ଟିକ୍‌ଟକ୍‌ ଭିଡିଓ କଳାବେଳେ ନଦୀରେ ବୁଡିଗଲେ ୪, ଜଣେ ନାବାଳିକା ମୃତ; ୩ ଗୁରୁତର

ବାଲିକୁଦା: ଟିକ୍‌ଟକ କରିବାକୁ ନଦୀକୂଳକୁ ଯାଇଥିବା ୪ ଜଣ ନାବାଳକ-ନାବାଳିକା ଭାଇ-ଭଉଣୀ ଆଜି ନଈରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଜଗତ୍‌ସିଂହପୁର ଜିଲ୍ଲା ମାଛଗାଁ ଅଞ୍ଚଳର ଦେବୀନଦୀରେ ଏହି ଦୁଃଖଦ ଘଟଣା ଘଟିଛି। ଗୁରୁତର ଜଣେ ନାବାଳକକୁ ବାଲିକୁଦା ଡାକ୍ତରଖାନାରେ ଏବଂ ୨ ନାବାଳିକାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ ନାବାଳିକା ହେଉଛନ୍ତି ଜଗତସିଂହପୁର ଥାନା ରାଇବରେଇ ଗାଁର ନିତ୍ୟାନନ୍ଦ ନାୟକଙ୍କ ଝିଅ ପୂଜା (୧୪)। ଆହତ ୩ ଜଣ ହେଉଛନ୍ତି ଦେପଡା ଗାଁର ପ୍ରସାଦ ପରିଡାଙ୍କ ୧୩ ବର୍ଷର ପୁଅ ଅମରେଶ ଓ ୧୫ ବର୍ଷର ଝିଅ ପ୍ରଜ୍ଞା ଏବଂ ନାଉଗାଁ ଥାନା ଓଷକଣା ଗାଁର ଅବିନାଶ ସ୍ବାଇଁଙ୍କ ୧୪ ବର୍ଷର ଝିଅ ନିଲମ।

ମିଳିଥିବା ସୂଚନା ମୁତାବକ ଆଜି ମଙ୍ଗପୁର ଗାଁର ପ୍ରଭାତ ଜେନାଙ୍କର ଘର ଛାତ ପଡୁଥିଲା। ସେଥିପାଇଁ ଏହି ୪ ଜଣ ମାମୁ ଘରକୁ ବୁଲି ଆସିଥିଲେ। ଘର ଛାତ ପଡୁଥିବାବେଳେ ୪ ଭାଇଭଉଣୀ ନଦୀ କୂଳକୁ ଟିକ୍‌ଟକ୍‌ କରିବା ପାଇଁ ଯାଇଥିଲେ। ନଦୀ କୂଳରେ ସମସ୍ତେ ମୋବାଇଲରେ ସୁଟିଂ କରି ଟିକ୍‌ଟକ୍‌ କରୁଥିବାବେଳେ ଅସାବଧାନତା ହେତୁ ପୂଜା ନଦୀ ଭିତରକୁ ଖସି ପଡିଥିଲା। ପୂଜାକୁ ବଞ୍ଚାଇବାକୁ ଯାଇ ଜଣକ ପରେ ଜଣେ ନଦୀ ଭିତକୁ ପଶିଥିଲେ। ତେବେ ପାଣି ସୁଅରେ ତିନି ଜଣ ଭାସିଯାଉଥିବା ଦେଖି ଅବିନାଶ ସ୍ବାଇଁଙ୍କ ଝିଅ ନିଲମ ଫୋନ କରି ମାମୁ ଘର ଲୋକଙ୍କୁ ଡାକ ପକାଇଥିଲା ଓ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିଜେ ନଦୀ ଭିତରକୁ ପଶିଥିଲା। କିନ୍ତୁ ନିଲମ ମଧ୍ୟ ଭାସି ଯାଇଥିଲା। ନିଲମର ଫୋନ ପାଇ ନଦୀ କୂଳରେ ମାମୁଁ ଘର ଲୋକ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରିଥିଲେ। ଖବରପାଇ ବାଲିକୁଦା ଅଗ୍ନିଶମ ବିଭାଗ ମଧ୍ୟ ପହଞ୍ଚିଥିଲା। କିନ୍ତୁ ଉଦ୍ଧାର ବେଳକୁ ପୂଜାର ମୃତ୍ୟୁ ଘଟି ସାରିଥିଲା।

ସମ୍ବନ୍ଧିତ ଖବର