ଟଙ୍କିକିଆ ଚାଉଳ ରାନ୍ଧିବାକୁ ୬୬ ଟଙ୍କିଆ କିରାସିନି: ୨ ବର୍ଷରେ ୫ଗୁଣ ବୃଦ୍ଧି, ଗରିବଙ୍କ ଭାତହାଣ୍ଡି ଉପରେ ମାଡ଼

ଭୁବନେଶ୍ବର: ଟଙ୍କିକିଆ ଚାଉଳ ରାନ୍ଧିବା ପାଇଁ ୬୬ ଟଙ୍କିଆ କିରାସିନି। ୫ ରାଜ୍ୟର ନିର୍ବାଚନ ସମାପ୍ତ ପରେ ପେଟ୍ରୋଲ, ଡିଜେଲ, ଗ୍ୟାସ୍‌ ସହ କିରାସିନି ଦର ମଧ୍ୟ କାହିଁରେ କେତେ ବଢ଼ି ଯାଇଛି। ଗତ ୨ବର୍ଷ ମଧ୍ୟରେ କିରାସିନି ଦର ୫ଗୁଣ ବଢ଼ିଛି। ସ୍ଥିତି ଏଭଳି ହୋଇଛି ଯେ ମୂଲ୍ୟବୃଦ୍ଧିର ସିଧା ପ୍ରଭାବ ଦାରିଦ୍ର୍ୟ ସୀମାରେଖା ତଳର ଗରିବଙ୍କ ଭାତହାଣ୍ଡି ଉପରେ ପଡ଼ିଛି। ରାଜ୍ୟ ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ୯୬ ଲକ୍ଷ କାର୍ଡଧାରୀଙ୍କ ପାଇଁ କେନ୍ଦ୍ର ସରକାର ପ୍ରତି ୩ ମାସରେ ୨୯ ହଜାର କିଲୋଲିଟର୍‌ କିରାସିନି ଯୋଗାଇ ଦିଅନ୍ତି। ଝାରସୁଗୁଡ଼ାସ୍ଥିତ ତୈଳ ନିଗମରୁ ଏହା ରାଜ୍ୟ ସରକାର ଆଣିଥାଆନ୍ତି। ହୋଲସେଲ୍‌ ଏବଂ ପିଡିଏସ୍‌ କେନ୍ଦ୍ର ଜରିଆରେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ ଥିବା ଗରିବ ରାସନକାର୍ଡଧାରୀଙ୍କୁ ଦିଆଯାଇଥାଏ। ଏହି କାର୍ଡଧାରୀମାନେ ଆର୍ଥିକ ଭାବରେ ଦୁର୍ବଳ ଥିବାରୁ ଅତି କମ୍‌ରେ ଦୁଇ ବେଳା ଖାଇବାରୁ ବଞ୍ଚିତ ନ ହୁଅନ୍ତୁ, ସେଥିପାଇଁ ୧ ଟଙ୍କାରେ ଏବଂ ବର୍ତ୍ତମାନ କରୋନା ସ୍ଥିତିରେ ମାଗଣାରେ ଚାଉଳ ଦିଆଯାଉଛି। କିରାସିନିର ଦର କିନ୍ତୁ ବଢ଼ିବାରେ ଲାଗିଛି। ଦର ତାଲିକା ପ୍ରତି ସପ୍ତାହରେ ହୋଲସେଲର୍‌ମାନଙ୍କୁ ଦିଆଯାଏ।

ରାଜଧାନୀର ଜଣେ ହୋଲସେଲର୍‌ଙ୍କ କହିବାନୁସାରେ, ବର୍ତ୍ତମାନ କିରାସିନି ଦର ୬୦ଟଙ୍କା ୭୪ ପଇସା। ଫେବ୍ରୁଆରି ମାସରେ ମୂଲ୍ୟ ୫୩ ଟଙ୍କା ୭୧ ପଇସା ରହିଥିଲା। ଅର୍ଥାତ ଗୋଟିଏ ମାସରେ ଦର ୭ଟଙ୍କା ବୃଦ୍ଧି ପାଇଛି। ଏପ୍ରିଲ ମାସର ନୂତନ ଦର ଆସିବା ବେଳକୁ ଏହା ୭୨ଟଙ୍କା ବୃଦ୍ଧି ପାଇବା ନେଇ ଆଶଙ୍କା ରହିଛି। ୨୦୧୯ ମସିହାରେ ଏହା ୩୫ ଟଙ୍କା, ୨୦୨୦ ମସିହା ଲକଡାଉନ୍‌ ଯୋଗୁଁ ଦର ୧୨ଟଙ୍କାକୁ ହ୍ରାସ ପାଇଥିଲା। ୨୦୨୧ ମସିହାରେ ପ୍ରାୟ ୩୫ ଟଙ୍କାକୁ ଫେରି ଆସିଥିଲା। ପିଡିଏସ୍‌ କେନ୍ଦ୍ର ବିକ୍ରେତା ଏହି ଦରରେ ହୋଲସେଲରଙ୍କୁ କିଣନ୍ତି ସତ କିନ୍ତୁ ରିଟେଲର୍‌ରେ ଗ୍ରାହକଙ୍କୁ ଆହୁରି ୬ରୁ ୭ଟଙ୍କା ଅଧିକ ଦରରେ ବିକ୍ରି କରନ୍ତି।

ଖୋଲା ବଜାରରେ ମୂଲ୍ୟ ଆକାଶଛୁଆଁ। ତିନିମାସ ମଧ୍ୟର ରୁଷ୍‌-ୟୁକ୍ରେନ ଯୁଦ୍ଧ ପରଠାରୁ ଦର ବିଶେଷ ବୃଦ୍ଧି ପାଇଥିବା କୁହାଯାଉଛି। ରାଜ୍ୟ ଯୋଗାଣ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ କହିଛନ୍ତି, କିରାସିନିର ବିତରଣ ଦାୟିତ୍ବ କେବଳ ରାଜ୍ୟ ସରକାରଙ୍କର। ବାହାର ଦେଶରୁ କ୍ରୟ କରିବାଠାରୁ ସବ୍‌ସିଡି ପ୍ରଦାନ ଏବଂ ଯୋଗାଣ କେନ୍ଦ୍ର ସରକାର କରୁଥିବାରୁ ଦର କାହିଁକି ଏତେ ବୃଦ୍ଧି ପାଉଛି, ଏ ସମ୍ପର୍କରେ କୁହାଯାଇପାରିବ ନାହିଁ। ରାଜଧାନୀ ବାସିନ୍ଦା ସରସ୍ବତୀ ମହାରଣା କହିଛନ୍ତି ଯେ ତାଙ୍କ ଘରେ ଉଭୟ ଗ୍ୟାସ୍‌ ଏବଂ କରାସିନି ରହିଛି। ଗ୍ୟାସ୍‌ ଦରବୃଦ୍ଧି ପାଉଥିବାରୁ କିରାସିନି ଉପରେ ନିର୍ଭର କରନ୍ତି। କିନ୍ତୁ କିରାସିନି ଅଧିକାଂଶ ସମୟରେ ପିଡିଏସ୍‌ କେନ୍ଦ୍ରରେ ମିଳେ ନାହିଁ। ବର୍ତ୍ତମାନ ତାର ଦାମ ବୃଦ୍ଧି ପାଇଛି। କିଛି ମାସ ହେଲା ଦର ଏତେ ବୃଦ୍ଧି ପାଇଛି ଯେ ପରିବାରପୋଷଣ ପାଇଁ ଟ୍ୟୁସନ୍‌ କରିବା ସହ ଅତିରିକ୍ତ ଭାବେ ସିଲେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଖାଲି ସରସ୍ବତୀ ନୁହେଁ, ଏଭଳି ଆହୁରି ଅନେକ ପରିବାର କିରାସିନିର ଦରବୃଦ୍ଧିର ମାଡ଼ ସେମାନଙ୍କ ହାଣ୍ଡିଶାଳରେ ବାଜୁଛି। ଏଭଳି ସ୍ଥିତିରେ ମାଗଣା ଚାଉଳ ବ୍ୟବସ୍ଥା ସେମାନଙ୍କ ପାଇଁ ପ୍ରହସନ ହୋଇଛି।

ସମ୍ବନ୍ଧିତ ଖବର