ଅଗଷ୍ଟ ୫ ତାରିଖ ସୁଦ୍ଧା ୧ ଲକ୍ଷ ଗୃହ ସମ୍ପୂର୍ଣ୍ଣ

ଗ୍ରାମୀଣ ଆବାସ ଓ ଶ୍ରମ ନିଯୁକ୍ତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା, ବର୍ଷ ଶେଷସୁଦ୍ଧା ୭ ଲକ୍ଷ ନିର୍ମାଣ ଲକ୍ଷ୍ୟ

ଭୁବନେଶ୍ବର : କୋଭିଡ୍‌ ମହାମାରୀ ପାଇଁ ରାଜ୍ୟରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଲାଗୁ ହେବା ସତ୍ତ୍ବେ ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ୫ ତାରିଖ ସୁ୍ଦ୍ଧା ୧ ଲକ୍ଷ ବାସଗୃହ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଛି। ଯାହାକି ଗତବର୍ଷ ତୁଳରେ ଢେର ଅଧିକ। ଆଜି ଓଡ଼ିଶା ଗ୍ରାମୀଣ ଆବାସ ଓ ଶ୍ରମ ନିଯୁକ୍ତି ଯୋଜନାର ରୂପାୟନ ନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି। ଆର୍ଥିକ ବର୍ଷ ଶେଷସୁଦ୍ଧା ୭ ଲକ୍ଷ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହାସହିତ ପ୍ରତି ଗ୍ରାମରେ ଅନ୍ୟୁନ ୫ରୁ ୬ଟି ନିଯୁକ୍ତି ଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଭିଡିଓ କନଫରେନ୍‌ସିଂ ଜରିଆର ଶାସନ ସଚିବ ଶ୍ରୀ ତ୍ରିପାଠୀ ଜିଲ୍ଲାଓ୍ବାରୀ ସମୀକ୍ଷା କରିବା ଅବସରରେ ବ୍ଲକ୍‌ ସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ନିର୍ଦ୍ଧାରିତ ସମୟରେ ଶେଷ ହେଉଥିବା ଗୃହର ଗୁଣାତ୍ମକମାନ ନିଶ୍ଚିତ କରାଯିବା ଦରକାର। ପୂର୍ବରୁ ଗ୍ରାମସଭା ଜରିଆରେ ତିଆରି ହୋଇଥିବା ପକ୍କାଘର ପାଇଁ ପ୍ରସ୍ତୁତ ହୋଇଥିବା ‘ଓ୍ବେଟିଂ ଲିଷ୍ଟ୍‌’ରେ ପ୍ରାୟ ୫୭ ହଜାର ଭୂମିହୀନ ପରିବାର ଅଛନ୍ତି। ସେମାନଙ୍କୁ ତୁରନ୍ତ ପକ୍କାଘର ଯୋଗାଇ ଦିଆଯିବ। ଏହାସହିତ ପ୍ରଚଳିତ ରାଜସ୍ବ ବିଭାଗ ନିୟମ ଅନୁଯାୟୀ ଜମି ଦିଆଯାଇ ପାରୁନଥିବା ପରିବାରମାନଙ୍କ ବିବରଣୀ ସରକାରଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ଷା ଋତୁରେ ଅଧିକ ଶ୍ରମ ନିଯୁକ୍ତି ସୃଷ୍ଟି କରିବା ଉପରେ ବୈଠକରେ ସ୍ଥିର କରାଯାଇଛି। ଚଳିତମାସ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହାରାହାରି ଦୈନିକ ୮.୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇପାରିଛି। ମାସ ଶେଷସୁଦ୍ଧା ଏହି ଶ୍ରମଦିବସକୁ ୧୫ ଲକ୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ସେଥିରୁ ୫ ଲକ୍ଷ ଶ୍ରମ ଦିବସ ବିଭିନ୍ନ ବିଭାଗ ଓ ୧୦ ଲକ୍ଷ ଶ୍ରମ ଦିବସ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମାଧ୍ୟମରେ ସୃଷ୍ଟି କରାଯିବ। ସେହିଭଳି ଗୋ-ଖାଦ୍ୟ ପାଇଁ ଘାସ ଚାଷ, ଟ୍ରେଞ୍ଚ୍‌ ନିର୍ମାଣ, ଆଡ଼ି ବନ୍ଧ ନିର୍ମାଣ, ପୁଷ୍ଟି ସାଧନ ବଗିଚା ସୃଷ୍ଟି, ବୃକ୍ଷ ରୋପଣ, ପାନ ବରଜ. ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଆଦି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ଚୂଡ଼ାନ୍ତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ମନରେଗା ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ, ପାନୀୟ ଜଳ ନିର୍ଦ୍ଦେଶକ ବି. ପରମେଶ୍ବରନ୍‌, ପଞ୍ଚାୟତିରାଜ ନିର୍ଦ୍ଦେଶକ ଉମାକାନ୍ତ ତ୍ରିପାଠୀଙ୍କ ସମେତ ଡିଜିଟାଲ୍‌ ପ୍ଲାଟଫର୍ମ୍‌ ଯୋଗେ ଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ, ବିଡିଓ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର