ବନ କର୍ମଚାରୀଙ୍କୁ ମାଡ଼ ଓ ଗାଡ଼ି ଭଙ୍ଗାରୁଜା ଘଟଣାରେ ୧୦ ଜଣଙ୍କ ନାଁରେ ମାମଲା

ହରିଚନ୍ଦନପୁର : ବନ ବିଭାଗ କର୍ମଚାରୀଙ୍କୁ ମାଡ଼ ଏବଂ ଗାଡ଼ି ଭଙ୍ଗାରୁଜା ଘଟଣାରେ ‌କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ୧୦ଜଣଙ୍କ ନାମରେ ମାମଲାରେ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହରିଚନ୍ଦନପୁର ବ୍ଲକ୍‌ ରେବଣାପଳାଶପାଳ ପଞ୍ଚାୟତ ବୁଢ଼ୀପଦା ଗ୍ରାମର ବୁଟୁ ମହାକୁଡ଼ଙ୍କଠାରୁ ଗତକାଲି ରାତିରେ ବନ ବିଭାଗ ଏକ ବାଘଛାଲ ଜବତ କରିଥିଲା। ବନ ବିଭାଗ କର୍ମଚାରୀମାନେ ଫେରିବା ବେଳେ ରାସ୍ତାରେ ସୁନାପେଣ୍ଠ ଗ୍ରାମରେ କେତକ ଯୁବକ ବୋଲେରୋ ଗାଡ଼ି (ଓଡି-୦୯-ସି-୯୯୪୩)କୁ ଅଟକାଇ ପଥର ମାଡ଼ କରିଥିଲେ।

ଗାଡ଼ିର ଆଗପଛ କାଚ ଭାଙ୍ଗି ଯାଇଛି। ବନ ବିଭାଗ କର୍ମଚାରୀମାନେ ଭୟରେ ଗାଡ଼ିରୁ ବାହାରି ଦୌଡ଼ି ପଳାଇଥିଲେ। ଯୁବକଙ୍କ ମାଡ଼ରେ ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ବନ ସୁରକ୍ଷାକର୍ମୀ ସତ୍ୟରଂଜନ ସାହୁ ଓ ଜିତୁରାମ ମହାନ୍ତ ଆହତ ହୋଇଛନ୍ତି। ଆହତମାନଙ୍କୁ ହରିଚନ୍ଦନପୁର ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଏହି ଘଟଣାରେ କେନ୍ଦୁଝର ଏସିଏଫ୍‌ ଘନଶ୍ୟାମ ମହାନ୍ତ ଗ୍ରାମର ୧୦ଜଣ ଯୁବକଙ୍କ ନାମରେ ହରିଚନ୍ଦନପୁର ଥାନାରେ ଏତଲା ଦେଇଛନ୍ତି। ଏଏସ୍‌ଆଇ ବୁଦ୍ଧିରାମ କିଷାନ କେସ୍‌ ନମ୍ବର ୯୨/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଅନ୍ୟପକ୍ଷରେ ପିଲା ଚୋରି କରି ନେଉଥିବା ସମ୍ପର୍କରେ ଖବର ପାଇ ଗ୍ରାମର ଯୁବକମାନେ ଗାଡ଼ି ଅଟକାଇ ପଥର ମାଡ଼ କରିଥିଲେ। ଗାଡ଼ିରେ ଥିବା ବନ କର୍ମଚାରୀମାନେ ସାଦା ପୋଷାକରେ ଥିଲେ। ଗାଡ଼ି ଅଟକିବା ପରେ ଦୌଡ଼ି ପଳାଇବାରୁ ସେମାନେ ବନ ବିଭାଗ କର୍ମଚାରୀ ବୋଲି ଯୁବକମାନେ ଜାଣିପାରି ନଥିବା ଗ୍ରାମବାସୀ କହିଛନ୍ତି। ଘଟଣା ସମ୍ପର୍କରେ ତଦନ୍ତ କରାଯାଉଛି ବୋଲି ଥାନା ଅଧିକାରୀ ସୁସ୍ମିତା ଦେବତା କହିଛନ୍ତି।

ସମ୍ବନ୍ଧିତ ଖବର