ବ୍ୟବସାୟୀଙ୍କ ଠାରୁ ଲୁଟିଲେ ୧୦.୫୦ ଲକ୍ଷ

ଚୌଦ୍ବାର: ଚୌଦ୍ବାର ଅଞ୍ଚଳରେ ଆଜି ଦିନ ଦ୍ବିପ୍ରହରରେ ଜଣେ କପଡା ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତ ଲୁଟି ନେଇଛନ୍ତି ୧୦ ଲକ୍ଷ ୫୦ ହଜାର ଟଙ୍କା। ବ୍ୟବସାୟୀ ଓ ତାଙ୍କ ସହଯୋଗୀଙ୍କୁ ଆକ୍ରମଣ କରିବା ସହିତ ବଂଧୁକ ଦେଖାଇ ଧମକ ଦେଇ ‌୫/୬ ଜଣ ଦୁର୍ବୃତ୍ତ ଏଭଳି କାଣ୍ଡ କରିଥିବା କୁହାଯାଉଛି। ଦେଉଳଚୁଆ ଚାଉଳିଆ ପୋଲ ନିକଟରେ ଏଭଳି ଘଟଣା ଘଟିଛି। ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ବାଗିପୁର ଅଂଚଳର କପଡ଼ା ବ୍ୟବସାୟୀ ମାନସ ଦାସ ଏକ କାରରେ ଆଜି କଟକ ଆସୁଥିଲେ। କାରରେ ତାଙ୍କର ୫ଜଣ ସହଯୋଗୀ ବି ଥିଲେ। ସେମାନେ ବ୍ୟାବସାୟିକ କାମରେ ଆସୁଥିବା ସମୟରେ ତାଙ୍କ ସହ ପୂର୍ବରୁ ଯୋଗାଯୋଗରେ ଥିବା ଜଣେ ଦଲାଲ ମାନସଙ୍କୁ ଫୋନ କରିଥିଲା। ମଙ୍ଗୁଳି ଛକରୁ ଚୌଦ୍ବାର ନିକଟସ୍ଥ ଚାଉଳିଆ ପୋଲ ତଳ ରାସ୍ତାରେ ଆସିବାକୁ କହିଥିଲା। ଶସ୍ତା ଓ ବାକିରେ କପଡ଼ା ଆଉ ଲୁଗାପଟା ଯୋଗାଇ ଦେବାକୁ ସେ ପୂର୍ବରୁ ଯୋଗାଯୋଗ କରିଥିଲା। ପ୍ରଥମେ କଟକ ଆସିବାକୁ ସେ କହିଥିବା ବେଳେ ଦିନ ପ୍ରାୟ ଦୁଇଟା ସମୟରେ ସେ ଚାଉଳିଆ ପୋଲ ନିକଟରେ ଅପେକ୍ଷା କରିଛି ବୋଲି ସୂଚନା ଦେଇଥିଲା। ସେମାନଙ୍କ ସହିତ ସେ କଟକ ଯିବ ବୋଲି କହିଥିଲା। ସେହି ଅନୁଯାୟୀ ମାନସ କାରରେ ପୋଲ ନିକଟରେ ପହଞ୍ଚିବା ସମୟରେ ଯୋଜନାବଦ୍ଧ ଭାବେ ୫/୬ଟି ବାଇକରେ ଦୁର୍ବୃତ୍ତ ସେଠାରେ ପହଞ୍ଚି ମାନସ ଓ ତାଙ୍କ ସହଯୋଗୀଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ବଂଧୁକ ଦେଖାଇ ଟଙ୍କା ବ୍ୟାଗ ଦେବାକୁ ଧମକ ଦେଇଥିଲେ। କାର୍‌ରେ ଥିବା ଟଙ୍କା ବ୍ୟାଗକୁ ଛଡାଇ ନେଇ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମାନସଙ୍କ ପକ୍ଷରୁ ଏ ସଂପର୍କରେ ଥାନାରେ ଅଭିଯୋଗ ହେବା ପରେ ଚୌଦ୍ବାର ଥାନା ପୁଲିସ୍‌ ଛାନଭିନ୍ ଆରମ୍ଭ କରିଛନ୍ତି। ଏଭଳି ଢଙ୍ଗରେ ଲୁଟ ଘଟଣା ଚୌଦ୍ବାର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର