରୁ ପାଠପଢ଼ା‌ ଛାଡ଼ୁଛନ୍ତି କାହିଁକି? ଉଚ୍ଚଶିକ୍ଷା ପ୍ରତି ପିଲାଙ୍କ ଅନାଗ୍ରହ କାହିଁକି?

ସାମ୍‌ସ ୱେବସାଇଟ୍‌ ତଥ୍ୟ ଅନୁଯାୟୀ ୨୦୧୯-୨୦ ଶିକ୍ଷାବର୍ଷରେ ରାଜ୍ୟରେ ଥିବା ୧୯୮୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ), ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ କଲେଜରେ ୪ ଲକ୍ଷ ୪୮ ହଜାର ୪୫୧ ସିଟ୍‌ ରହିଛି। ଦୁଇଟି ପର୍ଯ୍ୟାୟ ନାମଲେଖା ସହ ସ୍ପଷ୍ଟ ନାମଲେଖା ପରେ ୩ ଲକ୍ଷ ୧୬ ହଜାର ୪୨୬ ସିଟ୍‌ ପୂରଣ ହୋଇଛି। ଆହୁରି ୧ ଲକ୍ଷ ୩୨ ହଜାର ୪୫ ସିଟ୍‌ ଖାଲି ରହିଛି। କଳା ବିଭାଗ ବ୍ୟତୀତ ଅନ୍ୟ ସବୁ ବିଭାଗରେ ପିଲା ସଙ୍କଟ ଦେଖିବାକୁ ମିଳିଛି। କଳା ବିଭାଗରେ ୨ ଲକ୍ଷ ୩୯ ହଜାର ୬୬ଟି ସିଟ୍‌ ରହିଥିବା ବେଳେ ୨ ଲକ୍ଷ ୮ ହଜାର ୮୭୦ ସିଟ୍‌ ପୂରଣ ହୋଇଛି। ଆହୁରି ୩୦ ହଜାର ୧୯୮ ସିଟ୍‌ ଖାଲି ପଡ଼ିଛି। ବିଜ୍ଞାନ ବିଭାଗରେ ସ୍ଥିତି ସାଂଘାତିକ। ବିଭାଗରେ ଥିବା ୧ ଲକ୍ଷ ୪୪ ହଜାର ୨୨୨ ସିଟ୍‌ ମଧ୍ୟରୁ ୭୭ ହଜାର ୩୯ ଜଣ ଛାତ୍ରଛାତ୍ରୀ ନାମଲେଖାଇଛନ୍ତି। ଆହୁରି ୬୭ ହଜାର ୧୯୭ଟି ସିଟ୍‌ ବଳକା ରହିଛି।

ବାଣିଜ୍ୟ ବିଭାଗରେ ୫୦ ପ୍ରତିଶତ ସିଟ୍‌ ବି ପୂରଣ ହୋଇନି। ମୋଟ ୪୪ ହଜାର ୫୧୫ ସିଟ୍‌ ମଧ୍ୟରୁ ୨୦ ହଜାର ୯୨୧ ସିଟ୍‌ ପୂରଣ ହୋଇଛି। ଆହୁରି ୨୩ ହଜାର ୫୯୭ ସିଟ୍‌ ଖାଲି। ଆଶ୍ବର୍ଯ୍ୟର ବିଷୟ ହେଉଛି ଯେ ବୌଦ୍ଧ ଜିଲ୍ଲାରେ ବାଣିଜ୍ୟରେ ମାତ୍ର ୫ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏହି ଜିଲ୍ଲାରେ ବାଣିଜ୍ୟରେ ୧୨୮ ସିଟ୍‌ ରହିଥିବା ବେଳେ ୧୨୩ ସିଟ୍‌ ଏବେ ବି ଖାଲି ପଡ଼ିଛି। ଦେବଗଡ଼ ଜିଲ୍ଲାରେ ବାଣିଜ୍ୟ ବିଭାଗରେ ଥିବା ୬୪ଟି ସିଟ୍‌ ମଧ୍ୟରୁ ମାତ୍ର ୨୦ଟି ପୂରଣ ହୋଇଛି। ସୋନପୁର ଜିଲ୍ଲାରେ ୩୭୯ ସିଟ୍‌ ମଧ୍ୟରୁ ୯୬ଟି ପୂରଣ ହୋଇଛି। ସଂସ୍କୃତ ଓ ଧନ୍ଦାମୂଳକ ବିଭାଗରେ ସ୍ଥିତି ଆହୁରି ସଙ୍ଗୀନ। ସଂସ୍କୃତରେ ଥିବା ୧୧ ହଜାର ୩୧୨ ସିଟ୍‌ରୁ ୫ ହଜାର ୫୬୬ଟି ପୂରଣ ହୋଇଛି। ଧନ୍ଦାମୂଳକ ବିଭାଗରେ ୯ ହଜାର ୩୩୬ ସିଟ୍‌ ମଧ୍ୟରୁ ୪ ହଜାର ୩୦ଟି ପୂରଣ ହୋଇଛି।

ଉକ୍ତ ୫ଟି ବିଭାଗ ବ୍ୟତୀତ ମାଟ୍ରିକ୍‌ ପାସ୍‌ କରିଥିବା କିଛି ଛାତ୍ରଛାତ୍ରୀ ଡିପ୍ଲୋମାରେ ବି ନାମ ଲେଖାଇଛନ୍ତି। ଏବେ ସୁଦ୍ଧା ୧୮ରୁ ୨୦ ହଜାର ପିଲା ନାମ ଲେଖାଇଛନ୍ତି। ବହୁ ଘରୋଇ ଡିପ୍ଲୋମା କଲେଜଗୁଡ଼ିକରେ ସିଟ୍‌ ଖାଲି ରହିଛି। ଯଦି ସମସ୍ତ ପାଠ୍ୟକ୍ରମରେ ନାମଲେଖାକୁ ହିସାବ କରାଯାଏ ତେବେ ୩ ଲକ୍ଷ ୩୬ ହଜାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା କରୁଛନ୍ତି। ଆହୁରି ୫୦ରୁ ୬୦ ହଜାର ପିଲା ଗଲେ କୁଆଡ଼େ? ପାଠପଢ଼ିଲେ ନା ଅଧାରୁ ପାଠ ଛାଡ଼ିଲେ। ତାହାକୁ ନେଇ ଏବେ ପ୍ରଶ୍ନବାଚ୍ଚୀ ସୃଷ୍ଟି ହୋଇଛି।

ଶିକ୍ଷାବିତ୍‌ ପ୍ରୀତିଶ୍‌ ଆଚାର୍ଯ୍ୟଙ୍କ କହିବା କଥା ହେଲା ମାଟ୍ରିକ୍‌ ପାସ୍‌ କରିବା ପରେ ଛାତ୍ରଛାତ୍ରୀଙ୍କୁ ଯୁକ୍ତ୨ ପଢ଼ାଇବାକୁ ଅଭିଭାବକମାନେ ମନ ବଳାଉନାହାନ୍ତି। ପ୍ରଥମତଃ ଏପର୍ଯ୍ୟନ୍ତ ଯୁକ୍ତ୨ ଶିକ୍ଷାର ମହତ୍ତ୍ବ ସମ୍ପର୍କରେ ଅନେକ ଅଭିଭାବକ ଅବଗତ ନୁହଁନ୍ତି। ସେମାନେ ମାଟ୍ରିକ୍‌କୁ ଶିକ୍ଷାର ଶେଷ ବୋଲି ଧରିନେଇଛନ୍ତି। ଦ୍ବିତୀୟତଃ ପିଲାଙ୍କୁ କ୍ଲାସରୁମ୍‌ ଶିକ୍ଷା ଠିକ୍‌ ଭାବେ ମିଳୁ ନାହିଁ। ଗୋଟିଏ ଶ୍ରେଣୀରେ ୧୨୦ରୁ ୧୫୦ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷକ ପଢ଼ାଉଥିବାରୁ ପିଲାମାନେ ନିଜର ଦ୍ବନ୍ଦ୍ବ ଦୂର କରିପାରୁ ନାହାନ୍ତି। କ୍ଲାସରୁମ୍‌ରେ ଶିକ୍ଷକ-ପିଲାଙ୍କ ମଧ୍ୟରେ ଭାବର ଆଦାନପ୍ରାଦାନ ହୋଇପାରୁ ନଥିବାରୁ ବହୁ ପିଲା ଆଗ୍ରହ ଦେଖାନ୍ତି ନାହିଁ। ଯୁକ୍ତ୨ରେ ପଢ଼ିବା ଲାଗି ଛାତ୍ରୀଙ୍କୁ ୫ରୁ ୧୦ କିମି ‌ଯିବାକୁ ପଡ଼ୁଛି। ଉପାନ୍ତ ତଥା ଗ୍ରାମାଞ୍ଚଳର ଅଭିଭାବକମା‌ନେ ସେମାନଙ୍କ ଝିଅମାନଙ୍କୁ ଛାଡ଼ୁନାହାନ୍ତି। ଯଦି ହାଇ‌ସ୍କୁଲ ନିକଟରେ ଯୁକ୍ତ୨ ଶିକ୍ଷା ବ୍ୟବସ୍ଥା ହୁଅନ୍ତା ତେବେ ପିଲାମାନେ ଆଉ ଅଧାରୁ ପାଠ ଛାଡ଼ନ୍ତେ ନାହିଁ।

ସମ୍ବନ୍ଧିତ ଖବର