ଭୁବନେଶ୍ୱର: ସାମୁଦ୍ରକ ଝଡ଼ ବାତ୍ୟା ‘ଅମ୍ଫାନ’ ଯୋଗୁଁ ଉପକୂଳବର୍ତ୍ତୀ ଓଡ଼ିଶାର ୧୦ଟି ଜିଲ୍ଲା ପ୍ରଭାବିତ ହୋଇଛି । ବାତ୍ୟା ଯୋଗୁଁ କୃଷିକାର୍ଯ୍ୟ ଅଧିକ ପ୍ରଭାବିତ ହୋଇଛି । ମୋଟ ୧ ଲକ୍ଷ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟ ସରକାରଙ୍କ ପ୍ରାଥମିକ ରିପୋର୍ଟରୁ ଜଣାଯାଇଛି ।
ମହାବାତ୍ୟା ୯୨ଟି ବ୍ଲକର ୯୮୩୩ଟି ଗାଁକୁ ପ୍ରଭାବିତ କରିଛି । ଏଥି ସହିତ ୨୨ଟି ପୌରାଞ୍ଚଳର ୨୭୨ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଥିଲା । ମୋଟ ୪୪ ଲକ୍ଷ ୪୪ ହଜାର ୮୯୬ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ୫୦୦ ଘର ସଂପୂର୍ଣ୍ଣ ଭାଙ୍ଗିଥିବା ବେଳେ ୧୫ ହଜାର ଘର ଆଶଂକ ରୂପେ ଭାଙ୍ଗିଛି । କିନ୍ତୁ ଖୁସିର ବିଷୟ ଯେ, ବାତ୍ୟା ଯୋଗୁଁ କୌଣସି ମଣିଷର ଜୀବନ ଯାଇ ନାହିଁ ।
ବାତ୍ୟା ଯୋଗୁଁ ବିଦ୍ୟୁତ ଭିତ୍ତିଭୂମି ପ୍ରଭାବିତ ହୋଇଛି । ରାଜ୍ୟର ୩୪କିମି ୩୩କେଭି, ୪୫୩କିମି ୧୧ କେଭି ବିଦ୍ୟୁତ ନଷ୍ଟ ହୋଇଛି । ସେହିପରି ୬୮୦କିମି ଏଲ୍ଟି ଲାଇନ, ୨୪୩୯ଟି ଟ୍ରାନ୍ସଫରମର ନଷ୍ଟ ହୋଇଛି । ବାତ୍ୟା ଯୋଗୁଁ ମତ୍ସ୍ୟଜୀବୀମାନେ ମଧ୍ୟ ପ୍ରଭାବିତ ହୋଇଛି । ୧୪ଟି ମାଛ ଧରା ଡଙ୍ଗା ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବା ବେଳେ ୪୧ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ୪ ହଜାର ବିଭିନ୍ନ ଗଛ ଓ ୨ ହଜାର ଝାଉଁ ଗଛ ନଷ୍ଟ ହୋଇଛି । ସେହିପରି ୧୫୧କିମି ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪୨ଟି ପୋଲ ଭାଙ୍ଗିଥିବା ପ୍ରାରମ୍ଭିକ ରିପୋର୍ଟରେ ଦର୍ଶାଯାଇଛି । ଉପକୂଳବର୍ତ୍ତୀ ଜିଲ୍ଲାର ୬୪୬ଟି ଅଙ୍ଗନବାଡ଼ି କେନ୍ଦ୍ର, ୧୫୫୨ଟି ପ୍ରାଥମିକ ସ୍କୁଲ କୋଠା ଭାଙ୍ଗିଛି । ବାତ୍ୟା ଯୋଗୁଁ ୨୯୮ଟି ପଂଚାୟତ କୋଠା ମଧ୍ୟ ଭାଙ୍ଗିଥିବା ରାଜ୍ୟ ସରକାରଙ୍କ ରିପୋର୍ଟରେ ଦର୍ଶାଯାଇଛି ।