ଦେଢ଼କୋଟିର ରୁପା, ୧୨ଲକ୍ଷ ଟଙ୍କା ଜବତ

ଧରାପଡ଼ିଲେ ବଙ୍ଗୀୟ ଅଳଙ୍କାର ମାଫିଆ

କଟକ : ଗଞ୍ଜେଇ ଗାଡ଼ି ଧରିବାକୁ ଯାଇଥିବା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଏକ ଅନ୍ତରାଜ୍ୟ ବଙ୍ଗୀୟ ଅଳଙ୍କାର ମାଫିଆ ଗ୍ୟାଙ୍ଗ୍ ଧରାପଡ଼ିଛି। କାର୍‌ ସିଟ୍ ତଳେ ସିକ୍ରେଟ୍ ଚାମ୍ବର୍‌ରେ କୋଟିଏ ୫୬ ଲକ୍ଷ ଟଙ୍କାର ରୁପା ଓ ନଗଦ ୧୧ ଲକ୍ଷ ୯୦ ହଜାର ଟଙ୍କା ଚାଲାଣ ହେଉଥିଲା। ଏହି ମାମଲାକୁ ଅବକାରୀ ବିଭାଗ ପକ୍ଷରୁ ଜିଏସ୍‌ଟିକୁ ହସ୍ତାନ୍ତର କରାଯାଇଛି। ଜିଏସ୍‌ଟି ଏହି କାରବାରରେ ସଂପୃକ୍ତ କାର୍ ଡ୍ରାଇଭର୍ ପଶ୍ଚିମବଙ୍ଗ ପଶ୍ଚିମ ମେଦିନିପୁରର ଦିଲ୍ଲୀପ ମଣ୍ଡଳ(୪୦) ଏବଂ ଅତନୁ ପାଲ୍(୨୪)କୁ ଗିରଫ କରିଥିବା ବେଳେ ରୁପା ଓ ଟଙ୍କା ଜବତ କରିଛି।

ସୂଚନା ଅନୁଯାୟୀ, ଟାଙ୍ଗୀ ଟୋଲ୍ ଗେଟ୍ ଦେଇ ଗୁରୁବାର ସକାଳ ପ୍ରାୟ ୯ଟା ବେଳେ ଟାଟା ନେକ୍ସନ୍ ଗାଡ଼ି(ଡବ୍ଲୁ ୫୦ ଆର୍ ୫୮୭୬)ରେ ଗଞ୍ଜେଇ ଚାଲାଣ ହେଉଥିବା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଖବର ପାଇଥିଲା।

ଏହି ସୂଚନା ଆଧାରରେ ଅବକାରୀ ଅଧିକାରୀ ଟୋଲ୍ ଗେଟ୍ ନିକଟରେ ଛକିଥିବା ବେଳେ ଏହି ଗାଡ଼ି ଅତିକ୍ରମ କରିଥିଲା। ତାକୁ ଅଟକାଇ ଯାଞ୍ଚ କରିବାରେ ଗାଡ଼ିର ଆଗ ସିଟ୍ ଓ ମଝି ସିଟ୍ ତଳେ ସିକ୍ରେଟ୍ ଚାମ୍ବର୍‌ ଭିତରେ ୪୭ଟି (୧୩୯ କେଜି ୬୪୦ ଗ୍ରାମ୍‌) ରୁପା ଇଟା ଓ ୩୭ କେଜି ୭୭ ଗ୍ରାମ ରୁପା ଅଳଙ୍କାର ସମେତ ନଗଦ ୧୧ ଲକ୍ଷ ୯୦ ହଜାର ଟଙ୍କା ଥିବା ଜଣାପଡ଼ିଥିଲା। ଏହି ଗାଡ଼ିରେ ଦିଲ୍ଲୀପ ଓ ଅତନୁ ଥିଲେ। ଚୋରା ଅଳଙ୍କାର ଜିଏସ୍‌ଟି ଫାଙ୍କି କରି ଚାଲାଣ କରାଯାଇଥିବା ଜଣାପଡ଼ିବା ପରେ ଜିଏସ୍‌ଟି ଅଧିକାରୀଙ୍କୁ ସୂଚନା ଦିଆଯିବା ସହିତ ଗାଡ଼ିଟିକୁ ଅବକାରୀ କମିସନର୍‌ଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ସିଟି ଆଣ୍ଡ ଜିଏସ୍‌ଟି ଏନଫୋର୍ସମେଣ୍ଟ ଶାଖାର ଡେପୁଟି କମିସନର୍‌ ଆଶିଷ ସାହୁଙ୍କ ସମେତ ୪ ଜଣିଆ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ତଦନ୍ତରୁ ଜଣାପଡ଼ିଥିଲା ଯେ ପଶ୍ଚିମବଙ୍ଗ ଦାମଦୋରପୁରରେ ଥିବା ଅଙ୍କନ ସିଲଭର୍ ଆର୍ଟରୁ ଏହି ଇଟା ଓ ଅଳଙ୍କାର ଓଡ଼ିଶା ବଜାରରେ ବିକ୍ରି ହେବାକୁ ଆସିଥିଲା। ଗଞ୍ଜାମ ଜିଲ୍ଲା ଆସ୍କାରେ ଥିବା ହରି ଓମ୍ ଜୁଏଲାରିରେ ରୁପା ଅଳଙ୍କାର ଏହି ଦୁଇଜଣ ବିକ୍ରି କରି ୧୧ ଲକ୍ଷ ୯୦ ହଜାର ଟଙ୍କା ଆଦାୟ କରିଥିଲେ। ଅବଶିଷ୍ଟ ରୁପା ଧରି ଗାଡ଼ିରେ ଫେରୁଥିଲେ। ଖୋର୍ଧା ଓ କଟକରେ ବିକ୍ରି କରିବାକୁ ଯୋଜନାରେ ଥିବା କୁହାଯାଉଛି। ଜିଏସ୍‌ଟି ପକ୍ଷରୁ ଆସ୍କାରେ ହରି ଓମ୍ ଜୁଏଲାରିରେ ଚଢ଼ଉ ବେଳେ ଉକ୍ତ ଦୋକାନ ଖାଲି ଥିବା ଜଣାପଡ଼ିଥିଲା। ଏହି ଅଳଙ୍କାର କାରବାର ପଛର କାର୍ପଟଦାର କୁହାଯାଉଥିବା ମାଫିଆ ଗଞ୍ଜାମରେ ଥିବା ଜିଏସ୍‌ଟି ପକ୍ଷରୁ ଖବର ମିଳିଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସେ ଗଞ୍ଜାମରୁ ଫେରାର ହୋଇଯାଇଥିବା କୁହାଯାଉଛି। ଏମାନେ ଚଳିତ ମାସରେ ବି ଥରେ ଆସ୍କା ଆସିଥିଲେ। ୫୦ କେଜି ରୁପା ଅଳଙ୍କାର ଓଡ଼ିଶା ଆଣିଥିଲେ।

 

ଅବକାରୀ ବିଭାଗ ପକ୍ଷରୁ ଡିଏସ୍‌ପି ପ୍ରତାପ କୁମାର ଦାସ, ସତ୍ୟଜିତ ଖଟୁଆ, ଗୋଖେନ୍ଦ୍ର ପରିଡ଼ା, ରମେଶ ବାରିକ ପ୍ରମୁଖ ଗାଡ଼ିଟିକୁ କାବୁ କରି ଜିଏସ୍‌ଟିକୁ ହସ୍ତାନ୍ତର କରିଥିଲେ। ସିଟି ଆଣ୍ଡ ଜିଏସ୍‌ଟି ଏନଫୋର୍ସମେଣ୍ଟ ଶାଖାର ଡେପୁଟି କମିସନର୍‌ ଶ୍ରୀ ସାହୁଙ୍କ ଟିମ୍ ଏହି ବେଆଇନ ସାମଗ୍ରୀ ନିଜ ହେପାଜତକୁ ନେଇ ତଦନ୍ତ କରୁଥିବା ରାଜ୍ୟ ଅତିରିକ୍ତ ବାଣିଜ୍ୟକର ଓ ଜିଏସ୍‌ଟି କମିସନର(ଏନ୍‌ଫୋର୍ସମେଣ୍ଟ ବିଭାଗ ମୁଖ୍ୟ) ମାନଭଞ୍ଜନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର