ପୁରୀ : ପୁରୀ ବଳିଅପାଣ୍ଡା ଅଞ୍ଚଳରୁ ବାଲି ଚୋରି ଘଟଣାରେ ଗତକାଲି ଅଟକ ଥିବା ୯ଜଣଙ୍କ ସମେତ ଏହି ଘଟଣାର ପ୍ରମୁଖ କାର୍ପଟଦାର କୁହାଯାଉଥିବା ନିଳଚକ୍ରନଗର ଅଞ୍ଚଳୟର ସୟାୟତ ଖାନ(ଟିକି-୩୮)କୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ପୁଲିସ ଟିକି ସମେତ ପୂର୍ଣ୍ଣଚନ୍ଦ୍ର ବେହେରା(୪୨), ଚମ୍ପୁଆ କେନ୍ଦୁଝରର ମନୋଜ କୁମାର ସ୍ବାଇଁ (୨୭), ବିପିନ ମୁଣ୍ଡା(୨୨), ବିଦ୍ୟାଧର ମଲ୍ଲିକ(୨୩), ବାଲିଅନ୍ତା ଅଞ୍ଚଳର ଜିତେନ୍ଦ୍ର କୁମାର ନାୟକ(୨୮), ସତ୍ୟବାଦୀର ଅଶୋକ ସ୍ବାଇଁ(୩୫), ବେଗୁନିଆର ଅଜୁୟ ପଟ୍ଟନାୟକ(୫୩), ପିପିଏଲର ବିଷ୍ଣୁ ବେହେରା, ଭରତ ଦଳାଇ(୩୩)ଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ବ୍ରହ୍ମଗିରି ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁଙ୍କ ଏତଲାକୁ ଭିତ୍ତି ଏ ନେଇ ମାମଲା ରୁଜୁ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶ ଯେ, ବାଲି ଚୋରି ବେଳେ ଶାମୁକା ବେଳାଭୂମି ଗ୍ରିଡ୍ରୁ ଆସିଥିବା କେବୁଲକୁ ତାଡି ଦେଇଥିଲେ। ବାଲି ଚୋରି ଯୋଗୁଁ ପ୍ରାୟ ୧ କୋଟି ଟଙ୍କାର କେବୁଲ ନଷ୍ଟ ହୋଇଥିଲା। ଏ ନେଇ ସେସୁ ନିର୍ବାହୀଯନ୍ତ୍ରୀ ଶିବ ପ୍ରସାଦ ସ୍ବାଇଁ ଅଭିଯୋଗ କରିବା ପରେ ଗତ ଗୁରୁବାର ରାତିରେ ପୁରୀ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା। ବାଲି ମାଫିଆ ଗାଡି ଲଗାଇ ବାଲି ଚୋରି କରୁଥିବା ବେଳେ ଧରାପଡିଥିଲେ। ପୁଲିସ ଏହି ଘଟଣାରେ ଚଢାଉ କରି ୧୫ ହାଇୱା, ୨ ଜେସିବି ମେସିନ ଜବତ କରିବା ସହିତ ୯ଜଣ ଡ୍ରାଇଭରଙ୍କୁ ଅଟକ ରଖିଥିଲା। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ବାଲି ଚୋରି ଘଟଣାରେ ବାଲି ମାଫିଆଙ୍କୁ ଗିରଫ କରାଯାଉ ନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏହି ଘଟଣାରେ କେବଳ ଡ୍ରାଇଭରଙ୍କୁ ଗିରଫ କରା ନଯାଇ ମାଲିକଙ୍କୁ ଗିରଫ କରିବାକୁ ଦାବି ହୋଇଛି। ବର୍ଷ ବର୍ଷ ଧରି ବାଲି ଚୋରି ହେଉଥିବା ବେଳେ ପୁଲିସ କାହିଁକି ଏହାକୁ ବନ୍ଦ କରିନଥିଲା ତାକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି। ବାଲିମାଫିଆ ଓ ପୁଲିସ ସଲାସୁତରାରେ ବଳିଆପଣ୍ଡା ଅଞ୍ଚଳରୁ ନିୟମିତ ବାଲି ଚୋରି ହେଉଥିବା ଜଣାପଡିଛି।