ରାଉରକେଲା: ଚାଉଳ ଯୋଗାଣ ଦୁର୍ନୀତିର ଚେର ଏତେ ଗଭୀର ଯେ ଯେତେ ଖୋଳିଲେ ସେତେ ବାହାରୁଛି। ମିଲ୍‌ରୁ ଚାଉଳ ବାହାରିବାଠାରୁ ହିତାଧିକାରୀଙ୍କ ଘରେ ପହଞ୍ଚିବା ପର୍ଯ୍ୟନ୍ତ, ସବୁକ୍ଷେତ୍ରରେ ବେଆଇନ୍‌ ପନ୍ଥା ଅବଲମ୍ବନ କରାଯାଉଛି। ଏପରିକି ଗୋଦାମରେ ନିୟୋଜିତ ଶ୍ରମିକଙ୍କ ଟଙ୍କା ହଡ଼ପ କରାଯିବା ଭଳି ସଙ୍ଗିନ ଅଭିଯୋଗ ଆସିଛି।

Advertisment

ଶ୍ରମିକଙ୍କୁ ଚାଉଳର ମାନ ଯାଞ୍ଚ, ଅନଲୋଡିଂ ପାଇଁ ନିୟୋଜିତ କରାଯାଏ। କିନ୍ତୁ ଗୋଦାମ ଭିତରକୁ ଯିବା ପୂର୍ବରୁ ଚାଉଳ ଯାଞ୍ଚ କରାଯାଉ ନଥିବାରୁ ଉକ୍ତ ବାବଦକୁ ଅର୍ଥ ପାଇବାରୁ ଶ୍ରମିକମାନେ ବଞ୍ଚିତ ହେଉଛନ୍ତି। ଅପରପକ୍ଷରେ ଉକ୍ତ ଟଙ୍କାକୁ ଠିକାଦାର ଓ ଯୋଗାଣ ବିଭାଗ ଭାଗବାଣ୍ଟି ଚଳୁ କରିନେଉଥିବା ଅଭିଯୋଗ ହେଉଛି।

ସରକାରଙ୍କ ନିୟମ ଅନୁସାରେ, ମିଲ୍‌ରୁ ଚାଉଳ ଆସିଲାପରେ ଗୋଦାମ ଭିତରକୁ ଯିବା ପୂର୍ବରୁ ମାନ ଯାଞ୍ଚ କରିବା ନିତାନ୍ତ ଆବଶ୍ୟକ। ଗୋଦାମ ବାରଣ୍ଡାରେ ଚାଉଳର ମାନ, ରଙ୍ଗ, ଚାଉଳ ଭାଙ୍ଗିଛି ନା ନାହିଁ ଆଦି ଯାଞ୍ଚ ହେବା କଥା। ଏହାସହ ପ୍ରତ୍ୟେକ ବସ୍ତାରେ ୫୦.୫୫୦ କେଜି ଚାଉଳ ଅଛି ନା ନାହିଁ ତାକୁ ଓଜନ କରିବା ବାଧ୍ୟତାମୂଳକ। ଏହି ଯାଞ୍ଚ ପାଇଁ ମିଲ୍‌ ପକ୍ଷରୁ ଗୋଟିଏ ପର୍ଯ୍ୟାୟ, ୫୬୦ ପ୍ୟାକେଟ ଚାଉଳ ପାଇଁ ୩୬୦୦ ଟଙ୍କା ଦିଆଯାଇଥାଏ। ଏହି କ୍ରମରେ ପ୍ରତି ବସ୍ତା ପିଛା ୬.୪୨ ଟଙ୍କା ଦିଆଯାଏ।

ଚାଉଳର ମାନ ଯାଞ୍ଚପରେ ଗୋଦାମ ଭିତରକୁ ନେଇ ଅନଲୋଡ୍‌ କରିବା ବାବଦକୁ ୫.୮୦ ଟଙ୍କା ସରକାରଙ୍କ ପକ୍ଷରୁ ଦିଆଯାଇଥାଏ। ଅର୍ଥାତ୍‌, କେବଳ ଯାଞ୍ଚ ଓ ଗୋଦାମ ଭିତରେ ଅନଲୋଡିଂ ପାଇଁ ପାଖାପାଖି ୧୨ ଟଙ୍କା ଠିକାଦାର ପାଉଛନ୍ତି। କିନ୍ତୁ ଖୋଲାଖୋଲି ଏହି ନିୟମର ଉଲ୍ଲଂଘନ କରାଯାଉଛି। ସଂପୃକ୍ତ ଠିକାଦାର ମିଲ୍‌ରୁ ଆସୁଥିବା ଚାଉଳକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚନକରି ସିଧାସଳଖ ଗୋଦାମ ଭିତରେ ଅନଲୋଡିଂ କରୁଛନ୍ତି। ଫଳରେ ମିଲ୍‌ରୁ ମିଳୁଥିବା ବସ୍ତା ପିଛା ୬.୪୨ ଟଙ୍କାକୁ ଚଳୁ କରିଦେଉଛନ୍ତି।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ୯ଟି ଗୋଦାମ ରହିଛି। ସେଗୁଡ଼ିକ ହେଲା ରାଉରକେଲାର ଏସ୍‌ଟିଆଇ ଓ ଏଫ୍‌ସିଆଇ, ବେଦବ୍ୟାସ, ହେମଗିର, ଉଜ୍ବଲପୁର, ତେଲିଯୋର(ବାଲିଶଙ୍କରା), କୁତ୍ରା, ବେଦବ୍ୟାସ ଓ ବଣାଇଗଡ଼। ପର୍ଯ୍ୟାୟକ୍ରମେ ୨/୩ ମାସରେ ଥରେ ଚାଉଳ ଆସିଥାଏ। ମୋଟାମୋଟିଭାବେ ଜିଲ୍ଲାକୁ ମାସିକ ୪୦ ହଜାର କ୍ବିଣ୍ଟାଲ (୮୦ ହଜାର ପ୍ୟାକେଟ୍‌) ଚାଉଳ ଆସିଥାଏ। ଏହି କ୍ରମରେ ଠିକାଦାର ବସ୍ତାପ୍ରତି ୬.୪୨ ଟଙ୍କା ହିସାବରେ, ମାସିକ ପାଖାପାଖି ୫ ଲକ୍ଷ ୧୪ ହଜାର ଟଙ୍କାକୁ ନିଜ ପକେଟ୍‌ରେ ଭରୁଛନ୍ତି।

ଅର୍ଥାତ୍‌, ବାର୍ଷିକ ପାଖାପାଖି ୬୧/୬୨ ଲକ୍ଷ ଟଙ୍କା ବିନା କାମରେ ଠକି ନେଉଛନ୍ତି। କେବଳ ଏତିକି ନୁହେଁ, ଗୋଦାମରେ ନିୟୋଜିତ ଶ୍ରମିକଙ୍କୁ ସରକାରୀ ନିର୍ଦ୍ଦେଶାନାମା ମୁତାବକ ମଜୁରି ଦିଆନଯାଇ ସେମାନଙ୍କୁ ବି ଶୋଷଣ କରାଯାଉଛି। ଗୋଦାମ ଭିତରେ ଅନଲୋଡିଂ ପାଇଁ ନିୟୋଜିତ ଶ୍ରମିକଙ୍କୁ ୫.୮୦ ଟଙ୍କା ଦିଆଯିବା କଥା। କିନ୍ତୁ ରାଉରକେଲାରେ କେବଳ ଶ୍ରମିକଙ୍କୁ ୪ଟଙ୍କା ଲେଖାଏ ଦିଆଯାଉଥିବାବେଳେ ଅନ୍ୟ ସବୁ ଗୋଦାମରେ ୩/୩.୫୦ ଟଙ୍କା ଦିଆଯାଉଛି।

ଏହାଦ୍ବାରା ଠିକାଦାର ବସ୍ତା ପ୍ରତି, ଦେଢ଼ରୁ ୨ ଟଙ୍କା ଲେଖାଏ ବସ୍ତାପିଛା ଲାଭ ରଖୁଛନ୍ତି। ଏହି କ୍ରମରେ, ମାସିକ ୮୦ ହଜାର ପ୍ୟାକେଟ୍‌ ଚାଉଳ ଅନଲୋଡିଂ ବାବଦକୁ ପାଖାପାଖି ଦେଢ଼ରୁ ୨ ଲକ୍ଷ ଟଙ୍କା ଲୁଟିନେଉଛନ୍ତି। ମୋଟାମୋଟିଭାବେ ଚାଉଳର ମାନ ଯାଞ୍ଚ କରାନଯିବା ଓ ଗୋଦାମ ଭିତରେ ଅନଲୋଡିଂ ବାବଦକୁ, ବାର୍ଷିକ ଅନ୍ୟୁନ ୧ କୋଟି ଟଙ୍କାର ଦୁର୍ନୀତି ହେଉଛି।

ଏହି ଦୁର୍ନୀତିରେ କେବଳ ସଂପୃକ୍ତ ଠିକାଦାର ନୁହନ୍ତି, ବରଂ ଯୋଗାଣ ବିଭାଗର କିଛି ଅଧିକାରୀ, ମିଲ୍‌ କର୍ତ୍ତୃପକ୍ଷ ମଧ୍ୟ ଜଡ଼ିତଥିବା କହାଯାଉଛି। କାରଣ, ମିଲ୍‌ରୁ ଚାଉଳ ଆସିଲାପରେ ବାରଣ୍ଡାରେ ତା’ର ଯାଞ୍ଚ କରିବା ହେଉଛି କ୍ବାଲିଟି ଅଫିସର, ଯୋଗାଣ ନିରୀକ୍ଷକଙ୍କ ଦାୟିତ୍ବ। ଯାଞ୍ଚ କରାନଯିବା ପଛରେ ଏହି ସରକାରୀ ଅଧିକାରୀଙ୍କ ପରୋକ୍ଷ ସହଯୋଗ ରହୁଥିବା ଅଭିଯୋଗ ହେଉଛି।

ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଦୁର୍ଗା ଚରଣ ବେସ୍ରା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସରକାରୀ ନିୟମ ଅନୁସାରେ ଗୋଦାମ ବାହାରେ ଚାଉଳ ଅନ୍‌ଲୋଡ୍ ହୋଇ ମାନ ଯାଞ୍ଚ ହେବା କଥା। ଯଦି ଏଭଳି ହେଉ ନାହିଁ ତା​’ହେଲେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଏ ସଂପର୍କରେ ସଂପୃକ୍ତ ଶ୍ରମିକ ବା ଅନ୍ୟ କେହି ଆମକୁ ଅଭିଯୋଗ ବା ଦୃଷ୍ଟି ଆକର୍ଷଣ କରି ନାହାନ୍ତି। ତଥାପି ଏହାର ଯାଞ୍ଚ କରି ପଦକ୍ଷେପ ନେବୁ ବୋଲି ଶ୍ରୀ ବେସ୍ରା କହିଛନ୍ତି।