ପାରଳାଖେମୁଣ୍ଡି/ ବ୍ରହ୍ମପୁର : ବୁଧବାର ପାହାନ୍ତାରେ ଗଞ୍ଜାମ ଜିଲ୍ଲାର ତପ୍ତପାଣି ଘାଟିରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ଅନ୍ୟୂନ ୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ୪ଜଣଙ୍କ ଏବଂ ମେଡିକାଲରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖପ୍ରକାଶ କରିଛନ୍ତି। ଏଥିସହିତ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ରାଶି ସହ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି।

Advertisment

୮ ଜଣ ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ୬ ମହିଳା ରହିଛନ୍ତି। ସେମାନଙ୍କ ପରିଚୟ ମିଳି ଯାଇଛି। ମୃତକମାନେ ସୁନିଲ ନାୟକ, ଆର ରମେଶ ବେହେରା, ଝୁନୁ ବେହେରା, ସଂଘମିତ୍ରା ମହାପାତ୍ର, ଅନ୍ବେଷା ମହାପାତ୍ର, କରିସ୍ମା ନାୟକ, ସୁବାସିନୀ ମହାରଣା  ଓ ବିଦ୍ୟୁତ ନାୟକ ବୋଲି ଜଣାପଡ଼ିଛି।

publive-image

ସୂଚନାଯୋଗ୍ୟ, ରାୟଗଡ଼ାର କାଶୀପୁରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ ‘‘ସାଇଶ୍ରୀ’’ ରାତି ପ୍ରାୟ ୩ଟା ବେଳେ ମୋହନା ବ୍ଲକ୍‌ ଅନ୍ତର୍ଗତ ତପ୍ତପାଣି ଘାଟିରେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତା ଅସ୍ପଷ୍ଟ ହୋଇଯାଇଥିବା କାରଣରୁ ବସ୍‌ଟି ଘାଟିରୁ ତଳକୁ ଖସି ପଡ଼ିଥିବା କଥା କୁହାଯାଉଛି।

ତେବେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ଵିତ ପାଇଁ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୪୦ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଦିଗପହଣ୍ଡି ଏବଂ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଚିକିତ୍ସା ଜାରି ରହିଛି।