ବ୍ରହ୍ମପୁର: ବ୍ରହ୍ମପୁରରୁ ଆଜି ଗଡ଼ିଛି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍। ବ୍ରହ୍ମପୁରରୁ ଟାଟାନଗର ଅଭିମୁଖେ ଚଳାଚଳ କରିବାକୁ ଥିବା ଏହି ଟ୍ରେନ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିସି ଜରିଆରେ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଲେ, ଆଜି ଭାରତ ପାଇଁ ଏକ ମଙ୍ଗଳ ଦିନ। ବିକାଶ କ୍ଷେତ୍ରରେ ଭାରତ ଆଉ ଏକ ପାଦ ଆଗେଇଛି। ଆଜି ୬ଟି ନୂତନ ବନ୍ଦେ ଭାରତ ଟ୍ରେନ୍ର ଚଳାଚଳ ଆରମ୍ଭ ହୋଇଛି। ଯାହାକି ରେଳ ଯୋଗାଯୋଗ କ୍ଷେତ୍ରରେ ବଡ଼ ସଫଳତା ଆଣି ଦେଇଛି। ଓଡ଼ିଶାର ବ୍ରହ୍ମପୁର ଓ ରାଉରକେଲାରୁ ଆଜି ଦୁଇଟି ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କରାଯାଇଛି। ଗମନାଗମନ କ୍ଷେତ୍ରକୁ ଏହା ଅଧିକ ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ରେଳ ବିଭାଗର ଆଧୁନିକୀକରଣ ଜାରି ରହିଛି। ‘ସବ୍କା ସାଥ୍ ସବ୍କା ବିକାଶ’ ନାରାରେ ଗମନାଗମନ କ୍ଷେତ୍ରକୁ ଅଧିକ ଧ୍ୟାନ ଦିଆଯାଉଛି। ନିକଟରେ ବହୁ ନୂତନ ରେଳଲାଇନ୍ ଆରମ୍ଭ ହୋଇଥିବା ବେଳେ ଦୋହରୀକରଣ ମଧ୍ୟ କରାଯାଇଛି। ରେଳ ସହିତ ପକ୍କାଘର, ବିଜୁଳି ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ।
ଏହି ଅବସରରେ ବ୍ରହ୍ମପୁର ରେଳଷ୍ଟେସନ୍ ୪ ନମ୍ବର୍ ପ୍ଲାଟଫର୍ମ ବାହାରେ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଲେ, ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଭିତ୍ତିଭୂମି କ୍ଷେତ୍ରରେ ସାରା ଦେଶ ବିଶ୍ୱର ଅଗ୍ରଣୀ ଓ ବିକଶିତ ଦେଶମାନଙ୍କ ସହିତ ସମକକ୍ଷ ହୋଇ ପାରିଛି। ଦେଶରେ ବିକାଶର ଏକ ନୂଆ ଲହର ଆରମ୍ଭ ହୋଇଛି। ମୋଦୀଜୀଙ୍କ ନେତୃତ୍ୱରେ ଆମ ଦେଶର ୧୪୦ କୋଟି ଜନସାଧାରଣ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛନ୍ତି। ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାର ରେଶମ ସହର ବ୍ରହ୍ମପୁରକୁ ଇସ୍ପାତ ସହର ଟାଟା ସହିତ ସଂଯୋଗ କରିବ। ଏହି ଟ୍ରେନ୍ ବ୍ରହ୍ମପୁରରୁ ବାହାରି ମାତ୍ର ୯ଘଣ୍ଟା ୫ମିନିଟ୍ ସମୟ ସୀମା ମଧ୍ୟରେ ଟାଟାନଗର ପହଞ୍ଚିବ। ଏହା ବାଲୁଗାଁ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼ ଷ୍ଟେସନ୍ରେ ରହଣି କରିବ। ବ୍ରହ୍ମପୁର ଏକ ସମୃଦ୍ଧ ସହର ଯାହାକି ରେଶମ ଶାଢ଼ି ପାଇଁ ପ୍ରସିଦ୍ଧ। ଏହା ରାଜ୍ୟର ଏକ ପ୍ରସିଦ୍ଧ ବାଣିଜ୍ୟିକ କେନ୍ଦ୍ର ଭାବେ ମଧ୍ୟ ପରିଚିତ। ବନ୍ଦେ ଭାରତ ଏକ୍ସପ୍ରେସ ଯୋଗୁ ସହରର ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଆସିବ।
ବର୍ତ୍ତମାନ ଓଡ଼ିଶାରେ ପୁରୀ-ହାୱଡ଼ା, ପୁରୀ-ରାଉରକେଲା ଓ ଭୁବନେଶ୍ୱର-ବିଶାଖାପାଟଣା ତିନିଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି। ଏବେ ଆଉ ତିନିଟି ବ୍ରହ୍ମପୁର-ଟାଟା, ରାଉରକେଲା-ହାୱଡ଼ା ଏବଂ ରାୟପୁର-ବିଶାଖାପାଟଣା ମଧ୍ୟରେ ଚଳାଚଳ କରିବ। ଏହି ତିନିଟି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଲାଇଫ୍ ଲାଇନ୍ ହେବ। ବିଶେଷ କରି ଆଦିବାସୀ ବହୁଳ ଅଞ୍ଚଳରେ ଯୋଗାଯୋଗର ବିକାଶ ହେବ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାରେ ରେଳ ବିକାଶ ପାଇଁ କେନ୍ଦ୍ର ବଜେଟ୍ରେ ୧୦ହଜାର ୫୮୬ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ‘ଅମୃତ ଭାରତ ଷ୍ଟେସନ’ ଅଧୀନରେ ଶ୍ରୀକ୍ଷେତ୍ର ପୁରୀ ଓ ରାଜଧାନୀ ଭୁବନେଶ୍ୱରକୁ ମିଶାଇ ମୋଟ ୫୨ଟି ରେଳ ଷ୍ଟେସନର ଆଧୁନିକୀକରଣ ଓ ସଂପ୍ରସାରଣ କାମ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ଲକ୍ଷ କୋଟି ଟଙ୍କାର ନୂତନ ରେଳ ପ୍ରକଳ୍ପ ଯୋଜନା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ପାଇଁ ୭୦ ହଜାର କୋଟି ଟଙ୍କାରୁ ଅଧିକ ରେଳ ପ୍ରକଳ୍ପକୁ ଅନୁମୋଦନ ମିଳି ସାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସମାବେଶରେ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ୬ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀ/ଟାଟାବ୍ରିଟିସ, ୧୫/୯: ବର୍ଷା ଓ ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟାଟାନଗର ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି। ଏଣୁ ଓଡ଼ିଶା, ଝାଡ଼ଖଣ୍ଡ, ବିହାର ଓ ଉତ୍ତରପ୍ରଦେଶ ନିମନ୍ତେ ୬ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଛନ୍ତି।
ଆଜି ଟାଟାନଗର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ, କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର୍ ପ୍ରମୁଖଙ୍କ ସହ ବରିଷ୍ଠ ରେଳବାଇ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଜି ଆରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସଗୁଡ଼ିକ ମଧ୍ୟରେ ଟାଟାନଗର-ପାଟଣା, ବ୍ରହ୍ମପୁର-ଟାଟାନଗର, ରାଉରକେଲା-ହାୱଡ଼ା, ଦେଓଘର-ବାରଣାସୀ, ଭାଗଲପୁର-ହାୱଡ଼ା ଓ ଗୟା-ହାୱଡ଼ା ଏକ୍ସପ୍ରେସ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ନିଜ ଅଭିଭାଷଣରେ କହିଛନ୍ତି, ଏହାଦ୍ବାରା ବିଭିନ୍ନ ପ୍ରମୁଖ ସ୍ଥାନକୁ ଯୋଗାଯୋଗ ବ୍ୟବସ୍ଥା ଦ୍ରୁତ ହୋଇପାରିବ। ଦେଶରେ ତୀର୍ଥ ପର୍ଯ୍ୟଟନ ସୁଦୃଢ଼ ହୋଇପାରିବ। ଦେଓଘରର ବୈଦ୍ୟନାଥ ଧାମ (ଝାଡ଼ଖଣ୍ଡ), ବାରଣାସୀର କାଶୀ ବିଶ୍ବନାଥ ମନ୍ଦିର (ଉତ୍ତରପ୍ରଦେଶ), କୋଲକାତାର କାଳିଘାଟ, ବେଲୁର ମଠ ମଧ୍ୟରେ ଦ୍ରୁତ ଯୋଗାଯୋଗ ବୃଦ୍ଧି ପାଇବ। ଏହାସହ ଧାନବାଦର କୋଇଲା ଓ ଖଣି ଶିଳ୍ପ, କୋଲକାତାର ଝୋଟ ଶିଳ୍ପ ଏବଂ ଶିଳ୍ପବହୁଳ ଦୁର୍ଗାପୁର ମଧ୍ୟରେ ମଧ୍ୟ ଉତ୍ତମ ଯୋଗାଯୋଗ ହୋଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/7YkcxN7jOfKdHt3SSMQg.jpg)