ଏକମାତ୍ର ସରକାରୀ ଧର୍ମଶାଳାକୁ ଟେକି ଦେବା ଅନୁଚିତ: ମହେଶ୍ବର
କାହା ଅନୁମତିରେ ବନ୍ଦ ହେଲା: ବିଧାୟକ
ବିନା କ୍ୟାବିନେଟରେ କେମିତି ହେଲା ବିକ୍ରି?
ପୁରୀ : ପୁରୀ ବଡଦାଣ୍ଡରେ ଥିବା ଶତାଧିକ ବର୍ଷର ବଗଲା ଧର୍ମଶାଳା ବିସ୍ଥାପିତଙ୍କୁ ବିକ୍ରି ହେବା ଜଣାପଡିବା ପରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶପାଇଛି। ସହରର ବୁଦ୍ଧିଜୀବୀ ରାଜନେତା ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଶହେ ବର୍ଷର ଅନୁଷ୍ଠାନକୁ କାହିଁକି ଲୋକଙ୍କ ହାତକୁ ଟେକି ଦିଆଗଲା? ଜିଲ୍ଲାପାଳ କେଉଁ ଆଇନ ବଳରେ ଏହାକୁ ବିସ୍ଥାପିତଙ୍କୁ ବିକ୍ରି କଲେ? ଶ୍ରୀମନ୍ଦିର ୫୦୦ ମିଟର ପରିଧି ଭିତରେ ବହୁ ସରାକରୀ ଜମି ଥିବା ବେଳେ ବଗଲା କାହିଁକି ଚୟନ କରାଗଲା, ଏକ ନିର୍ମାଣଧୀନ ପ୍ରକଳ୍ପକୁ ବନ୍ଦ କରି ଏଭଳି ନିଷ୍ପତ୍ତି କିଏ ନେଲା,? ମଙ୍ଗଳାଘାଟରେ ବିସ୍ଥାପିତଙ୍କ ଜମି ପାଇଁ ଯଦି କ୍ୟାବିନେଟ ମୋହର ଦରକାର ପଡିଲା? ବଗଲା ପାଇଁ କାହିଁକି ପଡିଲା ନାହିଁ? ସିଧାଳସଖ ଗରିବଙ୍କୁ ସ୍ବଳ୍ପ ମୂଲ୍ୟରେ ରହଣି ସୁବିଧା ଦେଉଥିବା ବଗଲାକୁ କାହିଁକି ପ୍ରଶାସନ ବିକିଲା, ଏବେ ପୁଣି ଏଠାରେ ଥିବା କୋଠାକୁ ଭାଂଗିବାକୁ କୁହାଯାଇଛି? ଏହା ପଛରେ ଏକ ବଡ଼ ଧରଣର କେଳେଙ୍କାରୀ ରହିଥିବା ନେଇ ଏବେ ପୁରୀରେ ଚର୍ଚ୍ଚା ଜୋର ଧରିଛି।
ଖୋଦ୍ ସରକାରୀ ଦଳରୁ ବି ବିରୋଧର ସ୍ବର ଶୁଭିଛି। ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି ଏହାକୁ ବିରୋଧ କରିଛନ୍ତି। ପୁରୀରେ ବଗଲା ଏକମାତ୍ର ସରକାରୀ ଧର୍ମଶାଳା, ବର୍ଷ ବର୍ଷ ଧରି ଏହା ଗରିବ ତଥା ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ଆଶ୍ରୟ ଯୋଗାଇ ଆସୁଥିଲା। ବଡଦାଣ୍ଡରେ ଥିବା ଏହି ଏକମାତ୍ର ସରକାରୀ ଧର୍ମଶାଳାକୁ ଲୋକଙ୍କ ହାତକୁ ଟେକି ଦେବା ନିଷ୍ପତ୍ତି ଅନୁଚିତ। ସରକାର ଏହାର ପୁନଃବିଚାର କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।
ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ମଧ୍ୟ ଜିଲ୍ଲାପାଳଙ୍କ ଏ ନିଷ୍ପତ୍ତିକୁ କଡା ଭାଷାରେ ସମାଲୋଚନା କରିଛନ୍ତ। ବଗଲା ଗରିବଙ୍କ ଏକ ଭରସା କେନ୍ଦ୍ର ଥିଲା, ଏଠି ଶସ୍ତାରେ କେବଳ ଲୋକ ରହୁନଥିଲେ, ବହୁ ସାମାଜିକ କାମ ମଧ୍ୟ ହେଉଥିଲା। ଏଠାରେ ଶ୍ରୀଜଗନ୍ନାଥ ଆଶ୍ରୟସ୍ଥଳ ପ୍ରକଳ୍ପ ନିର୍ମାଣଧୀନ ଥିବା ବେଳେ ଏହାକୁ ବନ୍ଦ କରି ବିକ୍ରି କରିଦେବା ଅନୁଚିତ, ତୁରନ୍ତ ଏହାର ପୁନଃବିଚାର କରିବାକୁ ବିଧାୟକ ଦାବି କରିଛନ୍ତି। ପୁରୀର ବୁଦ୍ଧିଜୀବୀ ମଧ୍ୟ ସମାନ ମତ ରଖିଛନ୍ତି।
ପ୍ରକାଶ ଯେ, ବଳଗଣ୍ଡି ମୌଜାର ଖାତା ୨୪୨ ପ୍ଳଟ ନମ୍ବର ୪୯୬ ରୁ ଥିବା ମୋଟ ୩୪୦ ଡେସିମିଲ ଜମିକୁ ୬ଜଣ ବିସ୍ଥାପିତଙ୍କୁ ଜିଲ୍ଲାପାଳ ବିକ୍ରି କରିଛନ୍ତି। ଗତ ଅଗଷ୍ଟ ୫ରୁ ୧୨ ତାରିଖ ମଧ୍ୟରେ ଏହାର ବିକ୍ରୟ କରାଯାଇଛି। ପ୍ଲଟର ୦.୬୮ ଡେସିମିଲ ଜମିକୁ ଗତ ୫ରେ ବିଜୟଲକ୍ଷ୍ମୀ ଖୁଣ୍ଟିଆ ଓ ଜୟଲକ୍ଷ୍ମୀ ଖୁଣ୍ଟିଆ, ୩୪ ଡେସିମିଲ ଜମିକୁ ବଟକୃଷ୍ଣ ମୁଦ୍ରା, ୧୩୬ ଡେସିମିଲ ଜମି ଭିତର ସେବାୟତ ନିଯୋଗକୁ ବିକ୍ରି କରାଯାଇଛି। ସେହିଭଳି ଗତ ୧୦ ତାରିଖରେ ୩୪ ଡେସିମିଲ ଜମି କଳ୍ପନା ମହାନ୍ତି,, ୧୨ ତାରିଖରେ ୭୮ ଡେସିମିଲ ଜମି ଜ୍ୟୋସ୍ନାରାଣୀ ସାହୁ ଓ ଦୀପକ କୁମାର ସାହୁଙ୍କୁ ବିକ୍ରି କରାଯାଇଛି। ବଡଦାଣ୍ଡକୁ ଲାଗି ରହିଥିବା ମୂଲ୍ୟବାନ ବଗଲା ଜମିକୁ ଏହି ବିସ୍ଥାପିତଙ୍କୁ ଦିଆଯାଇଛି। ଜିଲ୍ଲା ପ୍ରଶାସନ ତା’ର ପୂର୍ବ ଚୁକ୍ତି ମୁତାବକ ଏହି ଜମି ଦେଇଥିବା କୁହାଯାଉଛି।
୭୫ ମିଟର ପରିଧି ଭିତରେ ନିଜର ଲଜିଂ ଓ ଜମି ହରାଇଥିବା ଏହି ବିସ୍ଥାପିତଙ୍କୁ ୩୦୦ ମିଟର ପରିଧି ଭିତରେ ଜମି ଦେବାକୁ ପ୍ରଶାସନ କଥା ଦେଇଥିଲା। ସେହି ଆଧାରରେ ଏହି ଜମି ଦିଆଯାଇଥିଲା ବୋଲି ଯୁକ୍ତି କରାଯାଉଛି। ତେବେ ଏହି ପରିଧି ଭିତରେ ଉତ୍କଳ ହିନ୍ଦି ବିଦ୍ୟାପୀଠ, ଅନ୍ନପୂର୍ଣ୍ଣା ଥିଏଟର, ମଣିରାମ ମଠ, ମାଜଣା ଜାଗା, ପୁରୁଣା ଜେଲ ମଧ୍ୟ ତାଲିକାରେ ଥିଲା। ଏପରିସ୍ଥଳେ ବିସ୍ଥାପିତ ବଗଲାକୁ କାହିଁକି ଚୟନ କରିଥିଲେ। ପ୍ରଶାସନ ମଧ୍ୟ ବିନା ଦ୍ବିଧାରେ ତଥାସ୍ତୁ କିଭଳି କରିଦେଇଥିଲା, ଏଥିରେ ଆପତ୍ତି କରିନଥିଲା କାହିଁକ? ଏହା ବୁଝାପଡ଼ୁନାହିଁ।
ଅନ୍ୟପକ୍ଷରେ ବଗଲା ଧର୍ମଶାଳା ଜାଗାରେ କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନା ଓ ରାଜ୍ୟ ସରକାରଙ୍କ ଅନୁଦାନରେ ଶ୍ରୀଜଗନ୍ନାଥ ବିଶ୍ରାମ ସ୍ଥଳୀ ନିର୍ମାଣ କାର୍ଯ୍ୟ ଚାଲିଥିଲା। ପ୍ରାୟ ୧୮ କୋଟି ଟଙ୍କା ବ୍ୟୟରେ ଏହା ହେବାର ଥିଲା। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସେଠାମରେ ୫ ତାଲା ବଶିଷ୍ଟ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ ପାଇଁ ଗତ ୨୦୧୮ ଜୁଲାଇ ୨୪ରେ ତାରିଖରେ (ଚିଠି ନଂ ୧୦୦୭୦) ଅନୁମତି ମଧ୍ୟ ଦେଇଥିଲେ। ତେବେ ନିର୍ମାଣଧୀନ ଏକ ପ୍ରକଳ୍ପକୁ ବନ୍ଦ କରି ପ୍ରଶାସନ ବେଆଇନ ଭାବେ ଏହାକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି।
ଓଡ଼ିଶା ବିହାର ପ୍ଲେସେସେ ଅଫ ପିଲିଗ୍ରିମ ଆକ୍ଟକୁକୁ ଗତ ୨୦୧୭ରେ ରଦ୍ଦ କରି ଦିଆଗଲା। ଫଳରେ ଲଜିଂ ହାଉସଫଣ୍ଡ ଅଧିନରେ ଥିବା ବଗଲାର ସମସ୍ତ ସଂପତ୍ତି ପୌରସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା। ପୌରସଂସ୍ଥା ବା ପରିଷଦ ନଥିବା ବେଳେ ଏବେ ଏହାକୁ ବିକ୍ରି କରାଯାଇଛି। ଏହାର ଆରଓଆରକୁ ପରିବର୍ତ୍ତନ କରାଯାଇଛି। ଏ ସମସ୍ତ କାମ ଆଇନ ଅନୁସାରେ ଓ ସରକାରଙ୍କ ନିର୍ଦ୍ଦେଶରେ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ ବିନୟ ଦାଶ ଆଜି ଗଣମାଧ୍ୟମକୁ ସଫେଇ ଦେଇଛନ୍ତି। ତେବେ ଏ ସମସ୍ତ ଘଟଣାର ତଦନ୍ତ କରାଯିବା ସହିତ ବଗଲା ଜାଗାରେ ଗରିବଙ୍କ ପାଇଁ ଏକ ଧର୍ମଶାଳା ହେଉ ଓ ଏହା ଦାନ କରିଥିବା ବ୍ୟକ୍ତି କହ୍ନେୟାଲାଲଙ୍କ ନାମରେ କରାଯାଉ ବୋଲି ସହରର ବୁଦ୍ଧିଜୀବୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/bagala.jpg)