ସୁନ୍ଦରଗଡ଼:  ସୁନ୍ଦରଗଡ଼ ଜିଲ୍ଲାର ବିଧବା, ଭିନ୍ନକ୍ଷମ ଓ ବୃଦ୍ଧବୃଦ୍ଧାଙ୍କୁ ପ୍ରଦାନ କରାଯାଉଥିବା ସାମାଜିକ ସୁରକ୍ଷା ଯୋଜନାର ୧୦ କୋଟି ୨୬ ଲକ୍ଷ ୬୦ ହଜାର ୩୯୨ ଟଙ୍କାର ହିସାବ ମିଳୁନି। ଗତ ୨୦୨୧-୨୨ ଆର୍ଥିକ ବର୍ଷରେ  ମଧୁବାବୁ ଭତ୍ତା ଯୋଜନା, ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା,  ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ଓ ଇନ୍ଦିରା ଗାନ୍ଧୀ ଜାତୀୟ ବିକଳାଙ୍ଗ ଭତ୍ତା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ  ଭତ୍ତା ଯୋଗାଇ ଦିଆଯାଉଥିବାବେଳେ ପ୍ରକୃତରେ ବଣ୍ଟନ ଦାୟିତ୍ବରେ ଥିବା ଅଧିକାରୀ ବା କର୍ମଚାରୀ  କେତେ ଟଙ୍କା ହିତାଧିକାରୀଙ୍କୁ ବଣ୍ଟନ କରିଛନ୍ତି, କେତେ ଟଙ୍କା ବଣ୍ଟନ ହୋଇ ନାହିଁ ସେ ସମ୍ପର୍କରେ କାହା ନିକଟରେ କୌଣସି ତଥ୍ୟ ନାହିଁ। ପ୍ରତିମାସ ଭତ୍ତା ବଣ୍ଟନ ପୂର୍ବରୁ ଅନେକ ହିତାଧିକାରୀଙ୍କ ମୃତ୍ୟୁ ହେଉଥିବା ବେଳେ ବିଭିନ୍ନ କାରଣରୁ ଅନେକ ଭତ୍ତା ଗ୍ରହଣ କରିବାକୁ ଆସି ନଥାନ୍ତି।

Advertisment

ଏଣୁ ହିତାଧିକାରୀଙ୍କ ପାଇଁ ଆସିଥିବା ଟଙ୍କା ବଳକା ରହିଥାଏ। ଅନେକ ସମୟରେ ଦାୟିତ୍ବରେ ଥିବା କର୍ମଚାରୀ ମୃତ ହିତାଧିକାରୀଙ୍କ ଭତ୍ତା ଟଙ୍କା ହଡ଼ପ କରି ନେଉଥିବା ନଜିର ରହିଛି। ଏଣୁ ଦାୟିତ୍ବରେ ଥିବା କର୍ମଚାରୀମାନେ ହିସାବ ନଦେବା  ପଛରେ ଟଙ୍କା ହଡ଼ପ କରିଥିବା ସନ୍ଦେହ ସୃଷ୍ଟି ହୋଇଛି। ସବୁଠାରୁ ବଡ଼ କଥା ହେଲା, ଏହା ମଧ୍ୟରେ ୯ ମାସ ବିତିଗଲାଣି। ଆଉ ୩ ମାସ ପରେ ୨୦୨୨-୨୩ ଆର୍ଥିକ ବର୍ଷ ପ୍ରବେଶ କରିବ। କିନ୍ତୁ ଏଯାଏ କର୍ମଚାରୀମାନେ  ହିସାବ ନଦେଇ ଆରାମରେ ବସିଯାଇଛନ୍ତି। ଅନ୍ୟପଟେ ବ୍ଲକ୍, ପୌର ତଥା ଜିଲ୍ଲା ପ୍ରଶାସନ ମଧ୍ୟ ବିଶେଷ ତାଗିଦ୍ କି ତଦନ୍ତ କରୁ ନାହିଁ। ସେହି କାରଣରୁ ତାର ବିନିଯୋଗ ପ୍ରମାଣପତ୍ର ମଧ୍ୟ  ପ୍ରଶାସନ ଦେଇ ପାରୁ ନଥିବା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁସାରେ,  ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ  ପୌରାଞ୍ଚଳରେ ପ୍ରତିମାସ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ବଣ୍ଟନ କରିଥିବା କର୍ମଚାରୀମାନେ ଶେଷ ଆର୍ଥିକ ବର୍ଷରେ ମଧୁବାବୁ ପେନସନ ଯୋଜନାର ୬,୫୩,୭୬,୩୦୫ ଟଙ୍କାର ହିସାବ ଦେଇ ନାହାନ୍ତି।

ସେହିପରି ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାର ୨,୯୦,୭୯,୦୧୭ ଟଙ୍କାର ହିସାବ ମିଳି ନଥିବା ବେଳେ  ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ପେନସନ ଯୋଜନର ୬୦,୬୧,୯୯୮ ଟଙ୍କା ଓ ଇନ୍ଦିରା ଗାନ୍ଧୀ ଜାତୀୟ ବିକଳାଙ୍ଗ ଭତ୍ତା ଯୋଜନାର ୨୧,୪୩,୦୭୨ ଟଙ୍କାର ହିସାବ ମିଳି ନାହିଁ। ମଧୁବାବୁ ଭତ୍ତା ଯୋଜନାରେ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ୍,  ହେମଗିର, କୁତ୍ରା, ଟାଙ୍ଗରପାଲି ବ୍ଲକ୍, ସୁନ୍ଦରଗଡ଼ ପୌରପାଳିକାରେ ଶତ ପ୍ରତିଶତ ମିଳିଛି। କିନ୍ତୁ ସୁନ୍ଦରଗଡ଼, ଲେଫ୍ରିପଡ଼ା, ବାଲିଶଙ୍କରା, ସବଡେଗା, ବଡ଼ଗାଁ, ରାଜଗାଙ୍ଗପୁର, ବିଶ୍ରା, ନୂଆଗାଁ, କୁଆରମୁଣ୍ଡା, ଲହୁଣୀପଡ଼ା, କୋଇଡ଼ା, ବଣାଇଁ, ଲାଠିକଟା ବ୍ଲକ ସମେତ ବୀରମିତ୍ରପୁର ଓ ରାଜଗାଙ୍ଗପୁର ପୌରପାଳିକାର ପୂରା ହିସାବ ମିଳିନି। ସେହିପରି ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ଗୁରୁଣ୍ଡିଆ ବ୍ଲକ ଓ ସୁନ୍ଦରଗଡ଼ ପୌରପାଳିକାରେ ଶତ ପ୍ରତିଶତ ହିସାବ ମିଳିଥିବା ବେଳେ ଅନ୍ୟ ସମସ୍ତ ବ୍ଲକ୍ ଓ ପୌରପାଳିକାରେ ହିସାବ କେଉଁଠି ହଜି ଯାଇଛି। ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନାରେ ବାଲିଶଙ୍କରା ବ୍ଲକ୍, ଗୁରୁଣ୍ଡିଆ, କୁତ୍ରା, ସବଡେଗା, ଟାଙ୍ଗରପାଲି, ସୁନ୍ଦରଗଡ଼ ପୌରପାଳିକା ତଥା ଇନ୍ଦିରା ଗାନ୍ଧୀ ଜାତୀୟ ବିକଳାଙ୍ଗ ଭତ୍ତା ଯୋଜନାରେ କେବଳ ବାଲିଶଙ୍କରା, ଗୁରୁଣ୍ଡିଆ, କୁତ୍ରା, ସବଡେଗା ଓ ଟାଙ୍ଗରପାଲି ବ୍ଲକରେ ଶତ ପ୍ରତିଶତ ହିସାବ ମିଳିଛି। ଏ ସମସ୍ତ ଯୋଜନାରେ ଜିଲ୍ଲାର କେବଳ ଗୁରୁଣ୍ଡିଆ, କୁତ୍ରା ଓ ଟାଙ୍ଗରପାଲି ବ୍ଲକରୁ ଶତ ପ୍ରତିଶତ ହିସାବ ମିଳିଛି।

ଅନ୍ୟ ବ୍ଳକ୍ ଓ ପୌରାଞ୍ଚଳରେ ହିସାବ ଦେଉ ନଥିବା କର୍ମଚାରୀଙ୍କ ମଧ୍ୟରୁ କିଏ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି ତ କିଏ ଅବସର ନେଇ ସାରିଲେଣି। ପ୍ରତିମାସରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟାକୁ ହିସାବକୁ ନେଇ ସରକାର ଭତ୍ତା ଟଙ୍କା ଯୋଗାଇ ଦେଇଥାନ୍ତି। ସେହି ହିସାବରେ ପଞ୍ଚାୟତ ଦାୟିତ୍ବରେ ଥିବା ସରକାରୀ କର୍ମଚାରୀମାନେ ଟଙ୍କା ନେଇ ବଣ୍ଟନ କରିବାକୁ ଯାଇଥାନ୍ତି। ବଣ୍ଟନ ପରେ ହିତାଧିକାରୀଙ୍କ ଦସ୍ତଖତ ଥିବା ଭତ୍ତା ଖାତା ସହ ବଣ୍ଟନର ସମ୍ପୂର୍ଣ୍ଣ ହିସାବ, ହିତାଧିକାରୀଙ୍କ ମୃତ୍ୟୁ ହୋଇଥିଲେ ତାର ରିପୋର୍ଟ ବ୍ଲକ୍ କାର୍ଯ୍ୟାଳୟରେ ଦାଖଲ କରିବା ସହ ବଳକା ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ କର୍ମଚାରୀମାନେ ଏ ସମ୍ପର୍କିତ କୌଣସି ତଥ୍ୟ କି ବଳକା ଟଙ୍କା ଫେରସ୍ତ କରି ନାହାନ୍ତି। ଯାହା ସନ୍ଦେହର କାରଣ ହୋଇଛି।