ଜଂକିଆ: ଖୋର୍ଦ୍ଧାଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଛଣଗିରି ସ୍ଥିତ ସାଇ ସୋନୁ ଅଳଙ୍କାର ଦୋକାନରୁ ଗତ ମାସ ୨୪ ତାରିଖ ଦିନ ୨ ଟା ସମୟରେ ଲୁଟ ହୋଇଥିବା ୧୧ କେଜି ସୁନା ରୁ ପୂର୍ବରୁ ପ୍ରାୟେ ୧ କେଜି ସୁନା ଉଦ୍ଧାର କରାଯାଇଥିବାବେଳେ ୪ ଗିରଫ ହୋଇଥିଲେ। ଆଜି ଆଉ କେଜିଏ ସୁନା ମିଳିଥିବା ବେଳେ ଦୁଇ ଜଣ ଡ଼କାୟତଙ୍କୁ ଖୋର୍ଦ୍ଧା ପୋଲିସ ଗିରଫ କରିଥିବା ଆଜି ପୋଲିସ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହୋଇଛି। ପ୍ରକାଶ ଥାଉ କି ଗତ ମାସ ୨୪ ତାରିଖରେ ଛଣଗିରି ସ୍ଥିତ ସାଇ ସୋନୁ ଅଳଙ୍କାର ଦୋକାନରୁ ୮ ଜଣ ଲୁଟେରା ଆସି ବନ୍ଧୁକ ଓ ବୋମା ଫୁଟାଇ ୧୧ କେଜି ୫୦୦ ଗ୍ରାମ ଓ ୫ କେଜି ରୂପା ଅଳଂକାର ପ୍ରାୟେ ସାଢେ଼ ୧୧ କୋଟି ଟଙ୍କାର ସୁନା ଓ ରୂପା ଅଳଂକାର ଲୁଟ କରି ନେବା ସହିତ ନଗଦ ଟଙ୍କା ନେଇଯାଇଥିଲେ। ପୁଲିସ କେନ୍ଦ୍ରାଞ୍ଚଳ ଡିଆଇଜି ଡ ସତ୍ୟଜିତ ନାୟକ ଓ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କ ନେତୃତ୍ୱରେ ସମୁଦାୟ ୫ ଟିମ ଗଠନ କରାଯାଇ ବିଭିନ୍ନ ଦିଗକୁ ତର୍ଜମା କରି ଚଢ଼ାଉ କରାଯାଇଥିଲା।
ସଂପୃକ୍ତ ଫେରାର ଅଭିଯୁକ୍ତ ମାନଙ୍କୁ ଗିରଫ ଓ ଆଉ ଲୁଟ ସାମଗ୍ରୀକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଥିବା ଗତ ୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଡିଆଇଜି ସତ୍ୟଜିତ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଜଂକିଆ ଥାନା କେସ୍ ନମ୍ବର ୨୯୭ ତାରିଖ ୨୪.୮.୨୫ ଧାରା ୩୧୦ (୨) ବିଏନ୍ଏସ୍/ଧାରା ୨୫/୨୭ ଅସ୍ତ୍ରଶସ୍ତ୍ର ଆଇନ/୫ ଇଏସ୍ ଆଇନ ଅନୁଯାୟୀ ପୁଲିସ ତଦନ୍ତ କରି ଖୋର୍ଦ୍ଧା, ପୁରୀ ଓ କଟକ ଅଞ୍ଚଳରୁ ୪ ଜଣ ଲୁଟେରାଙ୍କୁ ଗିରଫ କରିଥିବା ସୂଚନା ଦେଇଥିଲେ | ଉକ୍ତ ଦିନ ୩ ଜଣ ଡ଼କାୟତ ଓ ଜଣେ କ୍ରେତା କୁ ଗିରଫ କରାଯାଇଥିବାବେଳେ ଅନ୍ୟ ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଠିକଣା ସ୍ପଷ୍ଟ ଜଣାପଡୁ ନ ଥିବାବେଳେ ନୟାଗଡ ଅଞ୍ଚଳର ଦୁଇ ଜଣ, ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ଜଣେ , ପୁରୀ ଜିଲ୍ଲା କଣାସ ଅଞ୍ଚଳର ଜଣେ ସନ୍ଦିଗ୍ଧ ଥିବା ପୁଲିସ ସୂଚନା ଦେଇଥିଲା। ପୁଣି ପୋଲିସ ଡିଆଇଜି ଡ ସତ୍ୟଜିତ ନାୟକ ଓ ଏସପି ବିବେକାନନ୍ଦ ଶର୍ମା ଙ୍କ ନେତୃତ୍ୱରେ ଆଉ କେଜିଏ ସୁନା , ଦୁଇ କେଜି ରୂପା ଜବତ କରାଯାଇଥିବାବେଳେ ଦୁଇ ଜଣ ଡକାୟତଙ୍କୁ ଗିରଫ କରାଯାଇଥିବା ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ଶ୍ରୀ ଶର୍ମା ସୂଚନା ପ୍ରଦାନ କରିଛନ୍ତି।
ପୋଲିସ ଉକ୍ତ ଡକାୟତି ଘଟଣାରେ କଟକ ଜିଲ୍ଲା ପୁରୀଘାଟ ଥାନା ବୁରୁଜ ସାହି ଉପର ତେଲେଙ୍ଗା ବଜାର ରୁ ମନୋଜ କୁମାର ଜେନାଙ୍କ ପୁତ୍ର ପ୍ରଭାକର ଜେନା ଓରଫ୍ ଡୁମ୍ପର ( ୨୪) କୁ ଗିରଫ କରି ସେ ଏକ ଅଙ୍ଗନବାଡି ନିକଟରେ ମାଟି ତଳେ ଲୁଚେଇ ରଖିଥିବା ୫୧୧ ଗ୍ରାମ ସୁନା ଓ ୧୦୧୦ ଗ୍ରାମ ରୂପା ଅଳଂକାର ସହିତ ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ବାଗିପଡା ଗ୍ରାମର ପ୍ରଶାନ୍ତ ପାଇକରାୟଙ୍କ ପୁତ୍ର ଅଜିତ ପାଇକରାୟ ଓରଫ ମିଳନ ( ୨୩) କୁ ଗିରଫ କରାଯାଇ ତା ଠାରୁ ୫୦୨ ଗ୍ରାମ ସୁନା , ୧୨୨୧ ଗ୍ରାମ ରୂପା ଅଳଂକାର ଜବତ କରିଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଏସପି ବିବେକାନନ୍ଦ ଶର୍ମା, ଖୋର୍ଦ୍ଧା ସଦର ଏସପି ନିହାର ରଞ୍ଜନ ପ୍ରଧାନ, ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଙ୍କ ସମେତ ଜଂକିଆ ଆଇଆଇସି ସୁଶାନ୍ତ କୁମାର ବେହେରା, ନିରାକାରପୁର ଆଇଆଇସି ବିଶ୍ୱଜିତ୍ ରାଉତରାୟ, ଖୋର୍ଦ୍ଧା ସଦର ଥାନା ଆଇଆଇସି କାହୁଁ ଚରଣ ସ୍ୱାଇଁ, ବାଲୁଗାଁ ଥାନା ଆଇଆଇସି ଜେପି ପରିଡ଼ା, ବାଣପୁର ଆଇଆଇସି ଆର ଦେବତା, ଟାଙ୍ଗୀ ଥାନା ଆଇଆଇସି ଆର କେ ଭୁଜବଳ ଓ ସ୍ଵତନ୍ତ୍ର ସ୍କ୍ୱାର୍ଡ ପୋଲିସ ପ୍ରମୁଖ ଉପସ୍ଥିତ ଥିଲେ। ଅଭିଯୋଗ ଅନୁଯାୟୀ ଡକାୟତ ହୋଇଥିବା ୧୧ କେଜିରୁ ସମୁଦାୟ ୧୯୧୩ ଗ୍ରାମ ୬୫୦ ମିଲି ଗ୍ରାମ ସୁନା ଓ ୪୫୯୪ଗ୍ରାମ ୯୪୦ ମିଲି ଗ୍ରାମ ମିଳିଥିବାବେଳେ ଆଉ ୯ କେଜି କେବେ ପୋଲିସ ହାତରେ ପଡୁଛି ତାହା ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/09/12/po-2025-09-12-22-26-55.jpeg)