ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଏବଂ ଚିତ୍ରକୋଣ୍ଡା ପୁଲିସର ମିଳିତ ଚଢାଉରେ ପ୍ରାୟ ୩କୋଟି ୧୬ଲକ୍ଷ ଟଂକାର ଗଂଜେଇ ଗଛକୁ ନଷ୍ଟ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ଏବଂ ବାଲିମେଳା ଏସଡିପିଓଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ରହିଥିବା ୫ଏକର ସରକାରୀ ଜମିରେ ଚଢାଉ କରିଥିଲେ। ସେଠାରେ ଲାଗିଥିବା ୧୨ ହଜାର ହଜାର ଗଂଜେଇ ଗଛକୁ ନଷ୍ଟ କରିଥିଲେ।
ସେହିପରି କୋଣ୍ଡେଲ ଗ୍ରାମରେ ରହିଥିବା ୩ଏକର ସରକାରୀ ଜମିରେ ୬ ହଜାର ଗଂଜେଇ ଗଛ, ଖଡିକାଯୋଡି ଗ୍ରାମରେ ୨ ଏକର ଜମିରେ ରହିଥିବା ୩ ହଜାର ୬ ଶହ ଗଂଜେଇ ଗଛ ଏବଂ ନାକାମାମୁଡି ନିକଟରେ ରହିଥିବା ପ୍ରାୟ ସାଢେ ୪ଏକର ଜମିରେ ରହିଥିବା ୧୦ ହଜାର ଗଂଜେଇ ଗଛକୁ ନଷ୍ଟ କରାଯାଇଛି। ଏଭଳି ମୋଟ ୩ କୋଟି ଟଂକାର ଗଂଜେଇ ଗଛକୁ ନଷ୍ଟ କରାଯାଇଥିବା ଜଣାପଡିଛି।
ପୁଲିସ ଓ ଅବକାରୀ ବିଭାଗର ବାରମ୍ବାର ଚଢାଉ ସତ୍ୱେ ଗଞ୍ଜେଇ ଚାଷ ବନ୍ଦ ହୋଇନାହିଁ। ଚିତ୍ରକୋଣ୍ଡାର ବିଭିନ୍ନ ଅଂଚଳରେ ଶହ ଶହ ଏକର ଜମିରେ ଗଂଜେଇ ଚାଷ କରାଯାଉଛି। କିନ୍ତୁ ସେହି ଅଂଚଳକୁ ପହଞ୍ଚିବାକୁ ହେଲେ କଡା ସୁରକ୍ଷା ବ୍ୟବସ୍ଥା ଦରକାର। ଆଜି ମଧ୍ୟ ପୁଲିସର କଡା ସୁରକ୍ଷା ଭିତରେ ଏହି ତିନି ଗ୍ରାମରେ ଗଂଜେଇ ଗଛକୁ ନଷ୍ଟ କରାଯାଇଛି। ଆଗାମୀ ଦିନରେ ପୁଣି ଚଢାଉ କରାଯାଇ ଗଂଜେଇ ଗଛ ନଷ୍ଟ କରାଯିବ ବୋଲି ଦୁଇ ବିଭାଗ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/ganja-leaves.jpg-f.jpg)