ଭୁବନେଶ୍ବର: ଓଡ଼ିଶାରେ ୫ହଜାର ଟଙ୍କାରେ ଲୋକଙ୍କୁ ମିଳିବ ୧ କିଲୋୱାଟ୍‌ର ୟୁଏଲ୍‌ଏ(ୟୁଟିଲିଟି ଲେଡ୍‌ ଏଗ୍ରିଗେସନ୍‌) ମଡେଲ୍‌ ସୋଲାର୍ ବିଜୁଳି ସଂଯୋଗ। ଟାଟା ପାୱାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ଏହି ସୁବିଧା ଯୋଗାଇଦେବ। ପ୍ରଥମ କରି ଓଡ଼ିଶାରେ ଏହି ଯୋଜନା ଆରମ୍ଭ ହୋଇଛି। ଏଥିପାଇଁ ସେପ୍ଟେମ୍ବରରେ ପଞ୍ଜୀକରଣ ଓ ଅକ୍ଟୋବରରୁ ପଞ୍ଜୀକୃତଙ୍କୁ ସଂଯୋଗୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଅତିବେଶିରେ ୩ ଘଣ୍ଟା ଭିତରେ ସଂଯୋଗ ପ୍ରକ୍ରିୟା ଶେଷ ହେବ। ପଞ୍ଜୀକରଣ ପାଇଁ ସ୍ଥାନୀୟ ଟାଟା ପାୱାରର ଡିସକମ୍ କାର୍ଯ୍ୟାଳୟରେ ଯୋଗାଯୋଗ କରିପାରିବେ। 

Advertisment

ଏଥିପାଇଁ ସ୍ବତନ୍ତ୍ର ଆପ୍ଲିକେସନ୍ ବି ବିକଶିତ କରାଯାଉଛି। ଏହି ସୋଲାର୍ ବିଜୁଳି ଭିତ୍ତିଭୂମି ପ୍ରାୟ ୧୮୦ କିମି ବେଗର ଝଡ଼ପବନକୁ ବି ପ୍ରତିହତ କରିପାରିବ। ବିଜୁଳି ପ୍ରତିହତ କରିବା ପାଇଁ ସୁଦୃଢ଼ ଆର୍ଥିଂ ବ୍ୟବସ୍ଥା ବି ଏଥିରେ ରହିବ ବୋଲି ଟାଟା ପାୱାର ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ବିଜିନେସ୍‌ ସିଇଓ ଗଜାନନ ଏସ୍‌ କାଲେ କହିଛନ୍ତି।
ପାୱାର ହାଉସ୍ ଛକସ୍ଥିତ ଟାଟା ଡିଷ୍ଟ୍ରିବ୍ୟୁସନ୍ ଟେକ୍ନୋଲୋଜି ସେଣ୍ଟର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାଲେ କହିଛନ୍ତି, ଏହି ଯୋଜନାରେ ସମୁଦାୟ ୬୦ହଜାର ଟଙ୍କା ଖର୍ଚ୍ଚ ହେବ। ଯେଉଁଥିରୁ ଉଭୟ କେନ୍ଦ୍ର(୩୦ହଜାର ଟଙ୍କା) ଓ ରାଜ୍ୟ ସରକାର(୨୫ହଜାର ଟଙ୍କା) ୫୫ହଜାର ଟଙ୍କାର ରିହାତି ଯୋଗାଇ ଦେବେ। ବାକି ୫ହଜାର ଟଙ୍କା ଆବେଦନକାରୀଙ୍କୁ ଦେବାକୁ ପଡ଼ିବ। ଯୋଗ୍ୟ ଆବେଦନକାରୀଙ୍କ ଛାତରେ ମାତ୍ର ୧୦୦ ବର୍ଗଫୁଟ ଜାଗାରେ ଏହି ବ୍ୟବସ୍ଥା ହୋଇପାରିବ। ଯେଉଁଥିରେ ୪ଟି କଂକ୍ରିଟ୍ ସ୍ତମ୍ଭ(ପ୍ରତି ସ୍ତମ୍ଭର ଓଜନ ପ୍ରାୟ ୪୦ କେଜି), ୪ଟି ମୋନା ସୋଲାର ପ୍ୟାନେଲ୍, ରସାୟନିକ ଆର୍ଥିଂ ବ୍ୟବସ୍ଥା, ୧୦୦ ମିଟର କେବୁଲ୍ ଓ ଅନ୍ୟାନ୍ୟ ଭିତ୍ତିଭୂମି ଅନ୍ତର୍ଭୁକ୍ତ ରହିଛି। ସୋଲାର୍ ବିଜୁଳି ବ୍ୟବସ୍ଥା କାର୍ଯ୍ୟକ୍ଷମ ପାଇଁ ଦୁଇଟି ମିଟର ବସିବ।

ସେପ୍ଟେମ୍ବରରେ ପଞ୍ଜୀକରଣ, ଅକ୍ଟୋବରରୁ ସଂଯୋଗ
ଓଡ଼ିଶାର ୩ ଲକ୍ଷଙ୍କୁ ସଂଯୋଗ ଦେବାକୁ ଲକ୍ଷ୍ୟ

ଗୋଟିଏ ନେଟ୍ ମିଟର ଓ ଅନ୍ୟଟି ସୋଲାର ମିଟର। ୬୦ହଜାର ଟଙ୍କାର ନେଟ୍ ମିଟର ମାଗଣାରେ ମିଳିବ, କିନ୍ତୁ ସୋଲାର ମିଟର ପାଇଁ ଆବେଦନକାରୀଙ୍କୁ ଅତିରିକ୍ତ ପ୍ରାୟ ୩୮୦୦ ଟଙ୍କା ଦେବାକୁ ପଡ଼ିବ। କିନ୍ତୁ ଏହି ୧ କିଲୋୱାଟ୍ ସୋଲାର୍ ବିଜୁଳି ସଂଯୋଗରେ ଗ୍ରାହକ ୧ କିଲୋୱାଟ୍ ଭିତରେ ହିଁ ବିଜୁଳି ବ୍ୟବହାର କରିପାରିବ। ଯଦି ୨ କିଲୋୱାଟ୍ ଅବା ଏହାଠାରୁ ଅଧିକ କିଲୋୱାଟ୍ ବିଜୁଳି ସଂଯୋଗ ନେବାର ଅଛି, ସେମାନେ ପୂର୍ବରୁ ଥିବା ଅନ୍ୟ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ବିଜୁଳି ଯୋଜନାରେ ସଂଯୋଗ ନେଇପାରିବେ। ୧ କିଲୋୱାଟ୍‌ର ଏହି ସୋଲାର ରୁଫ୍‌ଟପ୍‌ ବ୍ୟବସ୍ଥାରେ ମାସିକ ୧୦୦ କିଲୋୱାଟ୍‌ର ବିଜୁଳି ଉତ୍ପାଦନ ହୋଇପାରିବ ଓ ବାର୍ଷିକ ୫ହଜାର ଟଙ୍କାର ବିଜୁଳି ସଂଚୟ ହୋଇପାରିବ। ଶ୍ରୀ କାଲେ କହିଛନ୍ତି, ଏହି ସୋଲାର ବିଜୁଳି ସଂଯୋଗର ଯନ୍ତ୍ରାଂଶ ଉପରେ ୫ ବର୍ଷର ପରିଚାଳନା ଖର୍ଚ୍ଚ ମାଗଣା ରହିବ। ସୋଲାର୍‌ ପ୍ୟାନେଲ୍‌ ଉପରେ ୨୫ ବର୍ଷର ୱାରେଣ୍ଟି ରହିବ। ଯଦି କୌଣସି ସମସ୍ୟା ଦେଖାଦେବ, ଗ୍ରାହକ ସ୍ଥାନୀୟ ଡିସକମ୍ କାର୍ଯ୍ୟାଳୟ ଅବା ଟୋଲ୍ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଆମେ ୩ଲକ୍ଷ ଲୋକଙ୍କୁ ଏହି ସଂଯୋଗ ଦେବାର ଲକ୍ଷ୍ୟ ରଖିଛୁ। ଯେଉଁମାନେ ଆଗ ପଞ୍ଜୀକରଣ କରିବେ, ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସଂଯୋଗ ଦିଆଯିବ ବୋଲି ଶ୍ରୀ କାଲେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଟାଟା ପାୱାରର ଅଧିକାରୀ ଅମିତ ଗର୍ଗ, ଅରବିନ୍ଦ ସିଂହ, ପ୍ରବୀଣ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।