ରାଜ୍ୟ ସରକାରଙ୍କ ସୂଚନା: ରାଜ୍ୟକୁ ଆସିଲେଣି ଲକ୍ଷେ ୩୩ ହଜାର ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ରାଜ୍ୟକୁ ୧ ଲକ୍ଷ ୩୩ ହଜାର ୨୪୫ ଜଣ ପ୍ରବାସୀ ଆସିଛନ୍ତି । ଏମାନେ ଟ୍ରେନ ଓ ବସରେ ଆସିଛନ୍ତି । ଗଂଜାମ ଜିଲ୍ଲାକୁ ସର୍ବାଧିକ ୫୫ ହଜାର ୫୬୭, ବାଲେଶ୍ୱର ଜିଲ୍ଲାକୁ ୧୧ ହଜାର ୩୬୮ ଓ କଟକ ଜିଲ୍ଲାକୁ ୮ ହଜାର ୧୯୮ ପ୍ରବାସୀ ଆସିଛନ୍ତି । ରାଜ୍ୟର ଅନ୍ୟ ଜିଲ୍ଲାକୁ ମଧ୍ୟ ପ୍ରବାସୀ ଓଡ଼ିଆମାନେ ମଧ୍ୟ ଫେରିଛନ୍ତି । ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହା କହିଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି, ନିଜ ନିଜ ପଂଚାୟତକୁ ପହଞ୍ଚିବା ପରେ ଏମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଆଜି ଗୋଟିଏ ଦିନରେ ରାଜ୍ୟକୁ ୧୭ ହଜାର ୮୮୫ ଜଣ ପ୍ରବାସୀ ଫେରିଛନ୍ତି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି, ପ୍ରବାସୀମାନଙ୍କର ଦୃଦ୍ଧିକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାରେ ପ୍ରାୟ ୫୦୦୦ କୋଭିଡ ଶଯ୍ୟା ଅଧିକ ବ୍ୟବସ୍ଥା କରାଯିବ । ଗତ ମଙ୍ଗଳବାର ଏ ନେଇ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି । ଗଂଜାମରେ କରୋନା ଛତ୍ରପୁର, ହିଞ୍ଜିଳିକାଟୁ, ବହ୍ମପୁରରେ କରୋନା ସ୍ୱାସ୍ଥ୍ୟ କେନ୍ଦ୍ର କରାଯାଇଛି । ସେହିଭଳି ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ୧୦୦୦ ଲେଖାଏଁ କୋଭିଡ ଶଯ୍ୟା ବଢ଼ାଯିବ । ପ୍ରବାସୀମାନେ ଯେତେବେଳେ ରାଜ୍ୟକୁ ଆସୁଛନ୍ତି, ଲୋକେ ଭୟ କରୁଛନ୍ତି । କିନ୍ତୁ ରାଜ୍ୟ ସରକାର ସେମାନଙ୍କୁ ନେବା ପାଇଁ ବ୍ୟବସ୍ଥା କରିଛନ୍ତି । ପ୍ରବାସୀମାନଙ୍କ ପାଇଁ ରାଜ୍ୟ ସରକାର କିଭଳି ବ୍ୟବସ୍ଥା କରିଛନ୍ତି, ତାହା ଅନ୍ୟ ରାଜ୍ୟମାନେ ଶିଖୁଛନ୍ତି ।

ରାଜ୍ୟରେ ମୋଟ ୩୫ଟି କୋଭିଡ ହସ୍ପିଟାଲ ନିର୍ମାଣ ହୋଇଛି । ଏଥିରୁ କେବଳ ୮ଟିରେ ରୋଗୀ ଅଛନ୍ତି । ସବୁ ସ୍ଥାନରେ ବେଡ, ପିପିଇ, ଭେଣ୍ଟିଲେଟର ଅଛି । ଡାକ୍ତର, ନର୍ସ ଓ ଅନ୍ୟ ସରଞ୍ଜାମ ପ୍ରସ୍ତୁତ ଅଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ପ୍ରସ୍ତୁତି ଅଧିକ । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଭେଣ୍ଟିଲେଟର ଅଛି । ଆହୁରି ୪୦୦ ଅର୍ଡର କରାଯାଇଛି । କୋଭିଡ ହସ୍ପିଟାଲରେ ପ୍ରବେଶ ଠାରୁ ପ୍ରସ୍ତାନ ପର୍ଯ୍ୟନ୍ତ ଠିକ ଅଛି କି ନାହିଁ ତାହାର ସମୀକ୍ଷା କରାଯାଉଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର