ଭୁବନେଶ୍ବର: ରାଜ୍ୟରେ ଏବେ ବର୍ଷକୁ ୬୮ଲକ୍ଷ ମେଟ୍ରିକ ଟନ୍ ଧାନ ଉତ୍ପାଦନ ହେଉଥିବାବେଳେ ରାଜ୍ୟ ସରକାର ଧାନର ଏମ୍ଏସ୍ପି ୩୧୦୦ଟଙ୍କାକୁ ବଢ଼ାଇଥିବାରୁ ଅଧିକ ଧାନ ଫସଲ ହୋଇଥିବା କୁହାଯାଉଛି। ଏହାକୁ ନଜରରେ ରଖି ଚଳିତବର୍ଷ ଏକ କୋଟି ମେଟ୍ରିକ ଟନ୍ ଧାନ କିଣିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଖରିଫ୍ ଧାନ ସଂଗ୍ରହ ଓ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ୩୧୦୦ ଟଙ୍କା ଲାଗୁ କରିବା ନେଇ ସମୀକ୍ଷା କରିଛନ୍ତି। କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖି ଧାନର ବର୍ଦ୍ଧିତ ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ ଓ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାର ସରଳୀକରଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀଙ୍କ ସୁବିଧା ପାଇଁ ମଣ୍ଡିରେ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ସହ ସଂଗୃହିତ ଧାନକୁ ସୁରକ୍ଷିତ ରଖିବା ନିମନ୍ତେ ପର୍ଯ୍ୟାପ୍ତ ଗୋଦାମ ଗୃହ ନିର୍ମାଣ କରିବା, କୃଷକମାନଙ୍କ ସର୍ବାଧିକ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଖରିଫ ଧାନ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ଏମ୍ଏସ୍ପି ୩୧୦୦ ଟଙ୍କାରେ ଧାନ ସଂଗ୍ରହ ହେବ
ଇ-ବାହନ ଆପ୍ରେ ଧାନସଂଗ୍ରହ କରୁଥିବା ଗାଡ଼ିର ଜିପିଏସ୍ ଟ୍ରାକିଂ ହେବ
ଗୁଣବତ୍ତା ଯାଞ୍ଚ ପାଇଁ ‘ଅଟୋମେଟିକ୍ ଗ୍ରେନ୍ ଆନାଲାଇଜର୍’ ବ୍ୟବସ୍ଥା
ଧାନ ମଣ୍ଡିକୁ ଯିବାର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହାର ମୂଲ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଉଛି। ଏହି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ମଣ୍ଡିରେ ଧାନ ସଂଗ୍ରହରେ ବାୟୋମେଟ୍ରିକ ପଦ୍ଧତି ଓ ଆଧାର ସଂଯୋଗୀକରଣ ବ୍ୟବସ୍ଥା ହୋଇଛି। ଇ-ବାହନ ଆପ୍ ଯୋଗେ ଧାନ ସଂଗ୍ରହ କରୁଥିବା ଗାଡ଼ିର ଜିପିଏସ୍ ସହାୟତାରେ ଟ୍ରାକିଂ କରାଯିବ। ଏହା ଦ୍ୱାରା ମଧ୍ୟସ୍ଥି ଓ ଦଲାଲଙ୍କ ଦୌରାତ୍ମ୍ୟ କମିବ ବୋଲି ଆଶା କରାଯାଉଛି। ଧାନସଂଗ୍ରହ ସମୟରେ ଧାନର ଗୁଣବତ୍ତା ଯାଞ୍ଚ କରିବା ପାଇଁ ‘ଅଟୋମେଟିକ୍ ଗ୍ରେନ୍ ଆନାଲାଇଜର’ର ବ୍ୟବସ୍ଥା ରହିବ। ସେହିପରି ଧାନର ପ୍ରକ୍ରିୟାକରଣ ସମୟରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟଯୋଗାଣ, ପଞ୍ଚାୟତିରାଜ, ରାଜସ୍ୱ ଆଦି ବିଭାଗର ଅଧିକାରୀମାନେ ଜିଲ୍ଲା ଗସ୍ତ କରି କ୍ଷେତ୍ର ସ୍ତରରେ ପ୍ରତ୍ୟକ୍ଷ ଯାଞ୍ଚ କରିବେ ଏବଂ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ। ପିପିପି ମୋଡ୍ରେ ଗୋଦାମ ଗୃହ ନିର୍ମାଣ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି।
ଏହି ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ମୁଖ୍ୟ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଅତିରିକ୍ତ ମୁଖ୍ୟ ସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିସନର ଦେଓ ରଞ୍ଜନ କୁମାର ସିଂହଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/Xaj65IoDDitBDRT98Q7D.jpg)