ଆସିଲା ୧ଲକ୍ଷ ‘କୋଭିସିଲ୍‌ଡ୍‌’, ମ୍ୟୁନିସିପାଲିଟି ଅଞ୍ଚଳ‌ରେ ହେବ ସ୍ଲଟ୍‌ ବୁକିଂ

ଘରୋଇ ହସ୍ପିଟାଲରେ ୧୦୦ ଟଙ୍କାରେ ମିଳିବ ଟିକା
୧୮-୪୪ବର୍ଷ ପାଇଁ ସକାଳ ୮-୧ଟା, ୪୫ବର୍ଷରୁ ଅଧିକ ୩-୬ଟା

ଭୁବନେଶ୍ବର : ୧୮-୪୪ ବର୍ଷର ଲୋକଙ୍କ ପାଇଁ ରାଜ୍ୟ ସରକାର ବରାଦ ଦେଇଥିବା ‘କୋଭିସିଲ୍ଡ’ ଟିକାର ପ୍ରଥମ ଲକ୍ଷେ ଡୋଜ୍ ଶନିବାର ଓଡ଼ିଶାରେ ପହଞ୍ଚିଛି। ଏହି ବର୍ଗର ଲୋକଙ୍କ ପାଇଁ କେବଳ ଭୁବନେଶ୍ବରରେ ଟିକାକରଣ ଆରମ୍ଭ ହୋଇଛି। ଆଗକୁ ରାଜ୍ୟର ୪ଟି ମ୍ୟୁନିସିପାଲିଟି ଅଞ୍ଚଳରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ତେବେ କେବେ ସୁଦ୍ଧା ଆରମ୍ଭ ହେବ, ତାହା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଅଳ୍ପ ପରିମାଣର ଟିକା ଆସିଥିବାରୁ କିଭଳି ଅନ୍ୟ ମ୍ୟୁନିସିପାଲିଟି ଅଞ୍ଚଳରେ ଟିକା ବଣ୍ଟାଯିବ ତାହାର ତଜର୍ମା ଜାରି ରହିଥିବା ସୂଚନା ମିଳିଛି।

୧୮-୪୪ ବର୍ଷର ଲୋକଙ୍କ ପାଇଁ ରାଜ୍ୟ ସରକାର ମାଗଣାରେ ଟିକା ଦେବା ଲାଗି ଘୋଷଣା କରିଛନ୍ତି। ଭୁବନେଶ୍ବରରେ କେବଳ ‘କୋଭାକ୍ସିନ୍’ ଦିଆଯାଉଥିବାରୁ ୧୦.୭୪ଲକ୍ଷ ଡୋଜ୍ ପାଇଁ ରାଜ୍ୟ ସରକାର ବରାଦ ଦେଇଛନ୍ତି। ହେଲେ ରାଜ୍ୟର ଅନ୍ୟ ଅଞ୍ଚଳରେ ‘କୋଭିସିଲ୍‌ଡ’ ଟିକା ଦିଆଯିବ। ଏଥିପାଇଁ ଚଳିତ ମାସରେ ୪୦ଲକ୍ଷ ଡୋଜ୍ ଓ ଆସନ୍ତା ୩ ମାସରେ ପ୍ରତି ମାସରେ ୬୦ଲକ୍ଷ ଡୋଜ୍ ହିସାବରେ ଟିକା ଦେବା ଲାଗି ସିରମ ଇନଷ୍ଟିଚ୍ୟୁଟ୍‌କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ଏହି ଭିତ୍ତିରେ ଆଜି ସିରମ୍‌ ପକ୍ଷରୁ ୧ଲକ୍ଷ ଡୋଜ୍ ଟିକା ଦିଆଯାଇଛି। ନିକଟରେ ରାଜ୍ୟ ସରକାର ଅଧିକ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍‌ ଥିବା ସହରାଞ୍ଚଳରେ ଟିକାକରଣକୁ ପ୍ରାଥମିକତା ଦେବେ ବୋଲି କହିଥିଲେ। ଏ ଦୃଷ୍ଟିରୁ ରାଉରକେଲା, କଟକ, ସମ୍ବଲପୁର ଓ ବ୍ରହ୍ମପୁର ମ୍ୟୁନିସିପାଲିଟିରେ ଟିକାକରଣ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ। ଡା. ପାଣିଗ୍ରାହୀ କହିଛନ୍ତି, ଟିକା ଏସବୁ ସ୍ଥାନରେ ପହଞ୍ଚିବା ପରେ ସ୍ଲଟ୍ ବୁକିଂ ଆରମ୍ଭ ହେବ। ଆଜି ଟିକା ଆସିଛି, ତେଣୁ କିଭଳି ଢଙ୍ଗରେ ଟିକାକରଣ କରାଯିବ, ତାହା ବିଚାର କରାଯାଉଛି। ଏହାସହ ୪୫ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତାକାଲି ଆହୁରି ୧ଲକ୍ଷ ‘କୋଭିସିଲ୍‌ଡ’ ଟିକା ପହଞ୍ଚିବ ବୋଲି ଆଶା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

ରାଜ୍ୟରେ ଏବେ ୧୭ ଲକ୍ଷରୁ ଅଧିକ ଲୋକ ଦ୍ବିତୀୟ ଡୋଜ୍ ଟିକା ଅପେକ୍ଷାରେ ରହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ସଂଖ୍ୟକ ଟିକା ଆସୁ ନ ଥିବାରୁ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଲୋକ ଟିକାକରଣ କେନ୍ଦ୍ରରୁ ଫେରୁଥିବା ନଜରକୁ ଆସୁଛି। ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସୁଥିବା ଟିକାକୁ ଦ୍ବିତୀୟ ଡୋଜ୍ ପାଇବାକୁ ଥିବା ଲୋକମାନଙ୍କୁ ପ୍ରାଥମିକତା ଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଅପରପକ୍ଷରେ ଆଜି ରାଜ୍ୟ ସରକାର ୧୮-୪୪ ବର୍ଷ ବର୍ଗର ଲୋକଙ୍କ ପାଇଁ ଟିକାକରଣ ସମୟ ଧାର୍ଯ୍ୟ କରିଛନ୍ତି। ସକାଳ ୮ଟାରୁ ୧ଟା ଓ ୪୫ ବର୍ଷରୁ ଅଧିକ ଲୋକ ଅପରାହ୍‌ଣ ୩ଟାରୁ ୬ଟାରେ ଟିକା ଦିଆଯିବ। ତେଣୁ କୋଲ୍‌ଡ ଚେନ୍ ପଏଣ୍ଟ ଓ ଜିଲ୍ଲାସ୍ତରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟିକାକୁ ଅଲଗା କରିବା ଓ ଏହାର ନିୟମିତ ଭାବେ ତଥ୍ୟ ରଖିବା ଲାଗି କୁହାଯାଇଛି।

ସେହିପରି ଘରୋଇ ହସ୍ପିଟାଲରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣ ପାଇଁ ଅନୁମତି ଦିଆଯାଇଛି। ୧୮-୪୪ ବର୍ଷର ଲୋକମାନେ ଶହେ ଟଙ୍କା ଦେଇ ଘରୋଇ ହସ୍ପିଟାଲରେ ଟିକା ନେଇପାରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ମାଗଣାରେ ଟିକା ଯୋଗାଇ ଦିଆଯିବ। କେବଳ ସର୍ଭିସ୍‌ ଚାର୍ଜ ହିସାବରେ ଘରୋଇ ହସ୍ପିଟାଲମାନେ ଶ‌ହେ ଟଙ୍କା ନେବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଜି ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ, ନଗର ନିଗମ ଓ ସିଡିଏମ୍‌ଓଙ୍କୁ ଚିଠି ଜାରି ହୋଇଛି।

ସମ୍ବନ୍ଧିତ ଖବର