କଟକ : ହାଇକୋର୍ଟରେ ୨୦୨୧ ତୁଳନାରେ ୨୦୨୨ରେ ମାମଲା ଫଏସଲା ସଂଖ୍ୟା ବହୁ ଅଧିକ ରହିଛି। ହାଇକୋର୍ଟରେ ୨୦୨୧ ବର୍ଷରେ ୧୦୫,୧୮୨ଟି ମାମଲା ଫଏସଲା ହୋଇଥିଲା। ୨୦୨୨ ନଭେମ୍ବର ମାସ ଶେଷ ସୁଦ୍ଧା ଗତ ବର୍ଷର ସଂଖ୍ୟା ଠାରୁ ୨୦ ହଜାରରୁ ଅଧିକ ମାମଲା ଫଏସଲା ହୋଇ ସାରିଲାଣି। ଚଳିତ ବର୍ଷ ନଭେମ୍ବର ମାସ ଶେଷ ସୁଦ୍ଧା ୧ ଲକ୍ଷ ୨୫ ହଜାର ୨୯୨ ମାମଲା ହାଇକୋର୍ଟରେ ଫଏସଲା ହୋଇ ସାରିଥିବା ବେଳେ ଡିସେମ୍ବର ମାସ ଶେଷ ହେବା ପରେ ୨୦୨୨ ବର୍ଷର ସଂପୂର୍ଣ୍ଣ ତଥ୍ୟ ସମ୍ମୁଖକୁ ଆସିବ। ଏହି ସଂଖ୍ୟା ଆଉ ଅଧିକ ହେବା ଏକ ପ୍ରକାର ସ୍ପଷ୍ଟ। ଚଳିତ ବର୍ଷ ୭୯ ହଜାର ୩୯୮ଟି ସିଭିଲ୍ କେସ୍ ଓ ୪୫ ହଜାର ୮୯୪ଟି କ୍ରିମିନାଲ କେସ୍ ଫଏସଲା କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଚଳିତ ବର୍ଷ ନଭେମ୍ବର ସୁଦ୍ଧା ୯୪ ହଜାର ୩୦୨ଟି ମାମଲା ଦାୟର ହୋଇଥିବା ବେଳେ ‌ଫଏସଲା ହୋଇଥିବା ମାମଲା ସଂଖ୍ୟା ୧ ଲକ୍ଷ ୨୫ ହଜାର ୨୯୨ ରହିଛି। ତେଣୁ ଓଡ଼ିଶା ହାଇକୋର୍ଟରେ ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ମାମଲା ଫଏସଲା ହାର ୧୩୨.୮୫ ରହିଥିଲା।

Advertisment

ଜାନୁଆରିରେ ବିଚାରାଧୀନ ମାମଲା ସଂଖ୍ୟା ୨ ଲକ୍ଷ ଥିବା ବେଳେ ଏବେ ଲକ୍ଷେ ୬୪ ହଜାର

publive-image Times of India

ଅନ୍ୟପକ୍ଷରେ ଗତ ବର୍ଷ ମାମଲା ଫଏସଲା ହାର ୮୧.୬୭ ଥିଲା। ୨୦୨୧ ଡିସେମ୍ବର ଶେଷରେ ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୯୬ ହଜାର ୭୮୫ ରହିଥିବା ବେଳେ ୨୦୨୨, ଜାନୁଆରି ଶେଷକୁ ଏହି ସଂଖ୍ୟା ୨ ଲକ୍ଷ ୨ ହଜାର ୯୬୬ରେ ପହଞ୍ଚିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ହାଇକୋର୍ଟରେ ମାମଲା ଫଏସଲା ହାର ବଢିଥିଲା। ଫଳରେ ୨୦୨୨, ନଭେମ୍ବର ଶେଷ ସୁଦ୍ଧା ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୬୫ ହଜାର ୬୭୨କୁ ହ୍ରାସ ପାଇଥିଲା। ହାଇକୋର୍ଟ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ଡିସେମ୍ବର ୧୭ ସୁଦ୍ଧା ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୬୪ ହଜାର ୬୧୭ ଥିଲା। ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡ୍‌ରେ ହାଇାକୋର୍ଟରେ ଶୁଣାଣି ହେଉଥିବାରୁ ମାମଲା ଫଏସଲା ହାର ଉଲ୍ଲେଖୀନୟ ଭାବେ ବୃଦ୍ଧି ପାଇଥିବା କୁହାଯାଉଛି।

ସେହିଭଳି ଭାବେ ରାଜ୍ୟର ନିମ୍ନ ଅଦାଲତ ଗୁଡିକରେ ମଧ୍ୟ ମାମଲା ଫଏସଲା ହାର ଗତ ବର୍ଷ ତୁଳନାରେ ବହୁତ ବଢିଛି। ୨୦୨୧ ବର୍ଷରେ ୪ ଲକ୍ଷ ୩୪ ହଜାର ୮୧୦ଟି ମାମଲା ଦାୟର ହୋଇଥିବା ବେଳେ ମୋଟ ୨ ଲକ୍ଷ ୩୮ ହଜାର ୫୮୮ଟି ମାମଲାର ଫଏସଲା ହୋଇଥିଲା। ୨୦୨୨ ନଭେମ୍ବର ଶେଷ ସୁଦ୍ଧା ସାରା ରାଜ୍ୟରେ ନିମ୍ନ ଅଦାଲତ ଗୁଡିକରେ ୫ ଲକ୍ଷ ୪୦୪ଟି ମାମଲା ଦାୟର ହୋଇ ସାରିଛି। ଦାୟର ମାମଲା ସଂଖ୍ୟା ବଢିଥିବା ବେଳେ ଫଏସଲା ହାର ବହୁତ ବଢିଛି। ଚଳିତ ବର୍ଷ ନଭେମ୍ବର ସୁଦ୍ଧା ୪ ଲକ୍ଷ ୪୭ ହଜାର ୭୩୩ଟି ମାମଲା ଫଏସଲା ହୋଇ ସାରିଲାଣି। ଚଳିତ ବର୍ଷ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ୪୭.୧୫ କାର୍ଯ୍ୟ ଦିବସରେ ଅଦାଲତି କାର୍ଯ୍ୟ ହୋଇ ପ‌ାରି ନାହିଁ। ସାରା ରାଜ୍ୟରେ ୨୦୨୨ ନଭେମ୍ବର ଶେଷ ସୁଦ୍ଧା ୨,୧୯,୨୪୮ ଘଣ୍ଟା ନ୍ୟାୟିକ ସମୟ ନଷ୍ଟ ହୋଇଛି। ଏଭଳି ସ୍ଥିତିରେ ମଧ୍ୟ ସାରା ରାଜ୍ୟରେ ଗତ ବର୍ଷ ତୁଳନାରେ ଏବେ ସୁଦ୍ଧା ୨ ଲକ୍ଷ ୯ ହଜାରରୁ ଅଧିକ ମାମଲା ଫଏସଲା ହୋଇ ସାରିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗତ ୧୮ ତାରିଖରେ ଗଣମାଧ୍ୟମରେ ପ୍ରକାଶିତ ଖବରରେ ଭିନ୍ନ ସୂତ୍ରରୁ ଆସିଥିବା ଭିନ୍ନ ତଥ୍ୟ ପ୍ରକାଶ ପାଇଥିଲା।