ହାତୀ ମୁହଁରେ ଦେଢ଼ କୋଟି

ଆଠଗଡ଼ ବନଖଣ୍ଡରେ ୫ ହଜାର ଚାଷୀ କ୍ଷତିଗ୍ରସ୍ତ

କଟକ : ଅତିଷ୍ଠ କଲେଣି ହାତୀ ପଲ। ହାତୀ ଆକ୍ରମଣରେ ମଣିଷ ଜୀବନ ଯିବା ସହ ବିଲ, ବାଡି ଓ ଫସଲ ଉଜୁଡୁଛି। ହାତୀଙ୍କ ସ୍ୱଭାବିକ ବାସସ୍ଥାନ ଦିନକୁ ଦିନ କ୍ରିଂକ୍ରିଟ ସହରରେ ପରିଣତ ହେଉଥିବାବେଳେ ହାତୀପଲ ସହର ମୁହାଁ ହେଉଛନ୍ତି। ଯଦି ଗତ ୨ବର୍ଷର ତଥ୍ୟ ଆକଳନ କରାଯାଏ ତେବେ ହାତୀ ଉପଦ୍ରବରେ କଟକ ଜିଲ୍ଲା ଆଠଗଡ ବନଖଣ୍ଡରେ ୫ହଜାର ଉର୍ଦ୍ଧ୍ୱ ଚାଷୀଙ୍କର ପାଖାପାଖି ୧୫ଶହ ହେକ୍ଟର ଚାଷ ଜମି ଓ ଫସଲ ନଷ୍ଟ କରିଛି ହାତୀପଲ। ହାତୀ ଉପଦ୍ରବରେ କ୍ଷୟକ୍ଷତିକୁ ନେଇ ୨ବର୍ଷରେ ରାଜ୍ୟ ସରକାର ଦେଢ କୋଟିରୁ ଉର୍ଦ୍ଧ୍ୱ ଟଙ୍କା କ୍ଷତିପୂରଣ ଦେଇ ସାରିଥିବା ଜଣାପଡିଛି। ଆଠଗଡ ଉପଖଣ୍ଡର ୫ଟି ରେଞ୍ଜ ମଧ୍ୟରୁ ଖୁଣ୍ଟୁଣୀ ରେଞ୍ଜରେ ସର୍ବାଧିକ ୮୧ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡିଛି। ଗୋଟିଏ ପଟେ ହାତୀ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଅନ୍ୟପଟେ ହାତୀଙ୍କ ଯୋଗୁଁ ହେଉଥିବା କ୍ଷତି ପାଇଁ ସରକାରୀ ତହବିଲରୁ ଭରଣା ହେଉଛି କୋଟି କୋଟି ଟଙ୍କା।

ରେକର୍ଡ ଅନୁଯାୟୀ ୨୦୧୫-୧୬ରେ ହାତୀପଲଙ୍କ ଦ୍ୱାରା ୧୨୮୮ଲୋକଙ୍କ ଚାଷ ଜମି କ୍ଷୟକ୍ଷତି ହୋଇଥିବାବେଳେ ୨୦୧୬-୧୭ରେ ଏହାର ପରିମାଣ ୩ଗୁଣ ବୃଦ୍ଧି ପାଇ ୩୭୭୮ରେ ପହଞ୍ଚିଛି। ସେହିପରି ୨୦୧୫-୧୬ରେ ୩୯୮ ହେକ୍ଟର ଚାଷଜମି ନଷ୍ଟ ହୋଇଥିବାବେଳେ ୨୦୧୬-୧୭ରେ ୧୧୦୧ହେକ୍ଟର ଚାଷ ଜମି ନଷ୍ଟ ହୋଇଛି।

କଟକ ଜିଲ୍ଲାର ଆଠଗଡ ବନଖଣ୍ଡରେ ରାଜରାସ୍ତାରେ ବେଧଡକ ହାତୀପଲ ରାସ୍ତାପାରି ହେଉଥିବାବେଳେ ବିଭିନ୍ନ ଗାଁରେ ହାତୀପଲଙ୍କ ଉପଦ୍ରବରେ ଫସଲ ଏବଂ ଘର ବାଡିବଗିଚା ନଷ୍ଟ ହେଉଛି। ଆଠଗଡ ବନଖଣ୍ଡର ଖୁଣ୍ଟୁଣୀ ରେଞ୍ଜରେ ଗତ ୨୦୧୫-୨୦୧୬ ଆର୍ଥିକ ବର୍ଷରେ ୬୧୪ଜଣ ଲୋକଙ୍କ ୧୮୦ଏକରରୁ ଉର୍ଦ୍ଧ୍ୱ ହେକ୍ଟର ଚାଷ ଜମି ହାତୀପଲଙ୍କ ଦ୍ୱାରା ନଷ୍ଟ ହୋଇଥିବାବେଳେ କ୍ଷତିପୂରଣ ବାବଦକୁ ୧୮ଲକ୍ଷ ୨୬ହଜାର ୧୭୬ଟଙ୍କା ଦିଆଯାଇଛି। ୨୦୧୬-୧୭ରେ ଉକ୍ତ ରେଞ୍ଜରେ ୧୯୦୯ଜଣ ଲୋକଙ୍କୁ ୬୩ଲକ୍ଷ ୫୭ହଜାର ୮୧୧ଟଙ୍କା ପ୍ରଦାନ କରାଯାଇଛି।

ସେହିପରି ଆଠଗଡ ରେଞ୍ଜରେ ୩୩୧ଚାଷୀଙ୍କ ଫସଲ ନଷ୍ଟ ବାବଦକୁ କ୍ଷତିପୂରଣ ବାବଦକୁ ୯ଲକ୍ଷ ୭୪ହଜାର ୨୦୮ଟଙ୍କା ଓ ୨୦୧୬-୧୭ରେ ୭୯୯ଜଣ ଚାଷୀଙ୍କୁ କ୍ଷତିପୂରଣ ବାବଦକୁ ୨୩ଲକ୍ଷ ୧୭ହଜାର ୩୦୯ଟଙ୍କା ପ୍ରଦାନ କରାଯାଇଛି। ନରସିଂହପୁର ଇଷ୍ଟ ରେଞ୍ଜରେ ୨ବର୍ଷ ମଧ୍ୟରେ ୪୦୯ଜଣ ଚାଷୀଙ୍କୁ୧୧ଲକ୍ଷ ୯୨ହଜାର ୪୪୬ଟଙ୍କା, ନରସିଂହପୁର ଓ୍ଵଷ୍ଟ ରେଞ୍ଜରେ ୨ବର୍ଷରେ ୭୨୧ ଚାଷୀଙ୍କୁ ୧୯ଲକ୍ଷ ୪୦ହଜାର ୮ଶହ ଟଙ୍କା ଓ ବଡମ୍ବା ରେଞ୍ଜରେ ୨୮୩ ଚାଷୀଙ୍କୁ ୭ଲକ୍ଷ ୩୧ହଜାର ୩୬୧ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରାଯାଇଛି। ସରକାରୀ ତଥ୍ୟରେ ଦେଢକୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିବାବେଳେ ବେସରକାରୀ ରିପୋର୍ଟରେ କିନ୍ତୁ ଏହି କ୍ଷୟକ୍ଷତିର ପରିମାଣ ଅଧିକ ବୋଲି କ୍ଷତିଗ୍ରସ୍ତ ଲୋକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର