ବୁଡ଼େଇଲାଣି ବନ୍ୟା: ମହାନଦୀ-ଅଂଶୁପା ଏକାକାର, ୭୦ ପଞ୍ଚାୟତର ୧ଲକ୍ଷ ଲୋକ ପ୍ରଭାବିତ

କଟକ-ବାଙ୍କୀ ମୁଖ୍ୟରାସ୍ତାରେ ସାଢ଼େ ୩ ଫୁଟ୍‌ର ପାଣି, ୬୨ଟି ଗାଁ ପାଣି ଘେରରେ; ୧୧ଟି ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ

କଟକ: ବେଶ୍ କିଛିବର୍ଷର ବ୍ୟବଧାନରେ କଟକ ଜିଲ୍ଲାରେ ଆତଙ୍କ ଖେଳାଇଛି ମହାନଦୀ। ବିଶେଷକରି, ବାଙ୍କୀରୁ ନରସିଂହପୁର ପର୍ଯ୍ୟନ୍ତ ଅଞ୍ଚଳରେ ଲୋକଙ୍କ ନିଦ ହଜାଇ ଦେଇଛି ମହାନଦୀ। ମହାନଦୀର ଜଳସ୍ତର ବଢି ଚାଲି ଥିବାରୁ ଲୋକେ ଆତଙ୍କରେ ଦିନ ଗଣୁଛନ୍ତି। ବାଙ୍କୀରୁ ନରସିଂହପୁର ପର୍ଯ୍ୟନ୍ତ ଅଞ୍ଚଳ ଏବେ ଜଳାର୍ଣ୍ଣବ। ମହାନଦୀ ଆଉ ଅଂଶୁପା ଏକାକାର ହୋଇଯାଇଛି। ‘ଗ୍ରାଉଣ୍ଡ ଜିରୋ’ରୁ ହସ୍ତଗତ ତଥ୍ୟ ଅନୁଯାୟୀ, ୧୧ଟି ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବାଙ୍କୀରେ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ବାଙ୍କୀ-କଟକ ମୁଖ୍ୟ ରାସ୍ତାରେ ୩ ଫୁଟର ପାଣି ଚାଲିଛି। ବାଙ୍କୀ ଓ ଡମପଡା ବ୍ଲକ୍‌ର ପାଖାପାଖି ୨୦ରୁ ଅଧିକ ଗାଁ ଜଳବନ୍ଦି ଅବସ୍ଥାରେ ରହିଛି। ଏପଟେ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ପାଣିରେ ବୁଡିଥିବାବେଳେ ହଂସନାଥ ପୀଠରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଥିବାରୁ ଠାକୁରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବାଙ୍କୀ-କଳାପଥର ରାସ୍ତାର ଚନ୍ଦ୍ରପା ନିକଟରେ ୬ ଫୁଟର ବନ୍ୟାଜଳ ପ୍ରବାହିତ ହେବାଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ବଡମ୍ବାର ଶଙ୍ଖାମେରୀଠାରେ ଘାଇ ସୃଷ୍ଟି ହେବାଫଳରେ ୮ଟି ପଞ୍ଚାୟତ ପାଣି ଘେରରେ ରହିଛି। ସରକାରୀ ରିପୋର୍ଟ ଅନୁଯାୟୀ ଜିଲ୍ଲାର ୬ଟି ବ୍ଲକ୍‌ର ୭୦ଟି ପଞ୍ଚାୟତର ପାଖାପାଖି ୧ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୬୨ଟି ଗାଁ ଜଳମଗ୍ନ ହୋଇଛି। ଅନ୍ୟପଟେ ପାଖାପାଖି ୩ଶହ ଘର ଭାଙ୍ଗିଥିବା ପ୍ରାଥମିକ ଆକଳନରୁ ଜଣାପଡିଛି।

ବାଙ୍କୀରେ ମହାନଦୀର ବିପଦ ସଂକେତ ୭.୬ ମିଟର ରହିଥିବାବେଳେ ଆଜି ଅପରାହ୍ନ ୪ଟା ସୁଦ୍ଧା ଜଳସ୍ତର ୯.୧ ମିଟରରେ ପହଞ୍ଚିଛି। ଫଳରେ ୪୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ବାଙ୍କୀ ଉପଖଣ୍ତର ମହାନଦୀର ବିଭିନ୍ନ ସ୍ଥାନରେ ନଦୀବନ୍ଧ ପ୍ରତି ବିପଦ ଦେଖାଦେଇଥିଲେ ମଧ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଦୁର୍ବଳ ସ୍ଥାନମାନଙ୍କରେ ଅଧିକାରୀମାନେ ଉପସ୍ଥିତ ରହି ସତର୍କ ଦୃଷ୍ଟି ରଖିଛନ୍ତି। ସେହିଭଳି, କଟକ-ବାଙ୍କୀ ମୁଖ୍ୟ ରାସ୍ତାର ପାଥପୁର–କଇଁମୁଣ୍ତି ନିକଟରେ ପ୍ରାୟ ୩ ଫୁଟ ବନ୍ୟାଜଳ ପ୍ରବାହିତ ହେବାରୁ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି। ଗତକାଲିଠାରୁ ବାଙ୍କୀ–ବୈଦେଶ୍ବର ମୁଖ୍ୟ ରାସ୍ତାର ଚନ୍ଦ୍ରପା ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ବାଙ୍କୀ ବୈଦେଶ୍ବର ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ସେହିଭଳି, ତିଗିିଆ ଓ ନରସିଂହପୁରର କେତେକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ସମ୍ବନ୍ଧିତ ଖବର