ଖଣ୍ଡଗିରି: ସୋମବାର ରାତିରେ ପୁଣି ଜଣେ ବ୍ରାଉନ୍ ସୁଗାର ବେପାରୀକୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ଅଭିଯୁକ୍ତ ହେଲେ ସ୍ଥାନୀୟ ଧର୍ମବିହାର ନିକଟ ତାରିଣୀ ବସ୍ତିରେ ରହୁଥିବା ପୁରୀ ଡେଲାଙ୍ଗ ଥାନା ପାତ୍ରପୁର ଗାଁର ପବିତ୍ର ପୃଷ୍ଟି ଓରଫ୍ ବାପି(୪୦)। ତା’ ନିକଟରୁ ୨୦ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି।
ପୁଲିସ ସୂଚନାନୁସାରରେ ବାପି ଜଣେ ପେସାଦାର ବେପାରୀ। ଦୀର୍ଘ ଦିନ ଧରି ସେ ଲକ୍ଷ୍ମୀସାଗର ହଳଦୀପଡ଼ିଆ ବସ୍ତିରେ ରହି ବ୍ରାଉନ୍ସୁଗାର ବେପାର କରୁଥିଲା। କିନ୍ତୁ ସେଠାରେ ଧରପଗଡ଼ ଜୋରଦାର୍ ହେବା ପରେ ସେ ହଳଦୀପଡ଼ିଆ ବସ୍ତି ଛାଡ଼ି ଦେଇଥିଲା। ଥରେ ପୁଲିସ ଚଢ଼ଉବେଳେ ସେ ଜଣେ କନ୍ଷ୍ଟେବଲଙ୍କ ହାତକୁ କାମୁଡ଼ି ଦେଇଥିଲା ଏବଂ ଘଟଣାସ୍ଥଳରୁ ପୁଲିସକୁ ଚକ୍ମା ଦେଇ ଫେରାର୍ ହୋଇଯାଇଥିଲା। ସେହି ଦିନଠାରୁ ସେ ହଳଦୀପଡ଼ିଆ ବସ୍ତି ଛାଡ଼ି ଖଣ୍ଡଗିରି ଅଞ୍ଚଳରେ ଡେରା ପକାଇଥିଲା। ସୋମବାର ରାତି ପ୍ରାୟ ୧୦ଟା ସମୟରେ ସେ ବ୍ରାଉନ୍ସୁଗାର ପୁଡ଼ିଆ ଧରି ଉଦୟଗିରି ପାହାଡ଼ ହନୁମାନ ମନ୍ଦିର ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ବସିଥିଲା। କାରଣ ଧୂର୍ତ ବାପି ବହୁ ସମୟରେ ବିଳମ୍ବିତ ରାତିରେ ହିଁ ନିଶାଖୋର୍ ଗରାଖମାନଙ୍କୁ ବ୍ରାଉନ୍ସୁଗାର ଯୋଗାଇଥାଏ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ବାପି ବସିଥିବା ସ୍ଥାନରେ ପହଞ୍ଚି ତାକୁ ଗିରଫ କରିଥିଲା। ବାପି ଗିରଫ ହେବା ପରେ ତାରିଣୀ ବସ୍ତିରେ ବ୍ରାଉନ୍ ସୁଗାର ବେପାର ଚାଲିଥିବା ଜଣାପଡ଼ିଛି। ଖୁବ୍ ଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।
ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସରେ ଖୋର୍ଧା ରାଧାବଲ୍ଲଭ ସାହିର କୁଖ୍ୟାତ ବ୍ରାଉନ୍ସୁଗାର ବେପାରୀ ଛୋଟା ଟୁଲୁ ଓରଫ୍ ଶୁଭ୍ରାଂଶୁ ପରିଡ଼ା(୩୩)କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଥିଲା। ଏହା ପୂର୍ବରୁ ଘାଟିକିଆ ଅଞ୍ଚଳର ବିପ୍ଳବ ଭୂୟାଁ ଓରଫ୍ ଜିତୁ(୪୦) ଓ ଯୁଧିଷ୍ଠିର ଦାସ(୪୧)ଙ୍କୁ ଏହି ବେପାର କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ସେହିଭଳି ସ୍ଥାନୀୟ ଜୟଦେବ ବାଟିକା ଛକରୁ ଅବକାରୀ ପୁଲିସ ଆଉ ଜଣେ ନିଶା ବେପାରୀ ସ୍ଥାନୀୟ ଘାଟିକିଆର ମଙ୍ଗରାଜ ଦଳେଇ(୩୫)କୁ ଗିରଫ କରିଥିଲା ଓ ତା’ଠାରୁ ୬ ଗ୍ରାମ ବ୍ରାଉନ୍ସୁଗାର ଜବତ କରାଯାଇଥିଲା। ଏହା ପୂର୍ବରୁ ୨୦୧୬ ନଭେମ୍ବର ୨୫ ତାରିଖରେ ପୁଲିସ ନାକାଗେଟ୍ ନିକଟସ୍ଥ ଏକ ମଠ ପାଖରୁ ସ୍ଥାନୀୟ ଘାଟିକିଆର କମଳ ସେନାପତି ଓରଫ୍ ହାଓ୍ଵା(୪୦) ଓ ତା’ର ସହଯୋଗୀ ଖୋର୍ଧାର ଟୁଲୁ ପରମଗୁରୁକୁ ଗିରଫ କରିଥିଲା।
ଧରାପଡ଼ିଲା ନିଶା ବେପାରୀ ବାପି, ୨୦ ଗ୍ରାମ୍ ବ୍ରାଉନସୁଗାର ଜବତ
/sambad/media/post_attachments/wp-content/uploads/2017/10/c-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)