‘କାଳିଆ’ରୁ ବାଦ୍ ପଡ଼ିବେ ଅଯୋଗ୍ୟ, ଯୋଜନାରେ ସାମିଲ୍‌ ହେବାକୁ ୧ କୋଟି ଦରଖାସ୍ତ

ଭୁବନେଶ୍ବର: ‘କାଳିଆ’ ଯୋଜନାରୁ ବାଦ୍ ପଡ଼ିବେୁ ଅଯୋଗ୍ୟ ହିତାଧିକାରୀ। ତାଲିକାରେ ସାମିଲ୍‌ ହୋଇ ପ୍ରଥମ କିସ୍ତି ଟଙ୍କା ନେଇଥିଲେ ବି ଅଯୋଗ୍ୟ ବିବେଚିତ ହେଲେ ନାମ କାଟି ଦିଆଯିବ। ଏଥି ପାଇଁ କୃଷି ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ୱେବ୍‌ସାଇଟ୍‌ରେ ହିତାଧିକାରୀଙ୍କ ତାଲିକା ଦେବା ସହ ସବୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ତାଲିକା ଲଗାଯାଇଛି। ଅଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବା ପାଇଁ ନିଜ ଆଡ଼ୁ ଆବେଦନ ନ କଲେ ସରକାର ଯାଞ୍ଚ୍ କରି ନାମ କାଟିଦେବେ।

କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ‘କାଳିଆ’ ଯୋଜନାରେ ୫୧ ଲକ୍ଷ ହିତାଧିକାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିଲା ବେଳେ ୧୪ ଲକ୍ଷ ଭୂମିହୀନ ଚାଷୀ। ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ସ୍ତରରେ କମିଟି ଗଠନ କରାଯାଇଛି। ପ୍ରତି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀ ତାଲିକା ଲଗାଯିବାର ବ୍ୟବସ୍ଥା କରାଯାଇଛି। ଏହାର ଦୁଇଟି ଲକ୍ଷ୍ୟ ରହିଛି। ପ୍ରଥମତଃ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା। ଦ୍ବିତୀୟତଃ କାଳିଆ ଯୋଜନାରେ ସାମିଲ ହେବା ପାଇଁ ମିଳିଥିବା ଏକ କୋଟି ଦରଖାସ୍ତ ମଧ୍ୟରୁ ପ୍ରକୃତ ହିତାଧିକାରୀଙ୍କୁ ବାଛିବା। ଶ୍ରୀ ଗର୍ଗ ଆହୁରି କହିଛନ୍ତି, ଯେଉଁମାନଙ୍କ ନାମ ଭୁଲ୍‌ବଶତଃ ତାଲିକାରେ ରହିଛି ଓ ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି, ସେମାନେ ନିଜ ନାମ ତାଲିକାରୁ ବାଦ୍ ଦେବା ପାଇଁ ଆବେଦନ କରିପାରିବେ। ଯଦି ସେମାନେ ନିଜ ଆଡ଼ୁ ଆବେଦନ ନ କରନ୍ତି, ତେବେ ଆମେ ଅଯୋଗ୍ୟଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବୁ। ଏହି ଅଯୋଗ୍ୟ ହିତାଧିକାରୀଙ୍କ ସମ୍ପର୍କରେ ଅନ୍ୟମାନେ ମଧ୍ୟ ସୂଚନା ଦେଇପାରିବେ।

ସମ୍ବନ୍ଧିତ ଖବର