ଶିକ୍ଷକଙ୍କଠାରୁ ଝାମ୍ପିନେଲେ ୧.୩୬ ଲକ୍ଷ

ଜଳେଶ୍ବର: ଜଳେଶ୍ବର ବ୍ଲକ୍‌ରେ ଆଜି ଜଣେ ଶିକ୍ଷକଙ୍କଠାରୁ ଟଙ୍କା ଲୁଟ୍‌ ହୋଇଛି। ବ୍ଲକ୍‌ ଅଧୀନ ମାକଡ଼ିଆ ୟୁଜିୟୁପି ସ୍କୁଲ୍‌ର ପ୍ରଧାନ ଶିକ୍ଷକ ତଥା ସ୍ଥାନୀୟ ରାଜନଗର ଗ୍ରାମର ଶ୍ରୀହରି ଚରଣ ଦାସ ଆଜି ଜଳେଶ୍ଵର ଷ୍ଟେଟ୍‌ ବ୍ୟାଙ୍କ ଶାଖାକୁ ଟଙ୍କା ଉଠାଇବାକୁ ଆସିଥିଲେ। ଦିନ ୧୧ଟା ୩୮ ମିନିଟ୍‌ରେ ସେ ନିଜ ଆକାଉଣ୍ଟରୁ ୧ ଲକ୍ଷ ୩୮ ହଜାର ଟଙ୍କା ଉଠାଇ ବ୍ୟାଙ୍କ ବାହାରକୁ ଆସିଥିଲେ। ସ୍ଥାନୀୟ ଏକ ହୋଟେଲ୍‌ରେ ଶ୍ରୀ ଦାସ ଖାଇବା ପରେ ଟଙ୍କା ସହ ନିଜ ସ୍କୁଲ୍‌ର ଜରୁରୀ କାଗଜପତ୍ର ଥିବା ବ୍ୟାଗ୍‌କୁ ସ୍କୁଟିରେ ଟାଙ୍ଗି ବଡ଼ବଜାର ଅଭିମୁଖେ ଯାଇଥିଲେ। ଏହି ସମୟରେ ଜଳେଶ୍ଵର ଟାଉନ୍‌ ହାଇସ୍କୁଲ୍‌ ସମ୍ମୁଖରେ ଦୁଇଜଣ ଯୁବକ ଏକ ପଲ୍‌ସରରେ ଆସି ଉକ୍ତ ଟଙ୍କା ଓ କାଗଜପତ୍ର ଥିବା ବ୍ୟାଗ୍‌କୁ ଚଳନ୍ତା ସ୍କୁଟିରୁ ଝାମ୍ପି ନେଇ ଦୃତଗତିରେ ପଳାଇଥିଲେ।

ଶିକ୍ଷକ ଜଣକ କିଛି ବାଟ ଯାଏ ଲୁଟେରାମାନଙ୍କ ପିଛା କରିଥିଲେ ମଧ୍ୟ ସେମାନଙ୍କୁ ଧରିପାରି ନ ଥିଲେ। ଏନେଇ ଶ୍ରୀହରି ଜଳେଶ୍ଵର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ସୂଚନାଯୋଗ୍ୟ; ଦୁଇଦିନ ପୂର୍ବରୁ ବିଳମ୍ବିତ ରାତିରେ ସେକ୍‌ସରାଇ ନିକଟରେ ଏକ ପିକ୍‌ଅପ୍‌କୁ ଅଟକାଇବା ସହ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଚାଳକଙ୍କଠାରୁ ନଗଦ ଟଙ୍କା ଓ ଜରୁରୀ କାଗଜପତ୍ର ଛଡ଼ାଇ ନେଇଥିଲେ। ସେହିପରି କିଛିଦିନ ପୂର୍ବରୁ ଜଣେ ଜନସେବା କେନ୍ଦ୍ର ମାଲିକଙ୍କଠାରୁ ମଧ୍ୟ ୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ତେବେ ଜଳେଶ୍ବର ଅଞ୍ଚଳରେ ବାରମ୍ବାର ଏମିତି ଲୁଟ୍‌ ଓ ଛିନ୍‌ତାଇ ଘଟଣାରେ ପୁଲିସ କିଛି କଡ଼ା କାର୍ଯ୍ୟାନୁଷ୍ଠାନ ନେଉନି। ଯାହାଫଳରେ ଅପରାଧୀମାନେ ସକ୍ରିୟ ହେଉଛନ୍ତି ଏବଂ ଅପରାଧ ଭିଆଉଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର