ଭୁବନେଶ୍ୱର : ଲକ୍‌ଡାଉନ୍ ସତ୍ତ୍ୱେ ଦେଶର ବିଭିନ୍ନ ଶକ୍ତି ଉତ୍ପାଦନସ୍ଥଳୀକୁ ବାଧାହୀନ ଭାବେ କୋଇଲା ଯୋଗାଇଛି ପୂର୍ବତଟ ରେଳପଥ। ୨୨ ମାର୍ଚ୍ଚରୁ ଏପ୍ରିଲ୍ ୨୭ ମଧ୍ୟରେ ତାଳଚେର ଏବଂ ପାରାଦୀପ, ଧାମରା, ଭାଇଜାଗ୍‌ ଓ ଗଙ୍ଗାଭରମ୍ ବନ୍ଦରରୁ ୧୦.୫୦ ମିଲିଅନ୍ ଟନ୍ କୋଇଲା ବୋଝେଇ କରି ୨୬୮୩ଟି ମାଲ୍‌ବାହୀ ଟ୍ରେନ୍‌ ଦେଶର ବିଭିନ୍ନ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ପରିବହନ କରିଛି।

Advertisment

ତାଳଚେର ଅଞ୍ଚଳରେ ମହାନଦୀ କୋଲଡ୍ ଫିଲ୍‌ଡର ୧୧ଟି କୋଇଲା ବୋଝେଇ ସାଇଡିଂ ରହିଛି। ସେଠାରୁ ଏନ୍‌ଟିପିସି, ସମ୍ବଲପୁର ଶକ୍ତି ଉତ୍ପାଦନ କେନ୍ଦ୍ର ଓ ଦକ୍ଷିଣ ଭାରତର ବିଭିନ୍ନ ଶକ୍ତି ଉତ୍ପାଦନ କେନ୍ଦ୍ରକୁ ପରିବହନ ଲଗାତର ଭାବେ ଚାଲିଛି। ରାଉରକେଲା ଇସ୍ପାତ କାରଖାନା, ଭାଇଜାଗ୍ କ୍ୟାପ୍‌ଟିଭ୍ ପାୱାର୍ ପ୍ଲାଣ୍ଟ୍ ଏବଂ ଦେଶର ବିଭିନ୍ନ ସ୍ଥାନରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ କୋଇଲା ପରିବହନ କରୁଛି। ଏହି ଲକ୍‌ଡାଉନ୍ ସମୟରେ ପୂର୍ବତଟ ରେଳପଥ ୬.୪୮ ମିଲିଅନ୍ ଟନ୍ ଥର୍ମାଲ୍ କୋଇଲା ୧୬୯୫ଟି ଟ୍ରେନ୍ ଦ୍ୱାରା ପରିବହନ କରିଛି। ପାରାଦୀପ ବନ୍ଦର ରେଳପଥରେ ପୋଡ଼ା କୋଇଲା, ଆମଦାନି କୋଇଲା ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ପରିବହନ ହୋଇଛି। ଏଥିସହ ପାରାଦୀପ ବନ୍ଦର ମଧ୍ୟକୁ ଆମଦାନି କୋଇଲା ରେଳ ଦ୍ୱାରା ପରିବହନ ହେଉଛି। ଏହି ସମୟରେ ୧.୩୦ ମିଲିଅନ୍ ଟନ୍ ଆମଦାନି କୋଇଲା ୩୨୨ଟି ଟ୍ରେନ୍‌ରେ ପାରାଦୀପରୁ ବୋଝେଇ କରାଯାଇ ପରିବହନ କରାଯାଇଛି। ସେହିପରି ଧାମରା ବନ୍ଦର ୧.୨୧ ମିଲିଅନ୍ ଟନ୍ କୋଇଲା ୨୯୫ଟି ଟ୍ରେନ୍‌ରେ ବୋଝେଇ କରି ବିଭିନ୍ନ ଶିଳ୍ପ ସଂସ୍ଥାଗୁଡ଼ିକୁ ପରିବହନ କରିଛି। ଭାଇଜାଗ୍ ବନ୍ଦର ୦.୯୫ ମିଲିଅନ୍ ଟନ୍ ଆମଦାନୀ କୋଇଲା ୨୩୨ଟି ଟ୍ରେନ୍‌ରେ ବୋଝେଇ କରି ଦେଶର ବିଭିନ୍ନ ଶିଳ୍ପାଞ୍ଚଳକୁ ପଠାଉଥିବା ବେଳେ ଗଙ୍ଗାଭରମ୍ ବନ୍ଦର ୦.୩୯ ମିଲିଅନ୍ ଟନ୍ କୋଇଲା ୯୬ଟି ଟ୍ରେନ୍‌ରେ ବୋଝେଇ କରି ପରିବହନ କରିଛି। ଏହି ଲକ୍‌ଡାଉନ୍ ସମୟରେ ପୂର୍ବତଟ ରେଳପଥ ୩.୯୦ ମିଲିଅନ୍ ଟନ୍ ଆମଦାନୀ କୋଇଲା ଓ ୬.୬୦ ମିଲିଅନ୍ ଟନ୍ ଥର୍ମାଲ୍ (ତାପୀୟ) କୋଇଲା ବୋଝେଇ କରି ଦେଶର ବିଭିନ୍ନ ଶିଳ୍ପାଞ୍ଚଳକୁ ପରିବହନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।