ବିଷାକ୍ତ ଛତୁ ଖାଇ ୧୧ ଅସୁସ୍ଥ, ୩ ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଶିଆରିମାଳ ନିକଟସ୍ଥ ନୂ୍ଆଗାଁ ଗ୍ରାମର ଗୋଟିଏ ପରିବାରର ୬ ଜଣ ସଦସ୍ୟ ଛତୁ ଖାଇ ଅସୁସ୍ଥ ହୋଇଛନ୍ତି। ସେହିପରି ଭଞ୍ଜନଗର ଥାନା ଅନ୍ତର୍ଗତ ତନରଡା ଗ୍ରାମରେ ମଧ୍ୟ ଛତୁ ଖାଇ ୫ଜଣ ଅସୁସ୍ଥ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଉକ୍ତ ୫ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଶିଆରିମାଳ ଗ୍ରାମର ଶଙ୍କର ସେଠୀ (୪୫), ରବି ସେଠୀ (୨୮), ସରିତା ସେଠୀ(୨୫), ପୁଷ୍ପା ସେଠୀ (୧୭), ସୁବ୍ରତ ସ୍ବାଇଁ (୬) ଓ ‌କୈଳାସ ନାୟକ (୪୮) ଗତକାଲି ସୁଜି ଉପମା ସହ ବିଲମାଳରୁ ଆଣିଥିବା ଛତୁକୁ ରାତିରେ ରୋଷେଇ କରି ଖାଇଥିଲେ। ଖାଇବାର କିଛି ସମୟ ପରେ ପ୍ରଥମେ ସରିତାଙ୍କୁ ପ୍ରବଳ ବାନ୍ତି ହୋଇଥିଲା। ଏହାପରେ ପରିବାରର ଜଣକ ପରେ ଜଣେ ଅସୁସ୍ଥ ହୋଇ ପଡ଼ିଥିଲେ। ସଂଗେ ସଂଗେ ସମସ୍ତଙ୍କୁ ରାତାରାତି ଭଞ୍ଜନଗରକୁ ଡାକ୍ତରଖାନାକୁ ଅଣାଯାଇଥିଲା। ସେମାନେ ସୁସ୍ଥ ହୋଇ ଫେରିଥିବା ଜଣାପଡ଼ିଛି।
ସେହିଭଳି ତନରଡ଼ା ଗ୍ରାମର ତିନିଟି ପରିବାର ଗତକାଲି ବାଡ଼ିରୁ ଛତୁ ତୋଳି ପରସ୍ପର ମଧ୍ୟ‌ରେ ଭାଗ ବାଣ୍ଟିଥିଲେ। ରାତିରେ ରୋଷେଇ କରି ଖାଇବା ପରେ ହଠାତ୍ କାଳିଆ ସ୍ବାଇଁ (୪୬), ସୁରଜ ସ୍ବାଇଁ (୧୫), ନମିତା ସ୍ବାଇଁ (୪୫), ରତ୍ନବାଳା ସ୍ବାଇଁ(୧୮) ଓ ପୂର୍ଣ୍ଣିମା ବାଡ଼ତ୍ୟା (୭୫) ଅସୁସ୍ଥ ହୋଇ ପଡ଼ିଥିଲେ। ତୁରନ୍ତ ସମସ୍ତଙ୍କୁ ଆମ୍ବୁଲାନ୍ସ୍‌ରେ ଭଞ୍ଜନଗର ଡାକ୍ତରଖାନାକୁ ଅଣାଯାଇଥିଲା। ପୂର୍ଣ୍ଣିମା, ରତ୍ନବାଳା ଓ ନମିତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ। ଅନ୍ୟ ମାନେ ସୁସ୍ଥ ଅଛନ୍ତି।
ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇ ଯାଇଥିବାରୁ ବାଡ଼ିପଟ ଓ ବିଲମାଳରେ ଅନେକ ପ୍ରଜାତିର ଛତୁ ଫୁଟିବା ଆରମ୍ଭ‌ ‌ହୋଇଛି। ତେବେ ଭଲ ଓ ଖରାପ ବିଚାର ନକରି ଗ୍ରାମାଞ୍ଚଳର ଲୋକମାନେ ଏହାକୁ ତୋଳି ଖାଉଛନ୍ତି। ଯାହାକି ପରିବାର ପାଇଁ ବିପଦ ଆଣିପାରେ। ଅନାବନା ବିଷାକ୍ତ ଛତୁ ଖାଇବାରୁ ନିବୃତ୍ତ ରହିବା ଦରକାର ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର