ପାରିତ ହେଲା ଇ-ଯାନ ପଲିସୀ, ୧ଲକ୍ଷ ଟଙ୍କା ଯାଏଁ ମିଳିବ ରିହାତି

ଭୁବନେଶ୍ୱର: ବିଦ୍ୟୁତ ଚାଳିତ ଗାଡ଼ି ବା ଇ-ଯାନ ପଲିସିକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ । ପ୍ରଦୂଷଣ ରୋକିବାକୁ ଇ-ଯାନ ପଲିସୀ ଆପଣାଇଛି ଓଡ଼ିଶା । ବିଦ୍ୟୁତ ଚାଳିତ ଯାନକୁ ଲୋକପ୍ରିୟ କରିବାକୁ ଯୋଜନା କରାଯାଇଛି । ବିଦ୍ୟୁତ ଚାଳିତ ଯାନ କିଣିବା ପାଇଁ ସରକାର ଦେବେ ପ୍ରୋତ୍ସାହନ । ଦୁଇ ଚକିଆ ଯାନ ପାଇଁ ୫ ହଜାର ଟଙ୍କାର ରିହାତି ଦିଆଯିବା ବ୍ୟବସ୍ଥା ରହିଛି । ସେହିପରି ତିନି ଚକିଆ ପାଇଁ ୧୨ ହଜାର ଓ ୪ ଚକିଆ ପାଇଁ ସର୍ବାଧିକ ୧ ଲକ୍ଷ ଟଙ୍କା ରିହାତି ମିଳିପାରେ ।

ସରକାରୀ ଅଫିସ୍ ଓ କମ୍ପାନୀ ବିଦ୍ୟୁତ ଚାଳିତ ଯାନ କିଣିଲେ ରିହାତି ଅଧିକ ମିଳିବ ବୋଲି ପଲିସିରେ ରହିଛି । ଏହାସହ ରୋଡ୍ ଟ୍ୟାକ୍ସ ଓ ପଞ୍ଜିକରଣ ଫି ଛାଡ କରାଯାଇପାରେ । ସେହିପରି ବିଦ୍ୟୁତ ଚାଳିତ ଯାନ ନିର୍ମାଣକୁ ପ୍ରୋତ୍ସାହିତ କରାଯିବ । ବିଦ୍ୟୁତ ଚାଳିତ ଯାନର ଯନ୍ତ୍ରାଂଶ ଓ ବ୍ୟାଟେରୀ ପ୍ରସ୍ତୁତିକୁ ମଧ୍ୟ ପ୍ରୋତ୍ସାହିତ କରାଯିବ । ରାଜ୍ୟ ସରକାରୀ କର୍ମଚାରୀ ବିଦ୍ୟୁତ ଚାଳିତ ଯାନ କିଣିଲେ ଶତ ପ୍ରତିଶତ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ । ଏ ନେଇ ଇ-ଯାନ ପଲିସୀରେ ମୋହର ମାରିଛି କ୍ୟାବିନେଟ୍ । ଏହାସହ ୧୪ଟି ପ୍ରସ୍ତାବକୁ ମଞ୍ଜୁୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ ।

ସମ୍ବନ୍ଧିତ ଖବର