ଭୁବନେଶ୍ବର : ଧାନ ସଂଗ୍ରହ ପାଇଁ ପଞ୍ଜୀକୃତ ହୋଇ ମଧ୍ୟ ବିକ୍ରି କରି ନାହାନ୍ତି ୧ ଲକ୍ଷ ୬୧ ହଜାର ୩୬୮ ଚାଷୀ। ୨୦୨୧ ଖରିଫରେ ମଧ୍ୟ ପଞ୍ଜୀକୃତ ୨ ଲକ୍ଷରୁ ଊର୍ଧ୍ବ ଚାଷୀ ଧାନ ବିକ୍ରି କରିପାରି ନଥିଲେ। ଟୋକନ ଲାପ୍ସ, ଧାନ ସଂଗ୍ରହ ସମାପ୍ତ ପୂର୍ବରୁ ମଣ୍ଡିରେ ଟାର୍ଗେଟ ସରିଯିବା ଏବଂ ମିଲରଙ୍କ ମନମାନି ଯୋଗୁଁ ଚାଷୀ ଧାନ ବିକ୍ରୟରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁଯାୟୀ, ଚଳିତ ବର୍ଷ ୧୬ ଲକ୍ଷ ୬୦ ହଜାର ୭୧ ଚାଷୀ ଧାନ ସଂଗ୍ରହ ପାଇଁ ପଞ୍ଜୀକୃତ ହୋଇଥିଲେ। ୨୫୪୮ ପ୍ୟାକ୍ସ, ୫୫୪ ଏସଏଚଜି ଏବଂ ୫ଟି ପାଣି ପଞ୍ଚାୟତ ଜରିଆରେ ୧୪ ଲକ୍ଷ ୯୮ ହଜାର ୭୦୩ ଚାଷୀ ଧାନ ବିକ୍ରି କରିଛନ୍ତି। ସେମାନଙ୍କୁ ୬ କୋଟି ୫୩ ଲକ୍ଷ ୩୨ ହଜାର ୪୨୭ ଟଙ୍କା ଦିଆଯାଇଛି। ଟୋକନ ପାଇଥିବା ପ୍ରତ୍ୟେକ ଚାଷୀଙ୍କ ଧାନ କ୍ରୟ ପାଇଁ ସରକାର ବାଧ୍ୟ ହୋଇଥିଲେ ମଧ୍ୟ କାହିଁକି ଏତେ ସଂଖ୍ୟକ ଚାଷୀ ବିକ୍ରି କରି ନାହାନ୍ତି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲାଗାତର ପ୍ରତ୍ୟେକ ବର୍ଷ ଏଭଳି ଘଟୁଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବରଗଡ଼ ଠାରୁ ଗଞ୍ଜାମ ସବୁ ଜିଲ୍ଲାରେ ପଞ୍ଜୀକୃତ ସମସ୍ତ ଚାଷୀ ଧାନ ବିକ୍ରି କରି ନାହାନ୍ତି।

ଯୋଗାଣ ବିଭାଗର ସୂଚନା ଅନୁସାରେ, ବରଗଡ଼ ଜିଲ୍ଲାରେ ପଞ୍ଜୀକୃତ ୧ ଲକ୍ଷ ୩୯ ହଜାର ୬୩୩ରୁ ୧ ଲକ୍ଷ ୩୫ ହଜାର ୩୫୯, ଗଞ୍ଜାମରେ ୧ ଲକ୍ଷ ୩୧ ହଜାର ୨୩୮ରୁ ୧ ଲକ୍ଷ ୨୦ ହଜାର ୫୮୪, ବାଲେଶ୍ବରରେ ୯୯ ହଜାର ୭୫୭ରୁ ୮୨ ହଜାର ୬୪୪, ବଲାଙ୍ଗୀରରେ ୭୪ ହଜାର ୪୩ରୁ ୭୧ ହଜାର ୨୨୪, କଟକରେ ୬୬ ହଜାର ୮୧୭ରୁ ୫୭ ହଜାର ୨୪୪, ସମ୍ବଲପୁରରେ ୫୬ ହଜାର ୫୧ରୁ ୫୪ ହଜାର ୫୪୦, ସୁବର୍ଣ୍ଣପୁରରେ ୬୫ ହଜାର ୧୭୭ରୁ ୬୩ ହଜାର ୫୬୮, ସୁନ୍ଦରଗଡ଼ରେ ୪୯ ହଜାର ୪୯୬ରୁ ୪୪ ହଜାର ୮୮୪, ଜଗତସିଂହପୁରରେ ୪୫ ହଜାର ୧୪୧ରୁ ୩୭ ହଜାର ୩୨୬, ଯାଜପୁରରେ ୫୩ ହଜାର ୨୫୫ରୁ ୪୪ ହଜାର ୭୨୦ ଚାଷୀ ଧାନ ବିକ୍ରି କରିଛନ୍ତି। ଅନ୍ୟ ଜିଲ୍ଲାରେ ମଧ୍ୟ ବହୁ ପଞ୍ଜୀକୃତ ଚାଷୀ ଧାନ ବିକି ନାହାନ୍ତି।