ରା.ଉଦୟଗିରି : ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଛେଳିଗଡ଼ ପଞ୍ଚାୟତ ପାଟପାଣି ଗାଁ ନିକଟରେ ଥିବା ଏକ ନଦୀପଠାରେ ଖେଳୁଥିବାବେଳେ ପିଲାଙ୍କ ଉପରେ ମାଟି ଅତଡ଼ା ଖସିପଡ଼ିଥିଲା। ଏଥିରେ ପୋତିହୋଇ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ମୃତକ ହେଲେ ଈଶ୍ୱର ରଇତ(୯)। ଗୁରୁତର ହେଲେ, ଭୀମା ଶବର(୧୫) ଓ ଗୌତମ ରଇତ (୧୦)। ଏବେ ବି ଭୀମା ଓ ଗୌତମ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଉଭୟଙ୍କ ଅବସ୍ଥା ସ୍ଥିର ରହିଛି ଓ ସେମାନେ ବିପଦମୁକ୍ତ ଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଅପରାହ୍ନ ଗୋଟାଏ ବେଳେ ପାଟପାଣି ନୂଆସାହିର ୭ଜଣ ଶିଶୁ ଗ୍ରାମ ନିକଟରେ ଥିବା ନଦୀପଠାକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ପୂର୍ବରୁ ବାଲିଖେଳରେ ମାତି ଯାଇଥିଲେ। ମାଟି ଅତଡ଼ା ଧସିବା ଆରମ୍ଭ କରିଥିବା ବେଳେ ଖେଳ ଲୟରେ ସେମାନେ ଜାଣିପାରି ନଥିଲେ। ଦୁର୍ଭାଗ୍ୟବଶତଃ ଅଚାନକ ମୁଣ୍ଡ ଉପରେ ଥିବା ମାଟିରୁ ବଡ଼ଧରଣର ଅତଡ଼ା ଖସିପଡ଼ିଥିଲା। ଫଳରେ, ମାଟି ଗଦା ଭିତରେ ୩ଜଣ ଶିଶୁ ଈଶ୍ୱର, ଭୀମା ଓ ଗୌତମ ପୋତିହୋଇ ରହିଯାଇଥିଲେ। ଅଘଟଣରୁ ବର୍ତ୍ତି ଯାଇଥିବା ଶିଶୁମାନେ ଗାଁକୁ ଦୌଡ଼ିଯାଇ ଲୋକଙ୍କୁ ଖବର ଦେବାପରେ ମାଟିଗଦା ଭିତରୁ ପିଲାଙ୍କୁ ଉଦ୍ଧାର କରାଯାଇଥିଲା। ଗାଁ ଲୋକେ ୩ ଶିଶୁଙ୍କୁ ମାଟିତଳୁ ଉଦ୍ଧାର କରି ଅଚେତ ଅବସ୍ଥାରେ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଈଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ। ଈଶ୍ୱରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।