ଅତ୍ୟାବଶ୍ୟକ ମାଲ୍‌ ପରିବହନକୁ ସୁନିଶ୍ଚିତ କଲା ରେଳବାଇ, ୪ଦିନରେ ୧.୬ ଲକ୍ଷ ଵାଗନ ମାଲ ପରିବହନ ହେଲାଣି

ଭୁବନେଶ୍ବର: ସାରା ଦେଶ କରୋନା ଭୂତାଣୁ ମହାମାରୀ ସଂକ୍ରମଣ କାରଣରୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ ରହିଥିବା ସ୍ଥିତିରେ ଭାରତୀୟ ରେଳବାଇ ଦେଶବାସୀଙ୍କ କଲ୍ୟାଣ ନିମନ୍ତେ ସମ୍ପୂର୍ଣ୍ଣ ରୂପେ ସଂକଳ୍ପବଦ୍ଧ ରହିଛି ବୋଲି ଆଜି କର୍ତ୍ତୃପକ୍ଷ ଜଣାଇଛନ୍ତି। ଏକ ପ୍ରେସ ଇସ୍ତାହାରରେ ସଂସ୍ଥା ଏ ସଂକ୍ରାନ୍ତ ହିସାବ ରଖିଛି। ରେଳବାଇ ପକ୍ଷରୁ କୁହାଯାଇଛି, ୧ ଲକ୍ଷରୁ ଅଧିକ ୱାଗନ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଭାରତୀୟ ରେଳବାଇ ଦ୍ୱାରା ସୁନିଶ୍ଚିତ କରାଯାଇଛି। ଫଳରେ ସାରା ଦେଶରେ କାମ କାର୍ଯ୍ୟ ସଠିକ ଢଙ୍ଗରେ ଜାରି ରହିବ ଏବଂ ଯୋଗାଣ ଶୃଙ୍ଖଳା ମଧ୍ୟ ନିରନ୍ତର ଚାଲୁ ରହିବ। ସବୁ ରାଜ୍ୟରେ ଲକଡାଉନ ସମୟରେ ଦେଶବ୍ୟାପୀ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଯେପରି ପ୍ରଭାବିତ ନହୁଏ ତାହା ସୁନିଶ୍ଚିତ କରିବା ଲାଗି ବିଭିନ୍ନ ଗୁଡ୍ସ ସେଡ, ଷ୍ଟେସନ ଓ ନିୟନ୍ତ୍ରଣ କାର୍ଯ୍ୟାଳୟରେ ନିୟୋଜିତ ଭାରତୀୟ ରେଳବାଇର କର୍ମଚାରୀ ୨୪ ଘଣ୍ଚା କାମ କରୁଛନ୍ତି।

ହିସାବ ଦେଇ କର୍ତ୍ତୃପକ୍ଷ କହିଛନ୍ତି, ୨୩ ତାରିଖରେ ମୋଟ ୨୬,୫୭୭ ୱାଗନରେ ଖାଦ୍ୟ ଶସ୍ୟ, ଲୁଣ, ଖାଇବା ତେଲ, ଚିନି, କ୍ଷୀର, ଫଳ ଓ ପନିପରିବା, ପିଆଜ, କୋଇଲା ଓ ପେଟ୍ରୋଲିୟମ ଉତ୍ପାଦ ଭଳି ଆବଶ୍ୟକ ସାମଗ୍ରୀ ପରିବହନ କରାଯାଇଥିଲା। ଏଥିରେ ୧୧୬୮ ୱାଗନ ଖାଦ୍ୟ ଶସ୍ୟ, ୪୨ ୱାଗନ ଫଳ ଓ ପନିପରିବା, ୪୨ ୱାଗନ ପିଆଜ, ୪୨ ୱାଗନ ଚିନି, ୧୬୮ ୱାଗନ ଲୁଣ, ୨୦ ୱାଗନ କ୍ଷୀର, ୨୨୪୭୩ ୱାଗନ କୋଇଲା ଏବଂ ୨୩୨୨ ୱାଗନ ପେଟ୍ରୋଲିୟମ ଉତ୍ପାଦ ସାମିଲ ରହିଛି। ୨୪ ତାରିଖରେ ମୋଟ ୨୭,୭୪୨ ୱାଗନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଇଥିଲା। ଏଥିମଧ୍ୟରେ ୧୪୪୪ ୱାଗନ ଖାଦ୍ୟଶସ୍ୟ, ୮୪ ୱାଗନ ଫଳ ଓ ପନିପରିବା, ୧୬୮ ୱାଗନ ଲୁଣ, ୧୫ ୱାଗନ କ୍ଷୀର, ୫୦ ଟ୍ୟାଙ୍କ ଖାଇବା ତେଲ, ୨୪,୨୦୭ ୱାଗନ କୋଇଲା ଓ ୧୭୭୪ ୱାଗନ ପେଟ୍ରୋଲଜାତ ଉତ୍ପାଦ ସାମିଲ ରହିଥିଲା। ସେହିଭଳି ୨୫ ତାରିଖରେ ମୋଟ ୧୩,୦୯୭ ୱାଗନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଇଥିଲା । ଏଥିମଧ୍ୟରେ ୮୭୬ ୱାଗନ ଖାଦ୍ୟଶସ୍ୟ, ୪୨ ୱାଗନ ଲୁଣ, ୪୨ ୱାଗନ ଚିନି,୧୫ ୱାଗନ କ୍ଷୀର, ୨୦୪୧୮ ୱାଗନ କୋଇଲା ଓ ୧୭୦୪ ୱାଗନ ପେଟ୍ରୋଲଜାତ ଉତ୍ପାଦ ସାମିଲ ରହିଥିଲା। ୨୬ ମାର୍ଚ୍ଚରେ ମୋଟ ୨୪୦୦୯ ୱାଗନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଇଥିଲା। ଏଥିମଧ୍ୟରେ ୧୪୧୭ ୱାଗନ ଖାଦ୍ୟଶସ୍ୟ, ୪୨ ୱାଗନ ଲୁଣ, ୪୨ ୱାଗନ ଚିନି, ୨୦୭୮୪ ୱାଗନ କୋଇଲା ଓ ୧୭୨୪ ୱାଗନ ପେଟ୍ରୋଲଜାତ ଉତ୍ପାଦ ସାମିଲ ରହିଥିଲା ।

କୋଭିଡ-୧୯ ସଂକ୍ରମଣ ଯୋଗୁ ଲାଗୁ ହୋଇଥିବା କଟକଣା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ବିନା କୌଣସି ବାଧାରେ ସୁଚାରୁ ରୂପେ ସମ୍ପନ୍ନ କରିବା ଲାଗି ରାଜ୍ୟ ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ରେଳବାଇ ଜଣାଇଛି। କେବଳ ସେତିକି ନୁହେଁ, ଭାରତୀୟ ରେଳବାଇ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀର ବାଧାମୁକ୍ତ ପରିବହନ ଅନୁଧ୍ୟାନ ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଜରୁରିକାଳୀନ ମାଲ ନିୟନ୍ତ୍ରଣ ପ୍ରକୋଷ୍ଠ କାର୍ଯ୍ୟକ୍ଷମ କରାଯାଇଛି। ବରିଷ୍ଠ ଅଧିକାରୀମାନେ ମାଲ ପରିବହନ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି।

ସମ୍ବନ୍ଧିତ ଖବର